ଫ୍ରି ଫାୟାର୍ ଉପରେ ଭାରତ ଲଗାଇଲା ପ୍ରତିବନ୍ଧକ… ଜାଣନ୍ତୁ, କାହିଁକି?…

ନୂଆଦିଲ୍ଲୀ: ଭାରତ ସରକାର ନିକଟରେ ୫୪ଟି ଆପ୍ସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏମାନଙ୍କ ମଧ୍ୟରୁ ଭାରତରେ ଅତ୍ୟନ୍ତ ଲୋକପ୍ରିୟ  ଫ୍ରି ଫାୟାର୍ ଗେମ୍ ବି ସାମିଲ୍ ଅଛି। ୨୦୨୦ରେ ପବ୍-ଜିକୁ ଭାରତରେ ନିଷିଦ୍ଧ କରାଯିବା ପରେ ଫ୍ରି ଫାୟାରର ଡାଉନଲୋଡ୍ ୭୨ ପ୍ରତିଶତ ବଢିଯାଇଥିଲା। ୨୦୨୧ରେ ଏହି ଗେମ୍ ଡାଉନଲୋଡିଂରେ ସବୁଠାରୁ ଅଧିକ ଆଗରେ ଥିଲା। ଫ୍ରି ଫାୟାର୍ ଏପରି ଏକ ଗେମ୍ ଯାହା ଗତ ଦୁଇ ତିନି ବର୍ଷରେ ଅନେକଙ୍କ ପକେଟ୍ ଖାଲି କରିଛି। ଏହି ଗେମିଂ ଆପ୍ଲିକେଶନକୁ ଭିଏତନାମର ୧୧୧ ଡଟ୍ସ୍ ଷ୍ଟୁଡିଓ ବିକଶିତ କରିଥିଲା।

ତେବେ ସିଙ୍ଗାପୁରର କମ୍ପାନି ଗରେନା ଏହି ଗେମ ଆପ୍ଲିକେଶନକୁ କିଣି ଏହାର ମାଲିକାନା ନିଜ ପାଖରେ ରଖିଛି। କିନ୍ତୁ ଏହାକୁ ଚୀନୀ ଆପ୍ସ ସହିତ ଯୋଡ଼ାଯାଇଛି। ତେଣୁ ଭାରତ ସରକାର ଏହି ଆପ୍ଲିକେଶନକୁ ବ୍ୟାନ୍ କରିଦେଇଛନ୍ତି। ଏବେ ଫ୍ରି ଫାୟାର୍ ଗୁଗୁଲ୍ ପ୍ଲେ ଷ୍ଟୋର୍ ଓ ଆପଲ୍ ଷ୍ଟୋରରେ ମିଳୁ ନାହିଁ।

ସାଧାରଣତଃ ମୋବାଇଲ୍ ଆପ୍ଲିକେଶନ୍ସ ବିଜ୍ଞାପନ ଦେଖାଇ ଅର୍ଥ ଆୟ କରିଥାନ୍ତି। ତେବେ ଫ୍ରି ଫାୟାର୍ ଓ ପବ୍-ଜି ଭଳି ଯୁଦ୍ଧ ଗେମ୍ ଆପ୍ସରେ ସୈନ୍ୟଙ୍କ ବିଭିନ୍ନ ପ୍ରକାରର ପୋଷାକ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଇତ୍ୟାଦି ଆପ୍ସରେ ବିକ୍ରି ହୋଇଥାଏ। ଖେଳାଳିମାନେ ଗେମ୍ ଆପ୍ଲିକେଶନରେ ଥିବା ଷ୍ଟୋର୍ ମାଧ୍ୟମରେ ହୀରାର ଉପଯୋଗ କରି ଏହି ଜିନିଷଗୁଡିକୁ କିଣିଥାନ୍ତି। ୮୯ ଟଙ୍କାରେ ୧୦୦ଟି ହୀରା ମିଳିଥାଏ। ୨୫୦ ଟଙ୍କାରେ ୩୧୦ଟି ହୀରା ମିଳେ। ୩୩୯ ଟଙ୍କାରେ ୪୧୦ଟି ହୀରା ଖେଳାଳିଙ୍କୁ ମିଳିଥାଏ। ହୀରାଗୁଡିକୁ ସଞ୍ଚୟ କରି ମଧ୍ୟ ରଖାଯାଇପାରିବ।

ରିପୋର୍ଟ ଅନୁସାରେ ଫ୍ରି ଫାୟାରର ଗୋଟିଏ ଦିନରେ ୭ କୋଟି ଓ ମାସରେ ପାଖାପାଖି ୨୧୦ କୋଟି ଟଙ୍କା ଆୟ ହୋଇଥାଏ। ତେବେ ଏହାକୁ ନେଇ କମ୍ପାନି ଅଫିସିଆଲି ଭାବେ କୌଣସି ବୟାନ ଜାରି କରିନାହିଁ।
ଫ୍ରି ଫାୟାର୍ ଖେଳି ଅନେକ ଖେଳାଳି ଲକ୍ଷଲକ୍ଷ ଟଙ୍କା ହରାଇଛନ୍ତି ଓ ଅନେକ ଆତ୍ମହତ୍ୟା ମଧ୍ୟ କରିଛନ୍ତି।
ମଧ୍ୟପ୍ରଦେଶର ଛତରପୁରରେ ଗତବର୍ଷ ଜଣେ ୧୩ ବର୍ଷୀୟ ବାଳକ ଫ୍ରି ଫାୟାର୍ ଗେମ୍ ଖେଳି ୪୦ ହଜାର ଟଙ୍କା ହରାଇଥିଲେ। ଏହାକୁ ନେଇ ତାଙ୍କ ମାତାପିତା ରାଗିବାରୁ ସେ ଆତ୍ମହତ୍ୟା କରିଦେଇଥିଲେ। ଛତିଶଗଡର କାଙ୍କରରେ ଜଣେ ବାଳକ ୩ ଲକ୍ଷ ୨୨ ହଜାର ଟଙ୍କାରେ ଅସ୍ତ୍ରଶସ୍ତ୍ର କିଣିଥିଲେ। ସେ ତାଙ୍କ ମାଆଙ୍କ ଏକାଉଣ୍ଟରୁ ୩ ମାସରେ ୨୭୮ ଥର ଟ୍ରାନ୍ଜାକ୍ସନ କରିଥିଲେ।

ସମ୍ବନ୍ଧିତ ଖବର