ଆଜି ଭାରତ-ଜାପାନ ସେମିଫାଇନାଲ୍‌

ମସ୍କଟ୍‌ (ଓମାନ୍‌): ଚଳିତ ଏସୀୟ ଚାମ୍ପିଅନ୍‌ସ ଟ୍ରଫି ହକି ପ୍ରତିଯୋଗିତାରେ ପୂର୍ବ ବି‌େଜତା ଭାରତ ଏବଂ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଜାପାନ ମଧ୍ୟରେ ଆସନ୍ତାକାଲି ସେମିଫାଇନାଲ୍‌ ମୁକାବିଲା ହେବ। ରାଉଣ୍ଡ୍‌ ରବିନ୍‌ ପର୍ଯ୍ୟାୟରେ ଜାପାନକୁ ୯-୦ ଗୋଲ୍‌ରେ ପରାସ୍ତ କରିଥିବାରୁ ସେମିଫାଇନାଲ୍‌ରେ ଭାରତ ସେହି ସଫଳତା ଦୋହରାଇ ଫାଇନାଲ୍‌ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ରାଉଣ୍ଡ୍‌ ରବିନ୍‌ ପର୍ଯ୍ୟାୟ ପରାଜୟର ପ୍ରତିଶୋଧ ସହ ଫାଇନାଲ୍‌ ପ୍ରବେଶ ପାଇଁ ଜାପାନ ନିଶ୍ଚୟ ପ୍ରୟାସ କରିବ। ଭୁବନେଶ୍ବରରେ ଆସନ୍ତାମାସରେ ଆୟୋଜିତ ବିଶ୍ବକପ୍‌ ପୂର୍ବରୁ ଏହା ଶେଷ ପ୍ରତିଯୋଗିତା ଥିବାରୁ ଭାରତ ବିଜେତା ହେବା ସହ ଏସୀୟ କ୍ରୀଡ଼ାର ନୈରାଶ୍ୟଜନକ କାଂସ୍ୟ ପଦକ ପାଇଁ ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ଆପ୍ରାଣ ଉଦ୍ୟମ କରିବ। ଅନ୍ୟପକ୍ଷରେ ଏଠା‌େର ସେମିଫାଇନାଲ୍‌ ପ୍ରବେଶକରିଥିବା ୪ ଦଳ ମଧ୍ୟରୁ ଏକମାତ୍ର ଜାପାନ ବିଶ୍ବକପ୍‌କୁ ଯୋଗ୍ୟତା ହାସଲ କରିନାହିଁ। ତଥାପି ଶନିବାର ସେମିଫାଇନାଲ୍‌ ଭାରତ ପାଇଁ ଏକ ଭିନ୍ନ ମ୍ୟାଚ୍‌ ହେବ। ମୋ ଖେଳାଳିମାନେ ନିଜ ନିଜର ଭାବପ୍ରବଣତାକୁ ନିୟଂତ୍ରଣରେ ରଖି ଆକ୍ରମଣାତ୍ମକ ହକି ଖେଳିବେ ବୋଲି ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଛନ୍ତି। ଅନ୍ୟପକ୍ଷରେ ଭାରତକୁ ପରାସ୍ତ କରିବାର ଦୃଢ଼ ଆଶା ବାନ୍ଧିଛନ୍ତି ଜାପାନ ପ୍ରଶିକ୍ଷକ ସିଗ୍‌ଫ୍ରେଡ୍‌ ଆଇକ୍‌ମାନ୍‌। ଲିଗ୍‌ ପର୍ଯ୍ୟାୟରେ ଭାରତଠୁ ହାରିବା ଏବେ ଅତୀତ ହୋଇଯାଇଛି। କିନ୍ତୁ ସେମିଫାଇନାଲ୍‌ରେ ଆମେ ଆତ୍ମବିଶ୍ବାସ ଫେରିପାଇବୁ ଏବଂ ନିଶ୍ଚୟ ଜିତିବୁ ବୋଲି ସିଗ୍‌ଫ୍ରେଡ୍‌ କହିଛନ୍ତି। ସେମିଫାଇନାଲ୍‌ ମ୍ୟାଚ୍‌ ଷ୍ଟାର୍‌ ସ୍ପୋର୍ଟସ୍‌-୨, ଷ୍ଟାର୍‌ ସ୍ପୋର୍ଟସ୍‌ ଏଚ୍‌ଡି ଏବଂ ହଟ୍‌ଷ୍ଟାର୍‌ରେ ସିଧା ପ୍ରସାରିତ ହେବ। ଭାରତ-ଜାପାନ ମ୍ୟାଚ୍‌ ରାତି ୧୦.୪୦ରେ ଖେଳାଯିବ। ପ୍ରତିଯୋଗିତାର ଫାଇନାଲ୍‌ ରବିବାର ଖେଳାଯିବ।

