କନିଷ୍ଠ ପୁରୁଷ ବିଶ୍ବକପ୍‌ ହକିରେ ୧୭ ଓଡ଼ିଆ: ପିଟର ତିର୍କୀଙ୍କଠାରୁ ସୁନିଲ ‌ଯୋଯୋଙ୍କ ଯାଏଁ

ରାଉରକେଲା (ଦେବବ୍ରତ ଗଡ଼ତିଆ): କନିଷ୍ଠ ପୁରୁଷ ବିଶ୍ବକପ୍‌ ହକିର ଦ୍ବାଦଶ ସଂସ୍କରଣ ବୁଧବାରଠାରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରତି ୪ ବର୍ଷରେ ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତା କୋଭିଡ ମହାମାରୀ ପରେ ଓଡ଼ିଶାରେ ପ୍ରଥମ ବଡ଼ କ୍ରୀଡ଼ା ଆୟୋଜନ ହେବ। ପ୍ରତିଯୋଗିତାର ସବୁ ମ୍ୟାଚ୍‌ ଦର୍ଶକବିହୀନ ଷ୍ଟାଡିୟମ୍‌ରେ ଖେଳାଯିବ। ପ୍ରତିଯୋଗିତା ପାଇଁ ଭାରତର ୧୮ ଜଣିଆ ଦଳର ନେତୃତ୍ୱ ଅଲିମ୍ପିଆନ ବିବେକ ସାଗର ପ୍ରସାଦ ନେବେ। ଦଳରେ ୩ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ଆଉ ସେମାନେ ହେଲେ ସୁଦୀପ ଚିର୍ମାକୋ, ଅଭିଷେକ ଲାକ୍ରା ଓ ସୁନୀଲ ଯୋଯୋ। ତାସହିତ କନିଷ୍ଠ ବିଶ୍ବକପ୍‌ ହକିରେ ସାମିଲଥିବା ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି।

କନିଷ୍ଠ ବିଶ୍ବକପ୍‌ର ଏଯାଏ ହୋଇ ଥିବା ୧୧ଟି ସଂସ୍କରଣ ମଧ୍ୟରୁ ଭାରତ ୧୯୮୯ ଓ ୧୯୯୩ରେ ଅଂଶ ଗ୍ରହଣ କରି ନ ଥିଲା। ୧୯୭୯ରେ ଫ୍ରାନ୍ସରେ ପ୍ରଥମ କନିଷ୍ଠ ବିଶ୍ବକପ୍‌ ହକିର ଆୟୋଜନ ହୋଇଥିଲା। ଭାରତ ଏଥିରେ ଅଂଶଗ୍ରହଣ କରିଥିଲା। ଦଳରେ ଓଡ଼ିଶାର କୌଣସି ଖେଳାଳି ନଥିଲେ। ଭାରତ ପଞ୍ଚମ ସ୍ଥାନ ପାଇଥିଲା।
୧୯୮୨ରେ ମାଲେସିଆରେ ଦ୍ବିତୀୟ କନିଷ୍ଠ ବିଶ୍ୱକପ୍‌ର ଆୟୋଜନ କରାଯାଇଥିଲା। ଏଥିରେ ଅଂଶଗ୍ରହଣ କରିବା ପାଇଁ ଯାଇଥିବା ଦଳରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ଖେଳାଳି ମନୋନୀତ ହୋଇଥିଲେ। ସେ ଥିଲେ ପିଟର ତିର୍କୀ। ରକ୍ଷଣ ଭାଗର ତାଙ୍କର ମନୋନୟନ ସହ ସେ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ହକି ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ। ସୁଜିତ କୁମାରଙ୍କ ନେତୃତ୍ୱରେ ଯାଇଥିବା ସେହି ଦଳରେ ମହେନ୍ଦ୍ରପାଲ ସିଂହଙ୍କ ଭଳି ପେନଲଟି କର୍ଣ୍ଣର ବିଶେଷଜ୍ଞ, ଟିକେନ୍ ସିଂହ ଓ ନଇମଙ୍କ ଭଳି ଖେଳାଳି ଥିଲେ। କିନ୍ତୁ ଭାରତ ସେଥର ମଧ୍ୟ ପଞ୍ଚମ ସ୍ଥାନ ହିଁ ପାଇଥିଲା। ପିଟର ତିର୍କୀ ସେ ସମୟର କଥା ମନେ ପକାଇ କହନ୍ତି, ‘‘ଅଷ୍ଟ୍ରୋ ଟର୍ଫ ସେତେବେଳେ ନୂଆ ଥିଲା। ଆମେ ତାଉପରେ ଖେଳିବାରେ ଅଭ୍ୟସ୍ତ ନଥିଲୁ। ଆମର ପ୍ରଥମ ମ୍ୟାଚ୍‌ ଜର୍ମାନି ସହିତ ଥିଲା। ଆମେ ସେ ମ୍ୟାଚ୍‌ ୩-୨ରେ ହାରି ସେମିଫାଇନାଲରୁ ବଞ୍ଚିତ ହେଲୁ। ୧୯୮୫ରେ ତୃତୀୟ ବିଶ୍ୱକପ୍‌ ଅନୁଷ୍ଠିତ ହୋଇଥିଲା କାନାଡ଼ାରେ। ତେବେ ସେଠାକୁ ଯାଇଥିବା ଦଳରେ କୌଣସି ଓଡ଼ିଆ ଖେଳାଳି ସ୍ଥାନ ପାଇନଥିଲେ। ସେଥର ମଧ୍ୟ ଭାରତକୁ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ପରବର୍ତ୍ତୀ ଦୁଇ ବିଶ୍ବକପ୍‌ରେ (ମାଲେସିଆ ଓ ସ୍ପେନ୍‌) ଭାରତ ଅଂଶ ଗ୍ରହଣ କରିନଥିଲା।

୧୯୯୭ରେ ଷଷ୍ଠ କନିଷ୍ଠ ବିଶ୍ବକପ୍‌ ହକିର ଆୟୋଜନ ଇଂଲଣ୍ଡରେ ହୋଇଥିଲା। ଏହି ଦଳରେ ୨ ଜଣ ଓଡ଼ିଆ ଖେଳାଳିଙ୍କୁ ମନୋନୀତ କରାଯାଇଥିଲା। ସେମାନେ ଥିଲେ ଦିଲ୍ଲୀପ ତିର୍କୀ ଓ ଲାଜରୁସ ବାର୍ଲା। ଭାରତୀୟ ଦଳ ସେଥର ଫାଇନାଲରେ ପ୍ରବେଶ କରି ଅଷ୍ଟ୍ରେଲିଆ ଠାରୁ ୩-୨ରେ ପରାସ୍ତ ହୋଇ ଉପବିଜେତା ହୋଇଥିଲା। ସେ କଥା ମନେ ପକାଇ ଦିଲ୍ଲୀପ ତିର୍କୀ କୁହନ୍ତି, ‘‘ଆମର ଫାଇନାଲ୍‌ରେ ପ୍ରବେଶ ଭାରତୀୟ ହକିର ମନୋବଳ ଓ ଆତ୍ମବିଶ୍ବାସ ବଢ଼ାଇବାରେ ସହାୟକ ହେବା ସହ ଭବିଷ୍ୟତରେ ଆହୁରି ବଡ଼ ସଫଳତାର ମାର୍ଗ ମଧ୍ୟ ପ୍ରଶସ୍ତ କରିଥିଲା। ଉଲ୍ଲେଖନୀୟ ଯେ ସେଥର ଭାରତୀୟ ଦଳର ରାଜୀବ ମିଶ୍ର ପ୍ରତିଯୋଗିତାର ସର୍ବଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
୨୦୦୧ରେ ସପ୍ତମ ବିଶ୍ୱକପ୍‌ର ଆୟୋଜନ ହୋଇଥିଲା ଅଷ୍ଟ୍ରେଲିଆରେ। ସେଥର ଭାରତ ପ୍ରଥମ ଥର ପାଇଁ କନିଷ୍ଠ ବିଶ୍ୱକପ୍‌ ଜିତିଥିଲା। ୧୯୮୦ରେ ମସ୍କୋ ଅଲିମ୍ପିକ୍ସରେ ସ୍ବର୍ଣ ପଦକ ବିଜୟ ପରେ ବିଶ୍ବସ୍ତରୀୟ ହକି ପ୍ରତିଯୋଗିତାରେ ଏହା ଭାରତର ପ୍ରଥମ ଟ୍ରଫି ଥିଲା। ସେଥର ଗଗନ ଅଜିତ ସିଂହଙ୍କ ନେତୃତ୍ୱରେ ଦଳ ଏକତରଫା ଫାଇନଲ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ୬-୧ ଗୋଲ୍‌ରେ ଧରାଶାୟୀ କରିଥିଲା। କନିଷ୍ଠ ବିଶ୍ୱକପ ଇତିହାସର ଫାଇନାଲରେ ଏହା ଏଯାଏ ସର୍ବବୃହତ ବିଜୟ। ଏହି ଟ୍ରଫି ବିଜୟୀ ଦଳରେ ଓଡ଼ିଶାର ଦୁଇ ଭାଇ ଇଗ୍ନେଶ ତିର୍କୀ ଓ ପ୍ରବୋଧ ତିର୍କୀ ଅନ୍ୟତମ ସଦସ୍ୟ ଥିଲେ। ଇଗ୍ନେଶ ତିର୍କୀ କୁହନ୍ତି, ‘‘ସେଥର ଜର୍ମାନୀ ଦଳକୁ ସମସ୍ତେ ଶ୍ରେଷ୍ଠ ଦଳ କହୁଥିଲେ। କିନ୍ତୁ ସେମିଫାଇନାଲରେ ଆମେ ତାଙ୍କୁ ୩-୨ ଗୋଲ୍‌ରେ ପରାସ୍ତ କରି ବିଦା କରିଥିଲୁ। ଜର୍ମାନି ଦଳର ଖେଳାଳିମାନେ ମ୍ୟାଚ୍‌ ପରେ ଏତେ ହତାଶ ହୋଇ ଯାଇଥିଲେ ଯେ ସେମାନେ ଭାରତୀୟ ଖେଳାଳିଙ୍କ ସହ ହାତ ବି ମିଳାଇ ନଥିଲେ’’।

୨୦୦୫ରେ ଅଷ୍ଟମ କନିଷ୍ଠ ହକି ବିଶ୍ଵକପ୍‌ର ଆୟୋଜନ ହୋଇଥିଲା ନେଦରଲାଣ୍ଡ୍ସରେ। ସେଥର ଭାରତୀୟ ଦଳରେ ଓଡ଼ିଶାର ୱିଲିୟମ ଖାଲ୍‌ଖୋ ଏକମାତ୍ର ଖେଳାଳି ଥିଲେ। ଏହି ଦଳକୁ ଅତ୍ୟନ୍ତ ଶକ୍ତିଶାଳୀ ଓ ଟ୍ରଫି ଜିଣିବା ପାଇଁ ଦାବିଦାର ମନେ କରାଯାଉଥିଲା। କିନ୍ତୁ ଦଳକୁ ଚତୁର୍ଥ ସ୍ଥାନ ମିଳିଥିଲା। ସେକଥା ମନେ ପକାଇ ୱିଲିୟମ ଖରାପ ଅମ୍ପାୟରିଂକୁ ସିଧାସଳଖ ଦୋଷ ଦିଅନ୍ତି। ୨୦୦୯ରେ ମାଲେସିଆ ଓ ସିଙ୍ଗାପୁର ମିଳିତ ଭାବେ ନବମ କନିଷ୍ଠ ବିଶ୍ବକପ୍‌ ହକି ପ୍ରତିଯୋଗିତାର ଆୟୋଜନ କରିଥିଲେ। ଏଇ ଦଳରେ ଓଡ଼ିଶାର ଏପର୍ଯ୍ୟନ୍ତ ସର୍ବାଧିକ ୫ ଜଣ ଖେଳାଳି ସ୍ଥାନ ପାଇଥିଲେ। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା, ମଂଜିତ କୁଲୁ, ଇନସେଣ୍ଟ କୁଲୁ, ଅମରଦୀପ ଏକ୍କା ଓ ବେଲସାଜୋର ହୋରୋ। କିନ୍ତୁ ପ୍ରତିଯୋଗିତାରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ହୋଇଥିଲା। ଭାରତ ନବମ ସ୍ଥାନରେ ଅଭିଯାନ ଶେଷ କରିଥିଲା।

୨୦୧୩ରେ ଦଶମ କନିଷ୍ଠ ବିଶ୍ଵକପ୍‌ ହକି ପ୍ରତିଯୋଗିତାର ଆୟୋଜନ ଦାୟିତ୍ୱ ଭାରତକୁ ମିଳିଥିଲା। ଦିଲ୍ଲୀରେ ଅନୁଷ୍ଠିତ ପ୍ରତିଯୋଗିତାରେ ବର୍ତ୍ତମାନ ବରିଷ୍ଠ ଦଳର ଅଧିନାୟକ ମନପ୍ରୀତ ସିଂହ ଦଳର ମଙ୍ଗ ଧରିଥିଲେ। ଏହି ଦଳରେ ଓଡ଼ିଶାର ୨ ଜଣ ଖେଳାଳି ସ୍ଥାନ ପାଇଥିଲେ। ସେମାନେ ହେଲେ ଅମିତ ରୋହିଦାସ ଏବଂ ଗୋଲ୍‌ରକ୍ଷକ ସୁଶାନ୍ତ ତିର୍କୀ। ତେବେ ଦିଲ୍ଲୀରେ ଭାରତୀୟ ଯୁବ ଦଳର ପ୍ରଦର୍ଶନ ସବୁ ପ୍ରତିଯୋଗିତାର ତୁଳନାରେ ଖରାପ ଥିଲା। ଭାରତ ପାକିସ୍ତାନଠାରୁ ପରାସ୍ତ ହୋଇ ଦଶମ ସ୍ଥାନରେ ରହିଥିଲା। ନିଜ ମାଟି ଉପରେ ଟ୍ରଫି ଜିଣିବାର ସ୍ବପ୍ନ ଭାରତ ଲକ୍ଷ୍ନୈାରେ ୨୦୧୬ରେ ଆୟୋଜିତ ଏକାଦଶ ସଂସ୍କରଣରେ ସାକାର କରିଥିଲା। ହରଜିତ ସିଂହଙ୍କ ନେତୃତ୍ୱରେ ଭାରତ ୧୫ ବର୍ଷ ପରେ ଏହି ବୃହତ ପ୍ରତିଯୋଗିତା ଜିତିଥିଲା। ଏ ବିଜୟ ସହ ଭାରତ ପ୍ରଥମ ଆୟୋଜକ ଦେଶ ଭାବେ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାର ଦୀପସାନ ତିର୍କୀ ରକ୍ଷଣଭାଗରେ ଚମକଦାର ପ୍ରଦର୍ଶନ କରି ଅନେକ ସମୟରେ ଦଳକୁ ସଙ୍କଟରୁ ମୁକୁଳାଇ ଥିଲେ।

ବର୍ତ୍ତମାନରେ ଦେଶର କ୍ରୀଡ଼ା ରାଜଧାନୀ ଭାବେ ଉଭା ହୋଇଥିବା ଭୁବନେଶ୍ୱରର ସୁନ୍ଦର ଓ ଆଧୁନିକ କଳିଙ୍ଗ ଷ୍ଟାଡିୟମ୍‌ କନିଷ୍ଠ ପୁରୁଷ ବିଶ୍ବ କପ ହକି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଏଥର ଭାରତୀୟ ଦଳକୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମରେ ଦର୍ଶକ ନଥିବେ, କିନ୍ତୁ ଟ୍ରଫି ଉପରେ ଭାରତ ତାର କବଜା ବଜାୟ ରଖୁ ଏଥିପାଇଁ ଓଡ଼ିଶାର ତଥା ଦେଶର ସମସ୍ତ ହକିପ୍ରେମୀ ନିଜ ନିଜ ଘ‌ରେ ପ୍ରାର୍ଥନା କରୁଥିବେ। ଓଡ଼ିଶାର ହକିପ୍ରେମୀ ବିଶେଷ କରି ଦଳର ଓଡ଼ିଆ ଖେଳାଳି ଅଭିଷେକ ଲାକ୍ରା, ସୁନୀଲ ଜୋଜୋ ଓ ସୁଦୀପ ଚିରମାକୋଙ୍କଠାରୁ ଉଚ୍ଚମାନର ଖେଳ ପ୍ରଦର୍ଶନ ଆଶା କରିବେ। ଭାରତୀୟ ହକି ଦଳର ପ୍ରାୟୋଜକ ହୋଇଥିବାରୁ ଭୁବନେଶ୍ୱରରେ କ୍ରମାଗତ ଦ୍ଵିତୀୟ ବିଜୟ ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଉପଲବ୍ଧି ଆଣିବ।

ସମ୍ବନ୍ଧିତ ଖବର