ବର୍ଷର ଶ୍ରେଷ୍ଠ ଦିନିକିଆ ଖେଳାଳି ତାଲିକାରେ କେହି ଭାରତୀୟ ନାହାନ୍ତି

ଦୁବାଇ: ତିନି ଦିନ ତଳେ ଆଇସିସି ଘୋଷଣା କରିଥିବା ଚଳିତ ବର୍ଷର ଶ୍ରେଷ୍ଠ ଟେଷ୍ଟ୍‌ କ୍ରିକେଟର୍‌ କାଣ୍ଟ୍‌ଛାଣ୍ଟ୍‌ ତାଲିକାରେ ପୁରୁଖା ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ନାମ ରହିଥିଲା। ହେଲେ ଶୁକ୍ରବାର ୨୦୨୧ର ଶ୍ରେଷ୍ଠ ଦିନିକିଆ କ୍ରିକେଟର୍‌ ପୁରସ୍କାର ପାଇଁ ଆଇସିସି ଘୋଷଣା କରିଥିବା ସଂକ୍ଷିପ୍ତ ତାଲିକାରେ କୌଣସି ଭାରତୀୟଙ୍କୁ ସ୍ଥାନ ମିଳିନି।

ଚଳିତ ବର୍ଷ କୌଣସି ଭାରତୀୟଙ୍କ ପ୍ରଦର୍ଶନ ଦିନିକିଆରେ ସନ୍ତୋଷଜନକ ନଥିବାରୁ ପୁରସ୍କାର ଦୌଡ଼ରେ ସାମିଲ ହୋଇନାହାନ୍ତି ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଏହି ପୁରସ୍କାର ପାଇଁ ଆଇସିସି ମନୋନୀତ କରିଥିବା ୪ ଖେଳାଳିଙ୍କ ମଧ୍ୟରେ ବାଂଲାଦେଶର ସାକିବ ଅଲ୍‌ ହାସନ୍, ପାକିସ୍ତାନ ଅଧିନାୟକ ବାବର ଆଜମ୍, ଦକ୍ଷିଣ ଆଫ୍ରିକାର ଜାନେମନ ମଲାନ ଏବଂ ଆୟର୍ଲାଣ୍ଡ୍‌ର ପଲ୍‌ ଷ୍ଟିର୍ଲିଙ୍ଗ୍‌ ରହିଛନ୍ତି।

ସାକିବ ଅଲ୍‌ ହାସନ
୨୦୧୯ ଜୁଲାଇରେ ଶେଷ ଦିନିକିଆ ଖେଳିବା ପରେ ସାକିବ୍‌ ଦୁଇ ବର୍ଷ ପାଇଁ ବାସନ୍ଦ ହୋଇଥିଲେ। ହେଲେ ୨୦୨୧ରେ ସଫଳ ପ୍ରତ୍ୟାବର୍ତ୍ତନ କରି ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ସେ ୧୧୩ ରନ୍‌ ଏବଂ ୬ ୱିକେଟ୍‌ ଦଖଲ କରିଥିଲା ବେଳେ ବାଂଲାଦେଶ ୩-୦ରେ ଶୃଙ୍ଖଳା ପୋଛି ନେଇଥିଲା। ପୁଣି ଜିମ୍ବାୱେ ବିପକ୍ଷ ୩ ମ୍ୟାଚ୍‌ ଶୃଙ୍ଖଳାରେ ସେ ୮ ୱିକେଟ୍‌ ଅକ୍ତିଆର କରିଥିଲା ବେଳେ ୧୪୫ ରନ୍‌ କରି ପୁନର୍ବାର ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମୋଟ ଉପରେ ୨୦୨୧ରେ ୯ ମ୍ୟାଚ୍‌ ଖେଳି ୨୭୭ ରନ୍‌ କରିବା ବ୍ୟତୀତ ୧୭ ୱିକେଟ୍‌ ଦଖଲ କରିଥିଲେ।

ବାବର ଆଜମ୍‌
ଏହି ପାକ୍‌ ଅଧିନାୟକ ୨୦୨୧ରେ ୬ ଦିନିକିଆ ଖେଳି ୪୦୫ ରନ୍‌ କରିଥିଲେ। ଏଥିରେ ୨ ଶତକ ସାମିଲ ଥିଲା ବେଳେ ତାଙ୍କ ହାରାହାରି ଥିଲା ୬୭.୫୦। ଦକ୍ଷିଣ ଆଫ୍ରିକା ବିପକ୍ଷ ଦଳର ଦୁଇଟି ବିଜୟରେ ସେ ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶୃଙ୍ଖଳାରେ ସେ ୨୨୮ ରନ୍‌ କରିଥିଲେ। ପୁଣି ଇଂଲଣ୍ଡଠୁ ୦-୩ରେ ପାକିସ୍ତାନ ଶୃଙ୍ଖଳା ହାରିଥିଲେ ମଧ୍ୟ ବାବର ଏକାକି ଚମକ ଛାଡ଼ିଥିଲେ। ସେ ୩ ମ୍ୟାଚ୍‌ରେ ୧୭୭ ରନ୍ କରିଥିଲେ।

ଜାନେମନ ମଲାନ
୨୦୨୦ ଫେବ୍ରୁଆରିରେ ଦକ୍ଷିଣ ଆଫ୍ରିକା ପାଇଁ ପଦାର୍ପଣ କରିଥିବା ମଲାନ ଦିନିକିଆରେ ଦଳ ପାଇଁ ଖୁବ୍‌ଶୀଘ୍ର ଗୁରୁତ୍ବପୂର୍ଣ୍ଣ ଅଂଙ୍ଗ ପାଲଟିଯାଇଥିଲେ। ପାକିସ୍ତାନ ବିପକ୍ଷରେ ହାସଲ କରିଥିବା ଆକର୍ଷଣୀୟ ୭୦ ରନ୍‌ ତାଙ୍କ ପାଇଁ ବର୍ଷର ସ୍ମରଣୀୟ ରହିଥିଲା। ଆୟର୍ଲାଣ୍ଡ୍‌ ବିପକ୍ଷରେ ସେ ବିପଦ୍‌ଜନକ ସାଜିଥିଲେ। ୨ ମ୍ୟାଚ୍‌ରୁ ୨୬୧ ରନ୍‌ କରିଥିଲା ବେଳେ ଦ୍ବିତୀୟ ଦିନିକିଆରେ ୧୭୭ ରନ୍‌ର ପାଳି ତାଙ୍କୁ ବର୍ଷର ଶ୍ରେଷ୍ଠ ପୁରସ୍କାର ପାଇଁ ଦାବିଦାର କରିଥିଲା। ସେ ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ କଲମ୍ବୋ ପିଚ୍‌ରେ ଚମତ୍କାର ଶତକ ଜମାଇଥିଲେ। ୨୦୨୧ରେ ମୋଟ ୫୦୯ ରନ୍‌ ସଂଗ୍ରହ କରି ମଲାନ ଦିନିକିଆରେ ଦ୍ବିତୀୟ ସର୍ବୋଚ୍ଚ ରନ୍‌ ସ୍କୋରର୍‌ ରହିଥିଲେ।

ପଲ୍‌ ଷ୍ଟିର୍ଲିଂ
ତାରକା ଆୟର୍ଲାଣ୍ଡ ଓପ୍‌ନର ତଥା ଉପଅଧିନାୟକ ଷ୍ଟିର୍ଲିଂ ଲମ୍ବା ସମୟ ଧରି ଦଳ ପାଇଁ ପ୍ରତିନିଧିତ୍ବ କରିଥିଲେ ମଧ୍ୟ ୨୦୨୧ ତାଙ୍କ ପାଇଁ ସ୍ମରଣୀୟ ରହିବ। ଆୟର୍ଲାଣ୍ଡ୍‌ ଅଧିକାଂଶ ମ୍ୟାଚ୍‌ ଜିତିବାରେ ସମର୍ଥ ହୋଇନଥିଲେ ମଧ୍ୟ ଷ୍ଟିର୍ଲିଂଙ୍କ ବ୍ୟାଟ୍‌ କଥା କହିଥିଲା। ସେ ୧୪ ମ୍ୟାଚ୍‌ ଖେଳି ୭୦୫ ରନ୍‌ ସଂଗ୍ରହ କରିବା ସହିତ ୨୦୨୧ରେ ସର୍ବୋଚ୍ଚ ରନ୍‌ ସ୍କୋରର୍‌ ରହିଥିଲେ। ଆଫ୍‌ଗାନିସ୍ତାନ ବିପକ୍ଷ ତାଙ୍କ ପ୍ରଦର୍ଶନ ଚମତ୍କାର ରହିଥିଲା। ଯେଉଁଥିରେ ୩ ମ୍ୟାଚ୍‌ରୁ ସେ ୨ଟି ଶତକ ହାସଲ କରିଥିଲେ।

ସମ୍ବନ୍ଧିତ ଖବର