ସଚିନଙ୍କ କୀର୍ତ୍ତିମାନ ଭାଙ୍ଗିବାଠୁ ୧୩୩ ରନ୍ ଦୂରରେ କୋହଲି

ବରିଷ୍ଠମାନେ କନିଷ୍ଠଙ୍କ ମାର୍ଗଦର୍ଶନ କରନ୍ତୁ: ଡି’କକ୍

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସ୍ଥାପନ କରିଥିବା ଆଉ ଏକ ମାଇଲଖୁଣ୍ଟକୁ ଭାରତୀୟ ଅଧିନାୟକ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଭାଙ୍ଗି ପାରନ୍ତି। ଏହି ଶୃଙ୍ଖଳାରେ ୧୩୩ ରନ୍ କଲେ କୋହଲି ଦ୍ରୁତତମ ଖେଳାଳି ଭାବେ ଦିନିକିଆରେ ୧୨,୦୦୦ ରନ୍ ପୂରଣ କରିବେ। ସଚିନ ୩୦୦ ପାଳିରେ ଏହାକୁ ଛୁଇଁଥିଲା ବେଳେ କୋହଲି ମାତ୍ର ୨୩୯ ପାଳିରେ ୧୨,୦୦୦ ଦିନିକିଆ ରନ୍ କରିବାର ଗୌରବ ଅର୍ଜନ କରିବେ। ଏହି କ୍ଷେତ୍ରରେ ସଂପ୍ରତି ସଚିନଙ୍କ ପଛକୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ରହିଛନ୍ତି। ପଣ୍ଟିଂ ୧୨୦୦୦ ରନ୍ କରିବାକୁ ୩୧୪ ପାଳି ନେଇଥିଲେ। ତାଙ୍କ ପଛକୁ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଅଛନ୍ତି, ଯିଏ କି ୩୩୬ ପାଳିରେ ୧୨,୦୦୦ ଏକଦିବସୀୟ ରନ୍ ହାସଲ କରିଥିଲେ। ନିକଟରେ ଶେଷ ହୋଇଥିବା ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ କୋହଲି ଆଶାଜନକ ପ୍ରଦର୍ଶନ କରି ପାରି ନଥିଲେ। ଏହାର ଭରଣା ସେ ଘରୋଇ ପରିବେଶରେ ଖେଳା ଯିବାକୁ ଥିବା ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ କରିବାକୁ ମଧ୍ୟ ନିଶ୍ଚିତ ଭାବେ ବ୍ୟଗ୍ର ଥିବେ।

ବରିଷ୍ଠମାନେ କନିଷ୍ଠଙ୍କ ମାର୍ଗଦର୍ଶନ କରନ୍ତୁ: ଡି’କକ୍
ପୂର୍ବତନ ଅଧିନାୟକ ଫାଫ୍ ଡୁ’ ପ୍ଲେସିସ୍‌ଙ୍କ ପ୍ରତ୍ୟାବର୍ତନକୁ ସ୍ବାଗତ କରିଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ କ୍ବିଣ୍ଟନ୍ ଡି’ କକ୍। ଭାରତ ବିପକ୍ଷ ପ୍ରଥମ ମ୍ୟାଚ୍ ପୂର୍ବରୁ ସେ ମଧ୍ୟ ନିଜ ଦଳର ବରିଷ୍ଠ ଖେଳାଳିଙ୍କୁ କନିଷ୍ଠ ଓ ଅନଭିଜ୍ଞ ଖେଳାଳିଙ୍କ ମାର୍ଗଦର୍ଶନ କରିବାକୁ ଆହ୍ବାନ କରିଛନ୍ତି। ସେ କହିଛନ୍ତି ଯେ ଡୁ’ ପ୍ଲେସିସ୍ ‌‌ଫେରିଛନ୍ତି। ନେତୃତ୍ବ ଦୃଷ୍ଟିକୋଣରୁ ସେ ଆମ ପାଇଁ ବଳିଷ୍ଠ ଭୂମିକା ତୁଲାଇ ଥାଆନ୍ତି। ଦଳର ଯୁବ ତାରକାଙ୍କୁ ସାହାଯ୍ୟ କରିବାକୁ ସେ ସବୁବେଳେ ପ୍ରସ୍ତୁତ ଥାଆନ୍ତି। ତାଙ୍କ ଅଭିଜ୍ଞତା ଆମ ପାଇଁ ଆଗାମୀ ଶୃଙ୍ଖଳାରେ ବେଶ୍ ଉପାଦେୟ ସାବ୍ୟସ୍ତ ହେବ। ଆମେ ଭଲ ଭାବରେ ଜାଣିଛୁ ଯେ ଆମେ ଏକ ଅନଭିଜ୍ଞ ଦଳ ନେଇ ଭାରତ ଆସିଛୁ। ସେଥିପାଇଁ ଫାଫ୍, ମିଲର ଓ ମୋତେ ଅଧିକ ଦାୟିତ୍ବ ନେବାର ହେବ। ଆମ ଜ୍ଞାନ କନିଷ୍ଠମାନଙ୍କୁ ବାଣ୍ଟିବାକୁ ପଡ଼ିବ।

ସମ୍ବନ୍ଧିତ ଖବର