ତ୍ରିରାଷ୍ଟ୍ରୀୟ ମହିଳା ଟ୍ବେଣ୍ଟି-୨୦: ଶେଷ ଓଭରରେ ଜିତାଇଲେ ହର୍‌ମନ୍‌ପ୍ରୀତ୍‌

ଇଂଲଣ୍ଡ ୫ ୱିକେଟ୍‌ରେ ପରାସ୍ତ

କାନ୍‌ବେରା: ଅଷ୍ଟ୍ରେଲିଆରେ ଆୟୋଜିତ ତ୍ରିରାଷ୍ଟ୍ରୀୟ ମହିଳା ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌରଙ୍କ ଅପରାଜିତ ପାଳି ହିଁ ଭାରତକୁ ଶେଷ ଓଭରରେ ୫ ୱିକେଟ୍‌ର ବିଜୟ ଭେଟି ଦେଇଥିଲା। ତେବେ ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବେ ସର୍ବାଧିକ ରନ୍‌ କରିଥିବା ଇଂଲଣ୍ଡ ଅଧିନାୟିକା ହିଦର ନାଇଟ୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ପାଇଁ ଇଂଲଣ୍ଡକୁ ଆମନ୍ତ୍ରଣ କରିଥିଲା। ନାଇଟ୍‌ (୬୭ ରନ୍‌, ୪୪ ବଲ୍‌, ୮ ଚୌକା, ୨ ଛକା) ଦମ୍‌ଦାର ଅର୍ଧଶତକ ହାସଲ କରିଥିଲା ବେଳେ ବିଉମଣ୍ଟ୍‌ (୩୭ ରନ୍‌, ୨୭ ବଲ୍‌, ୪ ଚୌକା, ୧ ଛକା) ଓ ସ୍କାଇଭର (୨୦ ରନ୍‌, ୧୮ ବଲ୍‌, ୪ ଚୌକା) ଉପଯୋଗୀ ପାଳି ଖେଳିଥିଲେ। ହେଲେ ରାଜେଶ୍ବରୀ ଗାଏକ୍ବାଡ (୪-୦-୧୯-୨), ଶିଖା ପାଣ୍ଡେ (୪-୦-୩୩-୨) ଓ ଦୀପ୍ତି ଶର୍ମା (୪-୦-୩୦-୨)ଙ୍କ ପ୍ରଭାବୀ ବୋଲିଂ ଯୋଗୁଁ ଇଂଲଣ୍ଡ ପାଳି ୧୪୭/୭ରେ ସୀମିତ ରହିଥିଲା। ଜବାବରେ ଶେଫାଳି ବର୍ମା (୩୦ ରନ୍‌, ୨୫ ବଲ୍‌, ୪ ଚୌକା), ସ୍ମୃତି ମନ୍ଧାନା (୧୫ ରନ୍‌, ୧୦ ବଲ୍‌, ୩ ଚୌକା), ଜେମିମା ରୋଦ୍ରିଗ୍ବେଜ (୨୬ ରନ୍‌, ୨୦ ବଲ୍‌, ୪ ଚୌକା) ଭଲ ଖେଳିବା ସତ୍ତ୍ବେ ଭାରତ ୧୭ ଓଭର ଶେଷ ବେଳକୁ ୧୨୨/୫ରେ ସଂଘର୍ଷ କରିଥିଲା। ଶେଷ ୩ ଓଭରରୁ ବିଜୟ ପାଇଁ ୨୬ ରନ୍‌ ଦରକାର ଥିଲା। ହର୍‌ମନ୍‌ପ୍ରୀତ୍‌ ଗୋଟିଏ ପଟେ ରନ୍‌ ଗତି ବଢ଼ାଇବାରେ ଲାଗିଥିଲେ। ୩୪ ବଲ୍‌ରୁ ୫ ଚୌକା ଓ ୧ ଛକା ସହାୟତାରେ ଅପରାଜିତ ୪୨ ରନ୍‌ କରିଥିବା ହର୍‌ମନ୍‌ପ୍ରୀତ୍‌ ଶେଷ ଓଭରର ତୃତୀୟ ବଲ୍‌କୁ ବିଶାଳ ଛକା ମାରି ଦଳକୁ ବିଜୟୀ କରାଇଥିଲେ। ତାନିୟା ଭାଟିଆ (୧୧ ରନ୍‌) ଓ ଦୀପ୍ତି ଶର୍ମା (୧୨ ରନ୍‌, ୮ ବଲ୍‌, ୧ ଚୌକା) ଭଲ ସହଯୋଗ ଦେଇଥିଲେ। ଏହି ବିଜୟରୁ ଭାରତ ମଧ୍ୟ ୨ ପଏଣ୍ଟ୍‌ ପାଇଯାଇଛି।

ସମ୍ବନ୍ଧିତ ଖବର