ଖେଳାଳିଙ୍କୁ ବିସିସିଆଇର ୭ ପରାମର୍ଶ

ମୁମ୍ବାଇ : ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ପୂର୍ବରୁ ଖେଳାଳିଙ୍କ ପାଇଁ ବିସିସିଆଇ ୭ଟି ପରାମର୍ଶ ଜାରି କରିଛି। କରୋନାରୁ ବଞ୍ଚିବା ଲାଗି ଖେଳାଳିଙ୍କ ମଧ୍ୟରେ ଆଗୁଆ ସଚେତନତା ସୃଷ୍ଟି କରିବା ଲାଗି ବିସିସିଆଇ ଏଭଳି ପରାମର୍ଶ ଜାରି କରିଥିବା ଜଣାପଡ଼ିଛି। ଶୃଙ୍ଖଳାର ପ୍ରଥମ ମୁକାବିଲା ଧର୍ମଶାଳାରେ ଗୁରୁବାର ଖେଳାଯିବା ପରେ ରବିବାର ଦ୍ବିତୀୟ ମ୍ୟାଚ୍ ଲକ୍ଷ୍ନୌ ଓ ତୃତୀୟ ତଥା ଶେଷ ମୁକାବିଲା କୋଲକାତାରେ ୧୮ ତାରିଖରେ ଖେଳାଯିବ। ସମସ୍ତ ତିନିଟି ଯାକ ସ୍ଥାନରେ ଜାରି କରାଯାଇଥିବା ନିୟମାବଳୀକୁ ଅନୁସରଣ କରିବାକୁ ବିସିସିଆଇ ଖେଳାଳିଙ୍କୁ ଆହ୍ବାନ କରିଛି। ପୂର୍ବରୁ କରୋନା ଭୟ ପାଇଁ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ପ୍ରତିପକ୍ଷ ଖେଳାଳି ଓ ଅଧିକାରୀଙ୍କ ସହ ହାତ ମିଳାଇବେ ନାହିଁ ବୋଲି ଘୋଷଣା କରି ସାରିଛନ୍ତି। ବିସିସିଆଇ ଡାକ୍ତରୀ ମଣ୍ଡଳି ମଧ୍ୟ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। କରୋନାକୁ ନେଇ ଆୟୋଜକ ସଂଘର କର୍ମକର୍ତା, ଅଧିକାରୀ, ଅମ୍ପାୟାର ଓ ପଡ଼ିଆ କର୍ମଚାରୀଙ୍କ ପାଇଁ ସେମାନେ କର୍ମଶାଳାର ଆୟୋଜନ କରି ସାରିଛନ୍ତି। ବୁଧବାର ଖେଳାଳିଙ୍କ ପାଇଁ ବିସିସିଆଇ ପ୍ରକାଶ କରିଥିବା ୭ ନିୟମାବଳୀ ବା ପରାମର୍ଶ ତାଲିକା ରହିଛି ଏମିତି।

ଅନ୍ୟୁନ ୨୦ ସେକେଣ୍ଡ ପାଇଁ ସାବୁନ ଓ ପାଣିରେ ହାତ ଧୁଅ।
ସାନିଟାଇଜରର ନିୟମିତ ବ୍ୟବହାର କର।
ଛିଙ୍କ କିମ୍ବା କାଶ ଆସିଲେ ମୁହଁକୁ ରୁମାଲ କିମ୍ବା କନାରେ ଘୋଡ଼ାଇ ଦିଅ।
ଜ୍ବର, କାଶ କିମ୍ବା ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କୁ ଜଣାଅ।
ହାତ ଧୋଇବା ପୂର୍ବରୁ ମୁହଁ, ନାକ ଓ ଆଖିକୁ ଛୁଅଁନି।
ସ୍ବଚ୍ଛ ଓ ସଫାସୁତରା ନଥିବା ହୋଟେଲ ଓ ରେଷ୍ଟୁରାଣ୍ଟରେ ଖାଅନି।
ଦଳ ବାହାରର ଲୋକଙ୍କ ସହ ଶାରୀରିକ ସଂପର୍କ କିମ୍ବା ଅତି ନିକଟରୁ କଥା ହେବାରୁ ଦୂରେଇ ରୁହ।

ସମ୍ବନ୍ଧିତ ଖବର