ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା: ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କୁ ଡରାଉଥିବା ବୋଲର ଟିମ୍‌ରୁ ବାହାର

ମେଲବର୍ଣ୍ଣ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଦିନିକିଆ ବିଶ୍ୱକପ୍‌ ନିକଟତର ହୋଇଥିବାରୁ ଏଥିରେ ଅଂଶଗ୍ରହଣ କରୁଥିବା ଦେଶଗୁଡ଼ିକ ନିଜର ଜାତୀୟ ଟିମ୍‌ ଘୋଷଣା କରିସାରିଛନ୍ତି। ଏବେ ବିଶ୍ୱର ଶକ୍ତିଶାଳୀ ଟିମର ଖେଳାଳି ଆହତ ହୋଇଥିବା ଗଣମାଧ୍ୟମରୁ ଜଣାପଡ଼ିଛି, ଯେଉଁଥି ପାଇଁ ତାଙ୍କୁ ଟିମ୍‌ରେ ସ୍ଥାନ ମିଳିବ ନାହିଁ। ଆଘାତ ଯୋଗୁଁ ଟିମ୍‌ରୁ ବାଦ୍‌ ପଡ଼ିଥିବା ଖେଳାଳି ଜଣକ ହେଉଛନ୍ତି ବୋଲର ଜଏ ରିଚାର୍ଡସନ୍‌। ରିଚାର୍ଡସନ୍‌ ମେ’ ମାସ ୩୦ରେ ଇଂଲଣ୍ଡ ଏବଂ େଓ୍ଵଲସ୍‌ରେ ହେବାକୁ ଥିବା ବିଶ୍ୱକପ୍‌ରୁ ବାହାର ହୋଇଛନ୍ତି।

ରିଚାର୍ଡସନ୍‌ଙ୍କୁ ମାର୍ଚ୍ଚରେ ସାରଜାରେ ପାକିସ୍ତାନ ବିରୋଧରେ ହୋଇଥିବା ଶୃଙ୍ଖଳାର ୨ୟ ଦିନିକିଆ ମ୍ୟାଚ୍‌ରେ ଆଘାତ ଲାଗିଥିଲା, ଯେଉଁଥିରୁ ସେ ଏବେ ଯାଏଁ ଠିକ୍‌ ହୋଇପାରି ନାହାନ୍ତି। କ୍ରିକେଟ ଅଷ୍ଟ୍ରେଲିଆ ବୁଧବାର କହିଛି, କେନ୍‌ ରିଚାର୍ଡସନ୍‌ଙ୍କୁ ଜଏ ରିଚାର୍ଡସନ୍‌ଙ୍କ ସ୍ଥାନରେ ଟିମ୍‌ରେ ଶାମିଲ କରାଯାଇଛି। ଜଏ ଭାରତ ବିପକ୍ଷରେ ୫ ଦିନିକିଆ ଶୃଙ୍ଖଳାରେ ଭଲ ବୋଲିଂ କରି ମୋଟ ୭ ଓ୍ଵିକେଟ ନେଇଥିଲେ। ସେ ଏଯାଏଁ ୧୨ଟି ଦିନିକିଆ ମ୍ୟାଚ୍‌ ଖେଳି ୨୬ଟି ଓ୍ଵିକେଟ୍‌ ନେଇଛନ୍ତି।

ସମ୍ବନ୍ଧିତ ଖବର