ଫୁଟବଲ୍‌ ଖେଳାଳିଙ୍କ ଗାଁ କନ୍ଧମାଳର ବୁଢ଼ାଦାନି

ଜାତୀୟ, ଅନ୍ତର୍ଜାତୀୟସ୍ତରର ଖେଳାଳି ସୃଷ୍ଟି କରି ମଧ୍ୟ ଅବହେଳିତ

ଫୁଲବାଣୀ(ରଞ୍ଜନ ପ୍ରଧାନ): କନ୍ଧମାଳ ଜିଲ୍ଲାର ଏକ ଅଖ୍ୟାତ କନ୍ଧ ପଲ୍ଲୀ ବୁଢ଼ାଦାନି ନିଆରା ଏକ କାରଣ ପାଇଁ ବିଖ୍ୟାତ। ଏହି ଗାଁଟି କନ୍ଧମାଳ ଜିଲ୍ଲାରୁ ସମଗ୍ର ରାଜ୍ୟ ଓ ଦେଶକୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଫୁଟବଲ୍ ଖେଳାଳିଙ୍କୁ ଉପହାର ଦେଇ ଓଡ଼ିଶାର ଫୁଟବଲ୍ ଜଗତକୁ ବଳିଷ୍ଠ ପ୍ରତିନିଧିତ୍ବ ଦେଇପାରିଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ତୁଡ଼ିପାଜୁ ପଞ୍ଚାୟତର ବୁଢ଼ାଦାନି ଗାଁରେ କନ୍ଧ ଓ ହରିଜନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ଏହି ଗାଁର ଅନେକ ଖେଳାଳି ଓଡ଼ିଶା ଓ ଭାରତ ପକ୍ଷରୁ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଖେଳରେ ଅଂଶଗ୍ରହଣ କରି ଉଭୟ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣି ପାରିଛନ୍ତି।

ବୁଢ଼ାଦାନି ଗ୍ରାମର ସଫଳ ଫୁଟବଲ୍ ଖେଳାଳି ପଦ୍ମନାଭ କହଁର ଫୁଟବଲ୍ ପଡ଼ିଆରେ ନିଜ କମାଲ ଦେଖାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେଭେନ୍-ଏ-ସାଇଡ୍ ଅନ୍ତର୍ଜାତୀୟ ଫୁଟବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦେଶ ପାଇଁ କପ୍‌ ଜିତି ପାରିଛନ୍ତି। ପଦ୍ମନାଭ ପାକିସ୍ତାନ, ଶ୍ରୀଲଙ୍କା, ଭୁଟାନ୍, ନେପାଳ, ବାଂଲାଦେଶ, ଆୟାର୍ଲାଣ୍ଡ ଓ ନ୍ୟୁଜିଲାଣ୍ଡ ଭଳି ଦେଶ ବିରୋଧରେ ଭାରତକୁ ପ୍ରତିନିଧିତ୍ବ କରିଛନ୍ତି। ପଦ୍ମନାଭ ଜଣେ ମିଡ୍‌ ଫିଲ୍‌ଡର୍‌ ଭାବେ ବେଶ ସୁନାମ ଅର୍ଜନ କରି ପାରିଛନ୍ତି। ୨୦୦୭ରେ ବସ୍ତରରେ ଆୟୋଜିତ ଚତୁର୍ଥ ଦକ୍ଷିଣ ଏସୀୟ ସେଭେନ୍-ଏ-ସାଇଡ୍ ଫୁଟ୍‌ବଲ୍ ପ୍ରତିଯୋଗିତାରେ ବିଜେତା ହୋଇଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ। ବାଂଲାଦେଶକୁ ହରାଇ ଭାରତ ଏଠାରେ ବିଜେତା ହୋଇଥିଲା।

ପଦ୍ମନାଭଙ୍କ ପାଇଁ ଗର୍ବିତ
ପଦ୍ମନାଭଙ୍କ ପିଲାଦିନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ଦାରିଦ୍ର୍ୟ ମଧ୍ୟରେ ତାଙ୍କର ଶୈଶବ କଟିଥିଲା। କନ୍ଧ ପରିବାରରେ ଜନ୍ମିତ ପଦ୍ମନାଭ ଅର୍ଥାଭାବରୁ ବାପା, ମା’ଙ୍କୁ ଜଙ୍ଗଲରୁ ଜାଳେଣି କାଠ ବନଜାତ ଦ୍ରବ୍ୟ ସଂଗ୍ରହରେ ସହାୟତା କରୁଥିଲେ। ଏହାରି ମଧ୍ୟରେ ସେ ଗାଁ ସ୍କୁଲରେ ପାଠ ପଢ଼ିବା ସହ ଗାଁ ପଡ଼ିଆରେ ଫୁଟବଲ୍ ଅଭ୍ୟାସ କରୁଥିଲେ। ଏହାପରେ ପଦ୍ମନାଭ ଖଜୁରୀପଡ଼ା ବ୍ଲକ୍‌ ଲମ୍ବାଗୁଡ଼ି ଆଶ୍ରମ ସ୍କୁଲରେ ପାଠ ପଢ଼ିଲେ ଏବଂ ସେଠୁ ସେ କନିଷ୍ଠ ବର୍ଗରେ ମନୋନୀତ ହୋଇ ଖେଳିବାର ସୁଯୋଗ ପାଇଲେ। ଅଷ୍ଟମରେ ପଢ଼ିଲା ବେଳକୁ ସେ ଭବାନୀପାଟଣା କ୍ରୀଡ଼ା ଛାତ୍ରାବାସରେ ନାମ ଲେଖାଇ ସାରିଥିଲେ। ସେଠାରେ ରହିବା ଅବସରରେ ତାଙ୍କର ଫୁଟବଲ୍ କ୍ରୀଡ଼ା ଜୀବନ ଉନ୍ମୁକ୍ତ ହୋଇଥିଲା। ଏହାପରେ ସେ ଭୁବନେଶ୍ବରର କିଶୋର କ୍ଲବ୍, ସମ୍ବଲପୁରର ସମଲେଶ୍ବରୀ ଏକାଡେମି ଏବଂ କଟକର କଟକ ଲିଗ୍‌ ୭୩ ପକ୍ଷରୁ ଖେଳି ନିଜର କ୍ରୀଡ଼ା ପ୍ରତିଭାର ପରିଚୟ ଦେଇ ପାରିଥିଲେ। ଏହାପରେ ପଦ୍ମନାଭ ଦଶପଲ୍ଲା କଲେଜରେ ଯୁକ୍ତ-୨ ଏବଂ ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ ଯୁକ୍ତ-୩ ଅଧ୍ୟୟନ କରିବା ସମୟରେ କୋଲକାତାର ମୋହନବାଗାନ କ୍ଲବ୍ ପକ୍ଷରୁ ଖେଳିବାର ସୁଯୋଗ ପାଇଥିଲେ।

ଏହା ପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ସେ ଭାରତ ପକ୍ଷରୁ ବିଭିନ୍ନ ଦେଶ ବିରୋଧରେ ଅନ୍ତର୍ଜାତୀୟ ମ୍ୟାଚ୍ ଏବଂ ଓଡ଼ିଶା ପକ୍ଷରୁ ବିଭିନ୍ନ ରାଜ୍ୟ ବି‌ରୋଧରେ ଜାତୀୟସ୍ତର ମ୍ୟାଚ୍‌ ଖେଳିଛନ୍ତି। ଜାତୀୟସ୍ତରରେ ସେ ପଞ୍ଜାବ, କେରଳ, ସିକିମ୍‌, ମିଜୋରାମ, ମଣିପୁର, ଜମ୍ମୁ-କାଶ୍ମୀର, ଦିଲ୍ଲୀ, ଗୁଜରାଟ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ବିରୋଧରେ ଖେଳିଛନ୍ତି। ପଦ୍ମନାଭ ସନ୍ତୋଷ ଟ୍ରଫି, ସୁବ୍ରତ କପ୍‌ରେ ଖେଳି ନିଜ କ୍ରୀଡ଼ା ପ୍ରତିଭାର ପରିଚୟ ଦେଇଛନ୍ତି। ଏବେ କିନ୍ତୁ ପଦ୍ମନାଭ ନିଜ ଗାଁରେ ରହି ଗାଁ ପିଲାଙ୍କୁ ନିୟମିତ ପ୍ରଶିକ୍ଷଣ ଦେଉଛନ୍ତି। ପଦ୍ମନାଭଙ୍କ ଠାରୁ ପ୍ରଶିକ୍ଷଣ ପାଇ ଏବେ ବୁଢ଼ାଦାନି ଗାଁର ଅନେକ ଖେଳାଳି ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କଲେଣି। ପଦ୍ମନାଭଙ୍କ ପ୍ରେରଣାରେ ବୁଢ଼ାଦାନି ଗାଁର ରଞ୍ଜନ ବିନ୍ଧାଣୀ, ପପୁନ୍‌ କହଁର, ସୁଜିତ କୁମାର ପ୍ରଧାନ, ବବୁଲ କହଁର, ଗଜେନ୍ଦ୍ର କହଁର, ଜଗନ୍ନାଥ କହଁର, ସରୋଜ କହଁର, ବିରାଜ କୁମାର ବେହେରା, ପ୍ରତାପ ପ୍ରଧାନ, ମନୋଜ କହଁର, ଚିତ୍ତରଂଜନ କହଁର, ବିରୁପାକ୍ଷ କହଁର, ସୁକାନ୍ତ କହଁର ଓ ପପୁଲ କହଁର ପ୍ରମୁଖ ଖେଳାଳି ଓଡ଼ିଶା ଏବଂ ଓଡ଼ିଶା ବାହାରେ ଖେଳିବାର ସୁଯୋଗ ପାଇଛନ୍ତି।

ପଦ୍ମନାଭ ଏବେ ନିଜ ଗାଁ ବୁଢ଼ାଦାନିରେ ରହି ସ୍କୁଲ୍ ପିଲାଙ୍କୁ ଫୁଟବଲ୍ ପ୍ରଶିକ୍ଷଣ ଦେଉଛନ୍ତି। ତାଙ୍କ ଠାରୁ ପ୍ରଶିକ୍ଷଣ ପାଇଥିବା କନିଷ୍ଠ ବର୍ଗର ଖେଳାଳି ସନ୍ଦିପ ମଲିକ, ଦେବରାଜ ମଲିକ, ଜୁନେଶ୍ବର ମଲିକ, ସୁଶୀଲ କହଁର, ମନୋଜ କହଁର, ପ୍ରକାଶ କହଁର, ବବୁଲ କହଁର, ବିଶ୍ବକର୍ମା କହଁର, ସୁଧୀର କହଁର, ଲିଙ୍କନ କହଁର, ସୂରଯ କହଁର, ସୁକାନ୍ତ କହଁର, ଜେମ୍‌ସ ବେହେରା, ସଂଜିତ କହଁର ପ୍ରମୁଖ ସ୍କୁଲ ଓ କଲେଜ ସ୍ତରରେ ଖେଳି ନିଜ କ୍ରୀଡ଼ା ପ୍ରତିଭାର ପରିଚୟ ଦେଇ ସାରିଛନ୍ତି। ଏମାନଙ୍କ ମଧ୍ୟ‌ରୁ ଅନେକ ଖେଳାଳି କନିଷ୍ଠ ବର୍ଗରେ ଜାତୀୟ ସ୍ତରରେ ଖେଳିବାର ସୁଯୋଗ ପାଇଛନ୍ତି। ଏହିସବୁ ପିଲାମାନେ କନ୍ଧମାଳ ଜିଲ୍ଲାର ବିଭିନ୍ନ କଲେଜରେ ପାଠ ପଢୁଛନ୍ତି ଏବଂ ପଦ୍ମନାଭଙ୍କ ଠାରୁ ଫୁଟବଲ୍ ପ୍ରଶିକ୍ଷଣ ନେଉଛନ୍ତି। ପଦ୍ମନାଭଙ୍କ ପାଇଁ ଆଜି ବୁଢ଼ାଦାନି ଗାଁ ଫୁଟବଲ୍ ପାଇଁ ସମଗ୍ର କନ୍ଧମାଳ ଜିଲ୍ଲା କାହିଁକି ରାଜ୍ୟରେ ପ୍ରସିଦ୍ଧି ଅର୍ଜନ କରିପାରିଛି। ବୁଢ଼ାଦାନି ଗାଁଟି ଏକପ୍ରକାର ଫୁଟବଲ୍‌ର ଏନ୍ତୁଡ଼ିଶାଳ ପାଲଟିଛି। ଏଠୁ ରାଜ୍ୟର ପ୍ରମୁଖ ଫୁଟବଲ୍‌ ଖେଳାଳି ବାହାରୁଛନ୍ତି।

ଫୁଟବଲ୍‌ପ୍ରେମୀଙ୍କ ଗାଁ
ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଫୁଟବଲ୍ ଖେଳାଳି ସୃଷ୍ଟି କରିଥିବା ବୁଢ଼ାଦାନି ଗାଁଟି ବିଭିନ୍ନ କାରଣରୁ ଅବହେଳିତ ହୋଇ ରହିଛି। ଗାଁଟିକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନାହିଁ। ଗାଁର ଛାତ୍ର ଓ ଯୁବକମାନେ ନିଜ ଗାଁର ଖେଳ ପଡ଼ିଆରେ ଫୁଟବଲ୍ ପ୍ରଶିକ୍ଷଣ ନେଉଛନ୍ତି। ସେମାନଙ୍କ ପାଇଁ ଏକ ଭଲ ଫୁଟବଲ୍ ଷ୍ଟାଡିୟମ୍ ନାହିଁ। ଗାଁର କ୍ରୀଡ଼ା ପ୍ରତିଭାଙ୍କୁ ପ୍ରଶାସନ କିମ୍ବା ସରକାର ଯେଉଁଭଳି ପ୍ରୋତ୍ସାହନ ଯୋଗାଇ ଦେବା କଥା ତାହା ଆଜି ପର୍ଯ୍ୟନ୍ତ କରି ନାହାନ୍ତି। ଗାଁର ଫୁଟବଲ୍ ଖେଳାଳି ମାନଙ୍କୁ ପ୍ରଶାସନ ଫୁଟବଲ୍ ସାମଗ୍ରୀ ଯୋଗ‌ାଇ ଦେଲେ ପ୍ରଶିକ୍ଷଣ ନେଉଥିବା ଛାତ୍ରମାନେ ଆହୁରି ଭଲ କରିପାରନ୍ତେ। ଗାଁରେ ଏକ ଫୁଟବଲ୍ କ୍ଲବ୍ ପ୍ରତିଷ୍ଠା କରିବାକୁ ସମସ୍ତ ଖେଳାଳି ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ପ୍ରାଥମିକତା ଭିତ୍ତିରେ ପ୍ରଶାସନ ଏହି ଗାଁ ଏବଂ ଗାଁର ଫୁଟବଲ୍ ପ୍ରତିଭାଙ୍କ ବିକାଶ ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି ଜଣାଇଛନ୍ତି। ରାଜ୍ୟ ତଥା ଦେଶର ଗୌରବ ବୃଦ୍ଧି କରିବାରେ ସହାୟକ ହୋଇଥିବା ବୁଢ଼ାଦାନି ଗାଁକୁ ସରକାର ବିଶେଷ ଧ୍ୟାନପୂର୍ବକ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେଇ ପାରିଲେ ଆଗାମୀ ଦିନରେ ବୁଢ଼ାଦାନି ସମଗ୍ର ଦେଶରେ ଫୁଟବଲ୍ ଖେଳ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର