ଆଜି ପହଞ୍ଚିବ ବେଙ୍ଗାଲୁରୁ

ଭୁବନେଶ୍ୱର: ରବିବାରର କଳିଙ୍ଗ ଷ୍ଟାଡିୟମ୍‌ ମ୍ୟାଚ୍‌ ଲାଗି ଶୁକ୍ରବାର ସଂଧ୍ୟାରେ ବେଙ୍ଗାଲୁରୁ ଏଫସି ଭୁବନେଶ୍ୱର ପହଞ୍ଚିବାର ଅଛି। ଅଧିନାୟକ ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଏହି ଦଳ ଭୁବନେଶ୍ୱର ପହଞ୍ଚିବା ପରେ ପରଦିନ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ବେଙ୍ଗାଲୁରୁ ସଂପ୍ରତି ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହିଛି। ଏହି ଦଳ ମଧ୍ୟ ପ୍ରଥମ ଦଳ ଭାବେ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଛି। ସେଥିପାଇଁ ରବିବାର ମ୍ୟାଚ୍‌ ଏହି ଦଳ ଅପେକ୍ଷା ଜାମସେଦପୁର ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ। ଦଳ: ସୁନୀଲ ଛେତ୍ରୀ (ଅଧିନାୟକ), ଅଭ୍ର ମଣ୍ଡଳ, ଗୁରୁପ୍ରୀତ ସିଂହ, ଲାଲଥୁଆମାଓ୍ଵିଆ ରାଲଟେ, ବୋଇଥାଙ୍ଗ ହାଓପିକ୍‌, କଲିନ୍‌ ଆବ୍ରାଞ୍ଚେସ୍‌, ହରମନଜ୍ୟୋତ ଖବ୍ରା, ଜନ୍‌ ଜନସନ୍‌, ଜୁଆନ୍‌, ନିଶୁ କୁମାର, ରାହୁଲ ଭିକେ, ସୁଭାଶିଷ ବୋଷ୍‌, ଅଲଓ୍ଵିନ୍‌ ଜର୍ଜ, ଟୋନି ଦୋଭାଲେ, ଡାନିଏଲ୍‌ ସେଗୋଭିଆ, ଦିମାସ ଦେଲଗାଡୋ, ଏଡୁ ଗର୍ସିଆ, ଏରିକ୍‌ ପାର୍ତାଲୁ, ଲେନି ରୋଡ୍ରିଗେ୍ଵଜ୍‌, ମାଲସମଜୁଆଲା, ଜୋମିଙ୍ଗଲିଆନା ରାଲଟେ, ଡାନିଏଲ୍‌ ଲାଲହିମପୁଇଆ, ମିକୁ, ସେମ୍ବୋଇ ହାଓକିପ୍‌, ଉଦନ୍ତା ସିଂହ। ଆଲବର୍ଟ ରୋକା (ମୁଖ୍ୟ ପ୍ରଶିକ୍ଷକ)।

ଜାମସେଦପୁର ନେଲା ବିଶ୍ରାମ

କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳା ଯିବାକୁ ଥିବା ବେଙ୍ଗାଲୁରୁ ଏଫସି ମ୍ୟାଚ୍‌ ଲାଗି ମଙ୍ଗଳବାରଠାରୁ ଅଭ୍ୟାସ କରୁଥିବା ଘରୋଇ ଦଳ ଜାମସେଦପୁର ଏଫସି ଗୁରୁବାର ଅଭ୍ୟାସ କରି ନଥିଲା। ଲଗାତାର ଦୁଇ ଦିନ ଅଭ୍ୟାସ କରିବା ପରେ ଗୁରୁବାର ଦଳୀୟ ଖେଳାଳିଙ୍କୁ ପ୍ରଶିକ୍ଷକ ବିଶ୍ରାମ ନେବାକୁ ଅନୁମତି ଦେଇଥିଲେ। ଖେଳାଳିମାନେ ବୁଲାବୁଲି ଏବଂ ଇନ୍‌ଡୋର ଅଭ୍ୟାସ କରି ସମୟ କଟାଇଥିଲେ। ଶୁକ୍ରବାର ଦଳ ପୁଣି ଥରେ ତା’ର ଅଭ୍ୟାସ ଆରମ୍ଭ କରିବାର ସମ୍ଭାବନା ରହିଛି। ଜାମସେଦପୁରର ରକ୍ଷଣଭାଗ ବେଶ୍‌ ସୁଦୃଢ଼ ହୋଇଥିଲା ବେଳେ ରବିବାର ମୁକାବିଲାରେ କିନ୍ତୁ ଏହି ଦଳ ଆକ୍ରମଣ ଉପରେ ଅଧିକ ଧ୍ୟାନ ଦେବ ବୋଲି ସଙ୍କେତ ଦେଇଛି। ସେଥିପାଇଁ ପ୍ରଥମ ଦୁଇ ଦିନର ଅଭ୍ୟାସରେ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଭ୍‌ ପୋଲେଲ ଗୋଲପୋଷ୍ଟକୁ ଟର୍ଗେଟ୍‌ ଉପରେ ଅଧିକ ଧ୍ୟାନ ଦେଇଥିଲେ। ଶୁକ୍ରବାର ଏବଂ ଶନିବାର ସେ ଦଳୀୟ ରଣନୀତିକୁ ଚୂଡ଼ାନ୍ତ କରିବାର ସମ୍ଭାବନା ରହିଛି।

ଜାମସେଦପୁରକୁ ଯେତେ ସମର୍ଥନ ମିଳିବ ସେତେ ଭଲ

ବେଙ୍ଗାଲୁରୁ ଏଫସି ପ୍ଲେ ଅଫ୍‌ରେ ପ୍ରବେଶ କରି ସାରିଛି। ସେଥିପାଇଁ ଏହି ଦଳ ରକ୍ଷଣାତ୍ମକ ଖେଳ ଖେଳିବ। ବିଜୟ ଅପେକ୍ଷା ପରାଜୟ ରୋକିବା ଉପରେ ବେଙ୍ଗାଲୁରୁ ଅଧିକ ଧ୍ୟାନ ଦେବ। ଅନ୍ୟ ପକ୍ଷରେ ଜାମସେଦପୁର ଏଫ୍‌ସି ରବିବାର କର ବା ମର ସ୍ଥିତିରେ ରହିବ। ପ୍ଲେ ଅଫ୍‌ ପ୍ରବେଶ ପାଇଁ ବିଜୟ ଏକମାତ୍ର ବିକଳ୍ପ ହୋଇଥିବାରୁ ଏହି ଦଳ ଆକ୍ରମଣ ଉପରେ ଅଧିକ ଜୋର ଦେବ। ଦୁଇ ଦଳର ପ୍ରଶିକ୍ଷକ ୟୁରୋପୀୟ ହୋଇଥିବାରୁ ପଡ଼ିଆ ଭିତର ଅପେକ୍ଷା ବାହାରର ରଣନୀତି ହିଁ ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ହେବ। ଜାମସେଦପୁର ପ୍ରଶିକ୍ଷକ ଷ୍ଟିଭ୍‌ ପୋଲେଲ ମାଞ୍ଚେଷ୍ଟର ସିଟି ଦଳର ସହାୟକ ପ୍ରଶିକ୍ଷକ ଥିଲେ। ସେପଟେ ବେଙ୍ଗାଲୁରୁ ପ୍ରଶିକ୍ଷକ ଆଲବର୍ଟ ରୋକା ବାର୍ସେଲୋନା ଦଳର ସହାୟକ ପ୍ରଶିକ୍ଷକ ଦାୟିତ୍ୱରେ ରହି ସାରିଛନ୍ତି। ଏଣୁ ଏହି ଦୁଇ ଜଣଙ୍କ ରଣନୀତି ହିଁ ବିଜୟର ପ୍ରମୁଖ ଅସ୍ତ୍ର ହେବ। ଓଡ଼ିଶାର ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ପ୍ରଫୁଲ୍ଲ କୁମାର ମିଶ୍ର ରବିବାରର ପ୍ରତୀକ୍ଷିତ ମ୍ୟାଚ୍‌କୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି। ଜାମସେଦପୁର ଦଳର ସଫଳତା ଗୋଲ୍‌ ରକ୍ଷକ ସୁବ୍ରତ ପଲ୍‌, ତିରି ଏବଂ ମେହତାବ ହୁସେନଙ୍କ ଭଳି ଖେଳାଳିଙ୍କ ଉପରେ ନିର୍ଭର କରିବ ବୋଲି ଶ୍ରୀ ମିଶ୍ର ଆକଳନ କରିଛନ୍ତି। ସେହିଭଳି ରବିବାର ସ୍ଥାନୀୟ ଦର୍ଶକ ଏକ ଭଲ ଏବଂ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ପାଇବେ। ଉଭୟ ଦଳରେ କୌଣସି ଓଡ଼ିଆ ଖେଳାଳି ନଥିଲେ ମଧ୍ୟ ଓଡ଼ିଶା ଫୁଟ୍‌ବଲ୍‌ ଉପରେ ଏହି ମ୍ୟାଚ୍‌ ସକାରାତ୍ମକ ପ୍ରଭାବ ପକାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସେହିଭଳି ଷ୍ଟାଡିୟମ୍‌ ଯାଇ ଜାମସେଦପୁରକୁ ଯଥା ସମ୍ଭବ ସମର୍ଥନ ହେବାକୁ ଶ୍ରୀ ମିଶ୍ର ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କୁ ଆହ୍ଵାନ କରିଛନ୍ତି। ସେ କହିଛନ୍ତି ଜାମସେଦପୁର କଳିଙ୍ଗ ଷ୍ଟାଡିୟକୁ ପ୍ରଥମ ଥର ଘରୋଇ ପଡ଼ିଆ କରିଛି। ଅଧିକ ସମର୍ଥନ ମିଳିଲେ ଏହି ଦଳ ଆସନ୍ତାବର୍ଷ ଏଠାରେ ଅଧିକ ମ୍ୟାଚ୍‌ ଖେଳିପାରେ। ସେଥିପାଇଁ ରବିବାର ଷ୍ଟାଡିୟମ୍‌ କୌଣସି ସିଟ୍‌ ଖାଲି ନପଡ଼ିଲେ ଭଲ। ଶ୍ରୀ ମିଶ୍ର ମଧ୍ୟ ଏଭଳି ଏକ ମ୍ୟାଚ୍‌ ଓଡ଼ିଶା ଆଣିଥିବାରୁ ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ଟାଟା ଷ୍ଟିଲ୍‌କୁ ସାଧୁବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର