ଟୋକିଓ ଅଲିମ୍ପିକ୍ସ ମୁଖ୍ୟ ମୋରିଙ୍କ ଇସ୍ତଫା

ଟୋକିଓ : ମହିଳାଙ୍କ ପ୍ରତି ଅଶୋଭନୀୟ ତଥା ଉତ୍ତେଜକ ମନ୍ତବ୍ୟ ପ୍ରଦାନ କରିଥିବାରୁ ଟୋକିଓ ଅଲିମ୍ପିକ୍ସ ଆୟୋଜନ ସମିତି ସଭାପତି ୟୋଶିରୋ ମୋରିଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ଅଲିମ୍ପିକ୍ସ ଆୟୋଜନ ମାତ୍ର ୫ ମାସ ଥିବାବେଳେ ୮୩ ବର୍ଷୀୟ ଏହି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଚିନ୍ତା ବଢ଼ାଇ ଦେଇଛି। ଶୁକ୍ରବାର ଅଲିମ୍ପିକ୍ ଆୟୋଜନ ସମିତି ବୈଠକରେ ମୋରି କହିଥିଲେ ‘ମୋ ଅଯଥା ମନ୍ତବ୍ୟ ବଡ଼ ସମସ୍ୟା ସୃଷ୍ଟି କରିଥିବାରୁ ମୁଁ ଦୁଃଖିତ। ମୋ ମନ୍ତବ୍ୟ କୌଣସି ଉଦ୍ଦେଶ୍ୟମୂଳକ ନ ଥିଲା, ଗଣମାଧ୍ୟମ ଏହାର ଭୁଲ ଅର୍ଥ ବାହାର କଲା। ପୁରୁଷଙ୍କ ତୁଳନାରେ ମୁଁ ମହିଳାଙ୍କୁ ଅଧିକ ସମର୍ଥନ କରିଥାଏ’। ସୂଚନାଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ଜାପାନ ଅଲିମ୍ପିକ୍‌ ସମିତିର ବୋର୍ଡ ବୈଠକ ଅବସରରେ ମୋରି କହିଥିଲେ, ‘ମହିଳା ଅଧିକ ଗପୁଛନ୍ତି’। ୮୩ ବର୍ଷୀୟ ମୋରିଙ୍କ ଏହି ମନ୍ତବ୍ୟକୁ‌ ନେଇ ଦେଶ ବିଦେଶରେ ଝଡ଼ ସୃଷ୍ଟି ହୋଇଥିଲା। ମୋରି ଏକାଧିକ ଥର କ୍ଷମା ମାଗି ନେଇଥିଲେ ମଧ୍ୟ ଜାପାନ ସଂସଦରେ ବିରୋଧୀଦଳ ଓ ସାଧାରଣ ଲୋକ ତାଙ୍କ ଇସ୍ତଫା ବାଦି କରିଥିଲେ। ଏବେ ଅଲିମ୍ପିକ୍‌ ମନ୍ତ୍ରୀ ଥିବା ୭ ଥର ଅଲିମ୍ପିଆନ୍‌ ତଥା ୫୬ ବର୍ଷୀୟା ମହିଳା ସାଂସଦ ସିକୋ ହାଶିମୋତୋଙ୍କୁ ଏବେ ମୋରିଙ୍କ ପଦରେ ଅଳଙ୍କୃତ କରିବା ସମ୍ଭାବନା ରହିଛି‌ ବୋଲି ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର