ସେରେନା, ହାଲେପ, ଓସାକାଙ୍କ ବିଜୟ ଜାରି

ମେଲ୍‌ବର୍ଣ୍ଣ : ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ପ୍ରତିଯୋଗିତାରେ ୨୩ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ସେରେନା ୱିଲିୟମ୍ସ, ଦ୍ବିତୀୟ ମାନ୍ୟତାପ୍ରାପ୍ତ ସିମୋନା ହାଲେପ ଏବଂ ତୃତୀୟ ମାନ୍ୟତାପ୍ରାପ୍ତ ନାଓମି ଓସାକା ବିଜୟ ଧାରା ଜାରି ରଖି ମହିଳା ଏକକ ଚତୁର୍ଥ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଶୁକ୍ରବାର ତୃତୀୟ ପର୍ଯ୍ୟାୟ ମୁକାବିଲାରେ ଦଶମ ମାନ୍ୟତାପ୍ରାପ୍ତ ଆମେରିକାର ସେରେନା ୭-୬, ୬-୨ ସିଧାସଳଖ ସେଟ୍‌ରେ ରୁଷିଆର ଆନାସ୍ତେସିଆ ପୋଟାପୋଭାଙ୍କୁ, ୨ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ରୋମାନିଆର ହାଲେପ ସିଧାସଳଖ ୬-୧, ୬-୩ ସେଟ୍‌ରେ ୩୨ ମାନ୍ୟତାପ୍ରାପ୍ତ ରୁଷିଆର ଭେରୋନିକା କୁଦରମେତୋଭାଙ୍କୁ ଏବଂ ୩ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ଜାପାନ୍‌ର ଓସାକା ୬-୩, ୬-୨ ସିଧାସଳଖ ସେଟ୍‌ରେ ୨୮ ମାନ୍ୟତାପ୍ରାପ୍ତ ତୁନିସିଆର ଓନ୍ସ ଜାବେରଙ୍କୁ ପରାସ୍ତ କରିଥିଲେ। ଚତୁର୍ଥ ପର୍ଯ୍ୟାୟରେ ସେରେନା ସପ୍ତମ ମାନ୍ୟତାପ୍ରାପ୍ତ ବେଲାରୁଷର ଆରିନା ସାବଲେଙ୍କାଙ୍କୁ, ହାଲେପ ଫ୍ରେଞ୍ଚ ଓପନ୍‌ ବିଜୟିନୀ ଇଗା‌ ସ୍ବିତେକଙ୍କୁ ଏବଂ ଓସାକା ୧୪ ମାନ୍ୟତାପ୍ରାପ୍ତ ସ୍ପେନ୍‌ର ଗାର୍ବିନେ ମୁଗୁରୁଜାଙ୍କୁ ଭେଟିବେ। ସାବଲେଙ୍କା ୬-୩, ୬-୧ ସେଟ୍‌ରେ ଆମେରିକାର ଆନ୍‌ ଲି’ଙ୍କୁ, ୧୫ ମାନ୍ୟତାପ୍ରାପ୍ତ ସ୍ବିତେକ ୬-୪, ୬-୩ ସେଟ୍‌ରେ ଫ୍ରାନ୍ସର ଫିଆନୋ ଫେରୋଙ୍କୁ ଏବଂ ଗତଥରର ଫାଇନାଲିଷ୍ଟ ମୁଗୁରୁଜା ୬-୧, ୬-୧ ସେଟ୍‌ରେ କାଜାକସ୍ତାନର ଜାରିନା ଦିଆସଙ୍କୁ ହରାଇଥିଲେ।

ବର୍ତ୍ତିଲେ ଜୋକୋଭିକ, ଥିମ୍‌: ସ୍ବର୍ଜମାନ, ସାପୋଭା‌ଲୋଭ ବିଦା

ଶୀର୍ଷ ମାନ୍ୟତାପ୍ରାପ୍ତ ପୁରୁଷ ତାରକା ନୋଭାକ ଜୋକୋଭିକ ଓ ଡୋମିନିକ ଥିମ୍‌ (ତୃତୀୟ) ପରାଜୟରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶୁକ୍ରବାର ପୁରୁଷ ଏକକ ତୃତୀୟ ପର୍ଯ୍ୟାୟ‌ ମୁକାବିଲାରେ ବିଜୟ ଲାଗି ଉଭୟଙ୍କୁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ୟୁଏସ୍‌ ଓପନ୍‌ ବିଜେତା ଏବଂ ‌ଅଷ୍ଟ୍ରେଲିଆନ୍‌ ଓପନ୍‌ ଉପବିଜେତା ଅଷ୍ଟ୍ରିଆର ଥିମ୍‌ ୩ ଘଣ୍ଟା ୨୧ ମିନିଟ୍‌ ସଂଘର୍ଷ କରିବା ପରେ ସ୍ଥାନୀୟ ଖେଳାଳି ନିକ୍‌ କିର୍ଗିସଙ୍କୁ ୪-୬, ୪-୬, ୬-୩, ୬-୪, ୬-୪ ସେଟ୍‌ରେ ହରାଇ ଚତୁର୍ଥ ପର୍ଯ୍ୟାୟରେ ପ୍ରବେଶ କରିଥିଲେ। ସେହିପରି ବିଜେତା ସର୍ବିଆର ଜୋକୋଭିକ ୭-୬, ୬-୪, ୩-୬, ୪-୬, ୬-୨ ସେଟ୍‌ରେ ୨୭ ମାନ୍ୟତାପ୍ରାପ୍ତ ଆମେରିକାର ଟେଲର ଫ୍ରିଜ୍‌ଙ୍କୁ ମାତ୍‌ ଦେଇଥିଲେ। ଏହି ମ୍ୟାଚ୍‌ ଜିତିବାକୁ ୧୭ ଗ୍ରାଣ୍ଡ ସ୍ଲମ୍‌ ବିଜେତା ଜୋକୋଭିକଙ୍କୁ ୩ ଘଣ୍ଟା ୨୫ ମିନିଟ୍‌ ଲାଗିଥିଲା। ଚତୁର୍ଥ ପର୍ଯ୍ୟାୟରେ ଥିମ୍‌ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ଗ୍ରିଗୋରି ଦିମିତ୍ରୋଭଙ୍କୁ ଏବଂ ଜୋକୋଭିକ ୧୪ ମାନ୍ୟତାପ୍ରାପ୍ତ ମିଲୋସ ରାଓନିକଙ୍କୁ ଭେଟିବେ। ପଞ୍ଚଦଶ ମାନ୍ୟତାପ୍ରାପ୍ତ ସ୍ପେନ୍‌ର ପାବ୍‌ଲୋ କାରେନୋ ବୁ‌ଷ୍ଟା ଓହରିଯିବାରୁ ବୁଲଗେରିଆର ଦିମିତ୍ରୋଭ ଚତୁର୍ଥ ପର୍ଯ୍ୟାୟ ସ୍ଥାନ ପକ୍କା କରିଥିଲେ। କାନାଡ଼ାର ରାଓନିକ ୭-୬, ୫-୭, ୬-୨, ୬-୨ ସେଟ୍‌ରେ ହଙ୍ଗେରିର ମାର୍ଟନ ଫୁକ୍‌‌ସୋଭିକ୍ସଙ୍କୁ ହରାଇଥିଲେ। ସେହିପରି ଷଷ୍ଠ ମାନ୍ୟତାପ୍ରାପ୍ତ ଜର୍ମାନିର ଆଲେକ୍‌ଜାଣ୍ଡର ଭେରଭ ୬-୩, ୬-୩, ୬-୧ ସେଟ୍‌ରେ ଫ୍ରାନ୍ସର ଆଦ୍ରିଆନ୍‌ ମାନାରିନୋଙ୍କୁ ହରାଇ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ସେ ୨୩ ମାନ୍ୟତାପ୍ରାପ୍ତ ଦୁସାନ ଲାଜୋଭିକଙ୍କୁ‌ ଭେଟିବେ। ସର୍ବିଆର ଲାଜୋଭିକ ୬-୭, ୭-୫, ୬-୧, ୬-୪ ସେଟ୍‌ରେ ସ୍ପେନ୍‌ର ପେଡ୍ରୋ ମାର୍ଟିଞ୍ଜଙ୍କୁ ପରାସ୍ତ କରିଥିଲେ। ତେବେ ଅଷ୍ଟମ ମାନ୍ୟତାପ୍ରାପ୍ତ ଡିଏଗୋ ସ୍ବର୍ଜମାନ୍‌ ଏବଂ ଏକାଦଶ ମାନ୍ୟତାପ୍ରାପ୍ତ ଡେନିସ ସାପୋଭାଲୋଭଙ୍କ ଅଭିଯାନ ଶେଷ ହୋଇଛି। ରୁଷିଆର ଆସଲାନ କାରାତ୍ସେଭ ୬-୩, ୬-୩, ୬-୩ ସେଟ୍‌ରେ ଆର୍ଜେଣ୍ଟିନାର ସ୍ବର୍ଜମାନଙ୍କୁ ଏବଂ କାନାଡ଼ାର ଫେଲିକ୍ସ ଅଗର ଆଲିଆସିମ୍‌ ୭-୫, ୭-୫, ୬-୩ ସେଟ୍‌ରେ ନିଜ ଦେଶର ସାପୋଭା‌ଲୋଭଙ୍କୁ ପରାସ୍ତ କରିଥିଲେ। ଚତୁର୍ଥ ପର୍ଯ୍ୟାୟରେ କାରାତ୍ସେଭ ଓ ଆଲିଆସିମ୍‌ ମୁହାଁମୁହିଁ ହେବେ।

ମେଲ୍‌ବର୍ଣ୍ଣରେ ୫ ଦିନିଆ ଲକ୍‌ଡାଉନ୍‌, ବିନା ଦର୍ଶକରେ ମ୍ୟାଚ୍‌
ସଂପ୍ରତି ଅଷ୍ଟ୍ରେଲିଆର ଦ୍ବିତୀୟ ବୃହତ୍‌ ସହର ମେଲ୍‌ବର୍ଣ୍ଣରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ପ୍ରତିଯୋଗିତା ଚାଲୁରହିଛି। ଷ୍ଟାଡିୟମରେ ବସି ଏହି ପ୍ରତିଯୋଗିତା ଦେଖିବା ଲାଗି ଦର୍ଶକଙ୍କୁ ଅନୁମତି ମିଳିଥିଲା। ହେଲେ କରୋନା ଯୋଗୁଁ ଭିକ୍ଟୋରିଆ ସରକାର ଶୁକ୍ରବାର ମଧ୍ୟରାତ୍ରିରୁ ୫ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ଏହି ୫ ଦିନ ବିନା ଦର୍ଶକରେ ମ୍ୟାଚ୍‌ ଖେଳାଯିବ। ସହରର ୧୩ ଜଣଙ୍କ ନିକଟରେ ବ୍ରିଟେନ୍‌ ସଂକ୍ରମିତ କରୋନା ଲକ୍ଷଣ ଦେଖାଦେଇଛି। ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ୫ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀ ଡାନିଏଲ ଆଣ୍ଡ୍ର୍ୟୁ କହିଛନ୍ତି। ଅଷ୍ଟ୍ରେଲିଆନ୍‌ ଓପନ୍‌ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିଲା ବେଳେ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ବିନା ଦର୍ଶକରେ ଖେଳାଯିବ।

ଫୋଗନିନି-କାରୁସା ବାକ୍‌ଯୁଦ୍ଧ
ଦୁଇ ଇଟାଲି ଖେଳାଳି ଫାବିଓ ଫୋଗନିନି ଓ ସାଲ୍‌ଭାଟୋର କାରୁସୋ ମଧ୍ୟରେ ଖେଳାଯାଇଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ ମ୍ୟାଚ୍‌ ପରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗୋଟିଏ ଦେଶର ଏହି ଦୁଇ ଖେଳାଳି ମ୍ୟାଚ୍‌ ପରର କରମର୍ଦ୍ଦନ ବେଳେ ଯୁକ୍ତିତର୍କ କରିଥିଲେ। କାରୁସୋଙ୍କୁ ଫୋଗନିନି କହିଥିଲେ, କିଛି ପଏଣ୍ଟ୍‌ ଭାଗ୍ୟ ଯୋଗୁଁ ପାଇଲ। କିନ୍ତୁ ଏହାକୁ କାରୁ‌ସୋ ବିରୋଧ କରିବା ସହ ଯୁକ୍ତିତର୍କ କରିଥିଲେ। ଯୁକ୍ତିତର୍କ ବଢ଼ିବାରୁ ମ୍ୟାଚ୍‌ ଅଧିକାରୀ ଆସି ଏହାର ସମାଧାନ କରିଥିଲେ। ଏହାପରେ ଫୋଗନିନି କହିଥିଲେ, ‘ଆମେ ଭଲ ସାଙ୍ଗ, କୋର୍ଟରେ ଯାହା ଘଟିଗଲା ତାହା କୋର୍ଟରେ ଛାଡ଼ି ଦେଇଛୁ’। ସୂଚନାଯୋଗ୍ୟ ଯେ ଗୁରୁବାର ଦ୍ବିତୀୟ ପର୍ଯ୍ୟାୟରେ ପାଖାପାଖି ୪ ଘଣ୍ଟାର କଡ଼ା ପ୍ରତିଦ୍ବନ୍ଦ୍ବିତା ପରେ ଏହି ମ୍ୟାଚ୍‌କୁ ଫୋଗନିନି ୪-୬, ୬-୨, ୨-୬, ୬-୩, ୭-୬ ସେଟ୍‌ରେ କାରୁସୋଙ୍କୁ ହରାଇଥିଲେ।

ସମ୍ବନ୍ଧିତ ଖବର