ଟ୍ବେଣ୍ଟି-୨୦ ଶୃଙ୍ଖଳା: ଅଷ୍ଟ୍ରେଲିଆକୁ ହରାଇଲେ ହେଟମେୟର, ୱେଷ୍ଟଇଣ୍ଡିଜ୍ ୨-୦ରେ ଆଗୁଆ

ସେଣ୍ଟ ଲୁସିଆ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଘରୋଇ ୱେଷ୍ଟଇଣ୍ଡିଜ୍ ଦଳ ୫୬ ରନ୍‌ରେ ଜିତିନେଇଛି। ତା’ ସହ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଯାଇଛି। ଏହା ପୂର୍ବରୁ ଖେଳାଯାଇଥିବା ଶୃଙ୍ଖଳାର ଉଦ୍‌ଘାଟନୀ ତଥା ପ୍ରଥମ ମୁକାବିଲାକୁ ୱେଷ୍ଟଇଣ୍ଡିଜ୍ ୧୮ ରନ୍‌ରେ ଜିତି ନେଇଥିଲା। ଶନିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ସିମରନ୍ ହେଟମେୟର (୬୧ ରନ୍, ୩୬ ବଲ୍, ୨ ଚୌକା, ୪ ଛକା)ଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୬ ରନ୍ ସଂଗ୍ରହ କରିନେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡ୍ବେନ୍ ବ୍ରାଭୋ ୪୭* (୩୪ ବଲ୍, ୧ ଚୌକା, ୩ ଛକା) ଏବଂ ଆନ୍ଦ୍ରେ ରସେଲ ୨୪* (୮ ବଲ୍, ୨ ଚୌକା, ୨ ଛକା) ଦ୍ରୁତ ରନ୍‌ କରିଥିଲେ। ସେହିଭଳି ଶୀର୍ଷକ୍ରମରେ ଲେଣ୍ଡଲ ସିମନ୍ସ ୨୧ ବଲ୍‌ରୁ ୩୦ ରନ୍ କରିଥିଲେ।

ଏହାର ଜବାବରେ ଅଷ୍ଟ୍ରେଲିଆ ଲଗାତାର ଦ୍ବିତୀୟ ମ୍ୟାଚ୍‌ରେ ପୂରା ୨୦ ଓଭର ଖେଳିନପାରି କ୍ରମାଗତ ପରାଜୟ ବରଣ କରିଥିଲା। ଶୀର୍ଷ ଓ ନିମ୍ନକ୍ରମ ବ୍ୟାଟିଂ ସଂପୂର୍ଣ୍ଣ ବିଫଳ ହେବା ପରେ କଙ୍ଗାରୁ ଦଳ ୧୯.୨ ଓଭରରେ ସମସ୍ତ ୱି‌କେଟ୍ ହରାଇ ମାତ୍ର ୧୪୦ ରନ୍ କରିପାରିଥିଲା। ଟସ୍ ଜିତି ୱେଷ୍ଟଇଣ୍ଡିଜ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ଭ୍ରମଣକାରୀ ଦଳ ପାଇଁ ପୁଣି ଥରେ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ହେଡେନ୍ ୱାଲ୍ସ ସର୍ବାଧିକ ୩ ଏବଂ ସେଲଡନ୍ କୋଟ୍ରେଲ ୨ ୱିକେଟ୍ କରାୟତ କରିଥିଲେ। ଶୃଙ୍ଖଳାର ତୃତୀୟ ମୁକାବିଲା ମଙ୍ଗଳବାର ଖେଳାଯିବ।

ସମ୍ବନ୍ଧିତ ଖବର