ଭାରତୀୟ ଦଳ ଚଳିତ ପ୍ରତିଯୋଗିତାରେ ଏକମାତ୍ର ଦଳ ଯିଏକି ଅପରାଜେୟ ରହିଛି। ରାଉଣ୍ଡ୍‌ ରବିନ୍‌ ପର୍ଯ୍ୟାୟରେ ଆୟୋଜକ ଓମାନ୍‌କୁ ୧୧-୦ ଗୋଲ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିବା ଭାରତ ପରେ ପରେ ଜାପାନକୁ ୯-୦, ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୩-୧ ଏବଂ କୋରିଆକୁ ୪-୧ରେ ପରାସ୍ତ କରିଥିଲା ବେଳେ ଚତୁର୍ଥ ମ୍ୟାଚ୍‌କୁ ମାଲେସିଆ ସହ ଗୋଲ୍‌ଶୂନ୍ୟ ଭାବେ ଅମୀମାଂସିତ ରଖିଥିଲା। ଫଳରେ ସେମିଫାଇନାଲ୍‌ ପୂର୍ବରୁ ଭାରତ ମୋଟ ୫ ମ୍ୟାଚ୍‌ରେ ୨୭ ଗୋଲ୍‌ ଦେଇଥିଲା ବେଳେ ମାତ୍ର ୨ ଗୋଲ୍‌ ବରଣ କରିଥିଲା। ଏଥି ସହିତ ଭାରତ ମଧ୍ୟ ରାଉଣ୍ଡ୍‌ ରବିନ୍‌ ପର୍ଯ୍ୟାୟରେ ସର୍ବାଧିକ ୧୩ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନ ଅକ୍ତିଆର କରି ସେମିଫାଇନାଲ୍‌ ପ୍ରବେଶ କରିଥିଲା। ଅନ୍ୟପକ୍ଷ୍ୟରେ ଜାପାନ ୫ ମ୍ୟାଚ୍‌ରୁ ୨ ଲେଖାଏଁ ବିଜୟ ଓ ପରାଜୟ ସାଙ୍ଗକୁ ଗୋଟିଏ ଅମୀମାଂସିତ ବଳରେ ୭ ପଏଣ୍ଟ୍‌ ପାଇଁ ଚତୁର୍ଥ ତଥା ଶେଷ ଦଳ ଭାବେ ସେମିଫାଇନାଲ୍‌ ପହଞ୍ଚିଛି। ଜାପାନ ୨-୦ରେ କୋରିଆ ଓ ୫-୦ରେ ଓମାନ୍‌କୁ ହରାଇଥିଲା ବେଳେ ଭାରତଠୁ ୦-୯ ଓ ମାଲେସିଆଠୁ ୦-୩ରେ ହାରିଯାଇଥିଲା। ପାକିସ୍ତାନ ସହ ୧-୧ ଗୋଲ୍‌ରେ ମ୍ୟାଚ୍‌ ଅମୀମାଂସିତ ରଖିଥିଲା। ଚଳିତ ଏସୀୟ ଚାମ୍ପିଅନ୍‌ସ ଟ୍ରଫିର ଶନିବାର ଅନ୍ୟ ସେମିଫାଇନାଲ୍‌ ପାକିସ୍ତାନ ଓ ମାଲେସିଆ ମଧ୍ୟରେ ଖେଳାଯିବ। ଉଭୟ ଦଳ ଲିଗ୍‌ ପର୍ଯ୍ୟାୟ ଶେଷରେ ସମାନ ୧୦ ପଏଣ୍ଟ୍‌ ଲେଖାଏଁ ପାଇଥିଲେ ମଧ୍ୟ ପାକିସ୍ତାନ ଦ୍ବିତୀୟ ଓ ମାଲେସିଆ ତୃତୀୟ ସ୍ଥାନ ସହ ସେମିଫାଇନାଲ୍‌ ପ୍ରବେଶ କରିଛନ୍ତି। ଉଭୟ ଦଳ ୩ ଲେଖାଏଁ ବିଜୟ, ଗୋଟିଏ ଲେଖାଏଁ ପରାଜୟ ଓ ଅମୀମାଂସିତ ପାଇଥିଲା ବେଳେ ଉନ୍ନତ ଗୋଲ୍‌ ବ୍ୟବଧାନରେ ପାକିସ୍ତାନ (୮) ମାଲେସିଆ (୬)କୁ ପଛରେ ପାକାଇଥିଲା। ପାକିସ୍ତାନ ୫ ମ୍ୟାଚ୍‌ରୁ ମୋଟ ୧୪ ଗୋଲ୍‌ ଦେଇଥିଲା ବେଳେ ୬ ବରଣ କରିଥିଲା। ମାଲେସିଆ କିନ୍ତୁ ୧୦ ଗୋଲ୍‌ ଦେଇଥିଲା ବେଳେ ୪ ବରଣ କରିଥିଲା।

ସମ୍ବନ୍ଧିତ ଖବର