ଓଡ଼ିଶାରୁ ମହିଳା ଏସିଆନ୍‌ କପ୍‌ ମହାରାଷ୍ଟ୍ର ସ୍ଥାନାନ୍ତର

ଭୁବନେଶ୍ବର: ଓଡ଼ିଶାକୁ ମିଳିଥିବା ଏଏଫ୍‌ସି ମହିଳା ଏସିଆନ୍‌ କପ୍‌ ଫୁଟ୍‌ବଲ୍ ପ୍ରତିଯୋଗିତାର ଆୟୋଜନ ଅଧିକାର ମହାରାଷ୍ଟ୍ର ସ୍ଥାନାନ୍ତର କରିବାକୁ ପଡ଼ିଛି।‌ ୨୦୨୨ ମସିହା ଜାନୁଆରି ୨୦ରୁ ଫେବ୍ରୁଆରି ୬ ତାରିଖ ପର୍ଯ୍ୟନ୍ତ ଏହି ମର୍ଯ୍ୟାଦାଜନକ ମହାଦେଶୀୟ ମହିଳା ପ୍ରତିଯୋଗିତା ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ ଏବଂ ଅହମ୍ମଦାବାଦରେ ଖେଳାଯିବ ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିଲା। ମଙ୍ଗଳବାର କିନ୍ତୁ ଏଥିପାଇଁ ମୁମ୍ବାଇ ଓ ପୁଣେକୁ ନୂଆ ଭେନ୍ୟୁ ଚୟନ କରାଯାଇଛି। ଏସୀୟ ଫୁଟ୍‌ବଲ୍‌ ମହାସଂଘ (ଏଏଫସି) ଏବଂ ସର୍ବଭାରତୀୟ ଫୁଟ୍‌ବଲ୍ ସଂଘ (ଏଆଇଏଫଏଫ)ର ଆଞ୍ଚଳିକ ଆୟୋଜନ ସମିତି ଏହା ସ୍ପଷ୍ଟ କରିଛନ୍ତି। କୋଭିଡ୍‌ ପରିସ୍ଥିତି କାରଣରୁ ଜୈବ ବଳୟର ଅଭାବ ଏବଂ ଖେଳାଳିଙ୍କ ଭ୍ରମଣକୁ ସୀମିତ କରିବା ଲାଗି ଆଖପାଖରେ ଥିବା ମୁମ୍ବାଇ ଓ ପୁନେକୁ ଏହା ସ୍ଥାନାନ୍ତର କରାଗଲା ବୋଲି କୁହାଯାଇଛି। ନଭି ମୁମ୍ବାଇର ଡିୱାଇ ପାଟିଲ୍‌ ଷ୍ଟାଡିୟମ୍‌, ଅନ୍ଧେରୀ ସ୍ପୋର୍ଟସ କଂପ୍ଲେକ୍ସ ଏବଂ ପୁନେର ଶିବ ଛତ୍ରପତି ସ୍ପୋର୍ଟସ କଂପ୍ଲେକ୍ସରେ ମ୍ୟାଚ୍‌ଗୁଡିକ ଖେଳାଯିବ ବୋଲି ଏବେ ସ୍ପଷ୍ଟ କରାଯାଇଛି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ‘ସମ୍ବାଦ’କୁ କହିଛନ୍ତି ‘ଜୈବ ବଳୟ ଭିତରେ ତିନୋଟି ଷ୍ଟାଡିୟମ୍‌ ଉପଲବ୍ଧ କରାଇବା ଆମ ପକ୍ଷରେ ସମ୍ଭବ ନ ଥିବାରୁ ଏହା ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ପଡ଼ିଛି। ଗୁଜରାଟକୁ ମଧ୍ୟ ଓଡ଼ିଶା ଭଳି ବଞ୍ଚିତ ହେବାକୁ ପଡିଛି। କିନ୍ତୁ ୨୦୨୨ ମସିହାର ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ବକପ୍‌ର ଗୋଟିଏ ପୁଲ୍‌ ଭୁବନେଶ୍ବରରେ ହେବାର ଥିବାରୁ ଏଥିରେ କିଛି ଅସୁବିଧା ହେବ ନାହିଁ’।

ପଡିଆ ପରିବର୍ତନ ସମ୍ପର୍କରେ ଏଆଇଏଫଏଫ୍‌ ସଭାପତି ତଥା ଆଞ୍ଚଳିକ ଆୟୋଜନ ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ୍‌ କହିଛନ୍ତି ‘ପରିବର୍ତ୍ତିତ ପରିସ୍ଥିତି କାରଣରୁ ଆମକୁ ଏକ ସୁରକ୍ଷିତ ଜୈବ ବଳୟ ସୃଷ୍ଟିର ଆବଶ୍ୟକତା ରହିଛି। ତେଣୁ ଆମେ ମୁମ୍ବାଇ, ନଭି ମୁମ୍ବାଇ ଓ ପୁନେକୁ ଚୟନ କଲୁ। ଏହି ୩ଟି ଷ୍ଟାଡିୟମ୍‌ ଭୌଗୋଳିକ ଦୃଷ୍ଟି କୋଣରୁ ଆଖପାଖରେ ରହିଛନ୍ତି। ପୂର୍ବରୁ ମଧ୍ୟ ଏଠାରେ ପ୍ରମୁଖ ପ୍ରତିଯୋଗିତା ସଫଳତାର ସହ ସମ୍ପନ୍ନ ହୋଇଛି’। ମହାରାଷ୍ଟ୍ର ସରକାର ସ୍ବତନ୍ତ୍ର ଭାବେ ଭିତ୍ତିଭୂମି ଓ ପ୍ରସ୍ତୁତି ପ୍ରତି ନଜର ରଖୁଥିବାରୁ ଶ୍ରୀ ପଟେଲ୍‌ ଖୁସି ଜାହିର କରିଛନ୍ତି। ଏଏଫ୍‌ସି ମହିଳା ଏସିଆନ୍‌ କପ୍‌ର ସଫଳତା ଲାଗି ମହାରାଷ୍ଟ୍ର ସରକାର ଉତ୍ସର୍ଗିକୃତ କାର୍ଯ୍ୟ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ପୂର୍ବରୁ ଉତ୍ସାହ ଓ ଆଗ୍ରହ ଦେଖାଇଥିବା ଓଡ଼ିଶା ଓ ଗୁଜରାଟ ସରକାରଙ୍କୁ ମଧ୍ୟ ଶ୍ରୀ ପଟେଲ୍ ଧନ୍ୟବାଦ ଦେଇଛନ୍ତି।

ସୂଚନାଯୋଗ୍ୟ, ଭାରତ କେବେ ବି ଏଏଫସି ମହିଳା ‌ଏସିଆନ୍‌ କପ୍‌ରେ ଅଂଶଗ୍ରହଣ କରିପାରିନାହିଁ। ଏଥର ଆୟୋଜକ ଭାବେ ଯୋଗ୍ୟତା ଅର୍ଜନ କରିଛି। ହକିର ବିଶ୍ବକପ୍‌କୁ ଲଗାତାର ଦ୍ବିତୀୟ ଥର ପାଇଁ ମଧ୍ୟ ଆୟୋଜନ କରିବାକୁ ଯାଉଛି ଓଡ଼ିଶା। ମାତ୍ର ୯୦ ଦିନ ଭିତରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାକୁ ଆୟୋଜନ କରି ପ୍ରଶଂସିତ ହୋଇଥିବା ଓଡ଼ିଶା ସରକାର ଚାହିଁଥିଲେ ଏଏଫସି ମହିଳା ଏସିଆନ୍‌ କପ୍‌କୁ ମଧ୍ୟ କରିପାରିଥା’ନ୍ତେ। କଳିଙ୍ଗ ଷ୍ଟାଡିୟମ୍‌ ଓ ସପ୍ତମ ବାଟାଲିଅନ୍‌ ପରିସରରେ ଥିବା ୨ଟି ଲେଖାଏଁ ଷ୍ଟାଡିୟମ୍‌ ଏବଂ କ୍ୟାପିଟାଲ୍ ହାଇସ୍କୁଲ୍ ପରିସରରେ ଥିବା ଗୋଟିଏ ଷ୍ଟାଡିୟମ୍‌କୁ ମିଶାଇଲେ ସମସ୍ତ ୫ ଷ୍ଟାଡିୟମ୍‌କୁ ଏଥିଲାଗି ପ୍ରସ୍ତୁତ କରାଯାଇପାରିଥା’ନ୍ତା ବୋଲି ଜଣେ ଫୁଟ୍‌ବଲ୍‌ ପ୍ରଶାସକ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର