ଆଉ ୧୬ ଦିନ: କୋହଲିଙ୍କ ପାଇଁ ସହଜ ହେବନି

ହାଇଦ୍ରାବାଦ: ଭାରତୀୟ ବିଶ୍ବକପ୍ ଦଳରେ ସ୍ଥାନ ପାଇଥିବା ୧୫ ଜଣ ଖେଳାଳିଙ୍କ ମଧ୍ୟରୁ ଅଧିକାଂଶ ସଂପୂର୍ଣ୍ଣ ଆଇପିଏଲ୍ ଖେଳିଛନ୍ତି। ଆଇପିଏଲ୍ ଶେଷ ହେବା ପରେ ବିଶ୍ବକପ୍ ଲାଗି ଆହୁରି ତିନି ସପ୍ତାହ ବାକି ଥିଲେ ମଧ୍ୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏହି ଖେଳାଳିଙ୍କ କାର୍ଯ୍ୟଭାର ପରିଚାଳନା ସହଜ ହେବନି ବୋଲି କ୍ରିକେଟ୍ ପଣ୍ଡିତମାନେ ଆଶଙ୍କା ଜାହିର କରିଛନ୍ତି। ଦ୍ରୁତ ବୋଲିଂ ବାହିନୀ ହିଁ କୋହଲିଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତାର କାରଣ ହେବେ। ଆଇପିଏଲ୍ ଆରମ୍ଭରୁ କୋହଲି ବିଶ୍ବକପ୍ ଦଳରେ ସ୍ଥାନ ପାଇଥିବା ଖେଳାଳିମାନଙ୍କୁ ଦରକାର ପଡ଼ିଲେ ଆବଶ୍ୟକ ବିଶ୍ରାମ ନେବାକୁ ଆହ୍ବାନ ଦେଇଥିଲେ। ଅଧିକାଂଶ ଖେଳାଳି କିନ୍ତୁ ନିଜ ଦଳୀୟ ଚାପ ଆଗରେ ମୁଣ୍ଡ ନୁଆଁଇ ସଂପୂର୍ଣ୍ଣ ଲିଗ୍ ପର୍ଯ୍ୟାୟ ନିରବଚ୍ଛିନ୍ନ ଭାବେ ଖେଳିଥିଲେ। ଅଧିନାୟକ କୋହଲି, ଲୋକେଶ ରାହୁଲ, ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ, ଦୀନେଶ କାର୍ତିକ ଓ ‌କେଦାର ଯାଦବ ୧୪ ଲେଖାଏଁ ମ୍ୟାଚ୍ ଖେଳିଥିଲେ। ବିଜୟ ଶଙ୍କର, ଭୁବନେଶ୍ବର କୁମାର ୧୫ ଲେଖା‌ଏଁ ମ୍ୟାଚ୍ ଖେଳିଥିଲା ବେଳେ ରବୀନ୍ଦ୍ର ଜାଦେଜା, ହାର୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା ରବିବାରର ଫାଇନାଲକୁ ମିଶାଇ ୧୬ ଲେଖାଏଁ ମ୍ୟାଚ୍ ଖେଳିଛନ୍ତି। ଅନ୍ୟପକ୍ଷରେ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମା ୧୫ ଲେଖାଏଁ ମ୍ୟାଚ୍‌ରେ ଅବତୀର୍ଣ୍ଣ ହୋଇଛନ୍ତି। କେବଳ ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବ ୧୦ରୁ କମ୍ ମ୍ୟାଚ୍ ଖେଳିଛନ୍ତି। ୯ ମ୍ୟାଚ୍ ଖେଳିବା ପରେ ଖରାପ ପ୍ରଦର୍ଶନ ପାଇଁ କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ନିଜ ଚୂଡ଼ାନ୍ତ ଦଳରୁ ବାଦ ଦେଇଥିଲା। ପିଠି ଯନ୍ତ୍ରଣା ପାଇଁ ଧୋନି ଦୁଇଟି ମ୍ୟାଚ୍ ଖେଳି ନଥିଲେ। ସେହିଭଳି ରୋହିତ ଓ ରବୀନ୍ଦ୍ର ଜାଦେଜା ଗୋଟିଏ ଲେଖାଏଁ ମ୍ୟାଚ୍‌ରେ ବିଶ୍ରାମ ନେଇଥିଲେ। କାନ୍ଧରେ ଆଘାତ ଲାଗିବା ପରେ କେଦାର ଯାଦବ ଶେଷ ଲିଗ୍ ମ୍ୟାଚ୍ ସହ ବଳକା ଆଇପିଏଲରୁ ଓହରି ଯାଇଥିଲେ। ସୌଭାଗ୍ୟ ବଶତଃ ଲମ୍ବା ଆଇପିଏଲ୍ ଋତୁରେ କେଦାରଙ୍କୁ ଛାଡ଼ି ଅନ୍ୟ କୌଣସି ଭାରତୀୟ ଖେଳାଳି ଆହତ ହୋଇନାହାନ୍ତି। ସେହିଭଳି ‌ରାହୁଲ ଓ ପାଣ୍ଡ୍ୟା‌ ଲୟକୁ ଫେରିବା ଭାରତୀୟ ଦଳ ପାଇଁ ଭଲ ଖବର ହୋଇଛି। ବିଶ୍ବକପ୍ ‌ଖେଳୁଥିବା ସବୁ ଖେଳାଳି ପେସାଦାର ହୋଇଥିବାରୁ ସେମାନେ ବ୍ୟକ୍ତିଗତ ଭାବେ ନିଜ କାର୍ଯ୍ୟଭାରର ସୁପରିଚାଳନା କରିବାକୁ ସକ୍ଷମ। ଦଳ ପକ୍ଷରୁ ମଧ୍ୟ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ବିଶ୍ବକପ୍‌ରେ ଭାରତର ପ୍ରଥମ ମ୍ୟାଚ୍‌କୁ ଆହୁରି ୨୦ରୁ ଅଧିକ ଦିନ ବାକି ଥିବାରୁ ଖେଳାଳିମାନେ ସେତେବେଳକୁ ପୂରା ସତେଜ ଏବଂ ସୁସ୍ଥ ଥିବେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଆଶା ପ୍ରକାଶ କରିଛନ୍ତି।

ବିଦେଶୀ ଦର୍ଶକଙ୍କ ମଧ୍ୟରେ ସର୍ବାଧିକ ଭାରତୀୟ
ନୂଆଦିଲ୍ଲୀ: ଚଳିତ ମାସ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା କ୍ରିକେଟ୍‌ ବିଶ୍ବକପ୍‌ ଦେଖିବାରେ ବିଦେଶୀଙ୍କ ମଧ୍ୟରେ ସର୍ବାଧିକ ଭାରତୀୟ ରହିବେ। ୪୬ ଦିନ ଧରି ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତା ଲାଗି ୮୦,୦୦୦ରୁ ଉର୍ଧ୍ବ ଭାରତୀୟ ଲଣ୍ଡନ ଗସ୍ତ କରିବେ ବୋଲି ବ୍ରିଟିସ୍‌ ହାଇକମିସନ୍‌ ପକ୍ଷରୁ ଆକଳନ କରାଯାଇଛି। ତେବେ ସର୍ବ‌ାଧିକ ଭାରତୀୟ ଦର୍ଶକଙ୍କୁ ଜୁନ୍‌ ୧୬ ତାରିଖରେ ମା‌ଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ହେବାକୁଥିବା ଭାରତ-ପାକିସ୍ତାନ ମ୍ୟାଚ୍‌‌ ବେଳେ ଦେଖିବାକୁ ମିଳିବ। ସଂପ୍ରତି ଲଣ୍ଡନ୍‌ ଗସ୍ତ ଲାଗି ଦିନକୁ ୩୫୦୦ରୁ ଉର୍ଧ୍ବ ଭାରତୀୟ ଭିସା ଆବେଦନ କରୁଛନ୍ତି। ଚଳିତ ବର୍ଷ ଜାନୁଆରିରୁ ଅପ୍ରେଲ୍‌ ମଧ୍ୟରେ ‌୨ ଲକ୍ଷରୁ ଅଧିକ ଭିସା ଆବେଦନ ମଞ୍ଜୁର ପାଇଁ ଆମର ଭିସା ପ୍ରଦାନକାରୀ ସଂସ୍ଥା ଭିଏଫ୍‌ସି ଗ୍ଲୋବାଲ କାର୍ଯ୍ୟ ଆରମ୍ଭ କରିଦେଲାଣି। ଆମେ ୧୫ କାର୍ଯ୍ୟ ଦିବସରେ ୯୭ ପ୍ରତିଶତ ଭିସାକୁ ମଞ୍ଜୁର ଦେବାକୁ ଚେଷ୍ଟା କରିବୁ। ମାର୍ଚ ଓ ଏପ୍ରିଲ୍‌ରେ ୧.୩ ଲକ୍ଷ ଭିସା ଆବେଦନ ଆସିଛି ବୋଲି ବ୍ରିଟିସ୍‌ ହାଇକମିସନ୍‌ର ଜଣେ ମୁଖପାତ୍ର ପ୍ରକାଶ କରିଛନ୍ତି। ୨୦୧୨ରେ ୩.୩୪ ଲକ୍ଷ ଭାରତୀୟ ବ୍ରିଟେନ୍‌ ଗସ୍ତ କରିଥିଲା ବେଳେ ୨୦୧୭ ବେଳକୁ ଏଥିରେ ୬୫ ପ୍ରତିଶତ ବୃଦ୍ଧି ଘଟି ୫.୬ ଲକ୍ଷ ହୋଇଥିଲା। ଅଧିକରୁ ଅଧିକ ଭାରତୀୟ ବିଶ୍ବକପ୍‌ ଲାଗି ଲଣ୍ଡନ୍‌ ଗସ୍ତର ଆଗ୍ରହକୁ ନଜର ରଖି ଆମେ ଭିସା ଆବେଦନ ବେଳେ ଅତିରିକ୍ତ ସୁବିଧାର ବ୍ୟବସ୍ଥା ରଖିଛୁ ବୋଲି ଭିଏଫ୍‌ଏସ୍‌ ଗ୍ଲୋବାଲ ଆଞ୍ଚଳିକ ଗ୍ରୁପ୍‌ ସିଓଓ ବିନୟ ମାଲହୋତ୍ରା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର