ବିଶ୍ବକପ୍ ବିଜୟୀ କ୍ୟାସିଲାସଙ୍କ ଅବସର

ପ୍ୟାରିସ୍: ସ୍ପେନ୍‌ର ବିଶ୍ବକପ୍ ବିଜୟୀ ଓ କିଂବଦନ୍ତି ଗୋଲ୍‌ରକ୍ଷକ ଆଇକର କ୍ୟାସିଲାସ୍ ସମସ୍ତ ପ୍ରକାର ଫୁଟ୍‌ବଲରୁ ଅବସର ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଗତ ଏକ ବର୍ଷ ହେବ ସେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଫୁଟ୍‌ବଲ ଖେଳି ପାରିନଥିଲେ। ୩୯ ବର୍ଷୀୟ କ୍ୟାସିଲାସ୍ ବିଶ୍ବକପ୍ ସହ ଦୁଇଥର ୟୁରୋପୀୟ ଚାମ୍ପିଅନସିପ୍ ଜିତିଛନ୍ତି। ନିଜ ପ୍ରିୟ ଦଳ ରିଅଲ ମାଦ୍ରିଦ ଛାଡ଼ି ୨୦୧୫ ମସିହାରେ ସେ ପର୍ତ୍ତୁଗାଲର ପୋର୍ତ୍ତୋ ଦଳରେ ଯୋଗ ଦେଇଥିଲେ। ତେବେ ଗତବର୍ଷ ମେ’ମାସରେ ହୃଦ୍‌ଘା‌ତର ଶିକାର ହେବା ପରେ ଫୁଟବଲ୍ ପଡ଼ିଆରୁ ଦୂରେଇ ରହିଥିଲେ। ଏହି ନିଷ୍ପତ୍ତି ନେବା ମୋ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା। ତେବେ ସ୍ବାସ୍ଥ୍ୟଗତ କାରଣରୁ ମୁଁ ପେସାଦାର ଫୁଟବଲ ଜୀବନରୁ ଅବସର ନେବାକୁ ବାଧ୍ୟ ହେଉଛି ବୋଲି କ୍ୟାସିଲାସ ତାଙ୍କ ଅବସର ବାର୍ତ୍ତାରେ କହିଛନ୍ତି। ୧୯୯୬ରୁ ୨୦୧୬ ମସିହା ମଧ୍ୟରେ ବିଭିନ୍ନ ବୟସ ବର୍ଗ ଫୁଟବଲ୍‌ରେ ସ୍ପେନ୍ ଜାତୀୟ ଦଳର ପ୍ରତିନିଧିତ୍ବ କରିଥିବା କ୍ୟାସିଲାସଙ୍କୁ ଗୋଲ୍ ରକ୍ଷଣ ଦକ୍ଷତା ଲାଗି ‘ସେଣ୍ଟ୍ ଆଇକର’ ଉପାଧୀ ମିଳିଥିଲା। ସ୍ପେନ୍ ଜାତୀୟ ବରିଷ୍ଠ ଦଳ ପକ୍ଷରୁ ସେ ୧୬୭ ମ୍ୟାଚ୍ ଖେଳିଛନ୍ତି। ୧୦୦୦ରୁ ଅଧିକ ପେସାଦାର ଫୁଟବଲ୍ ମ୍ୟାଚ୍ ଖେଳିଥିବା ହାତଗଣତି ଖେଳାଳିଙ୍କ ମଧ୍ୟରୁ ସେ ଅନ୍ୟତମ। ୨୦୧୦ ମସିହାରେ ଫୁଟବଲ୍ ଇତିହାସର ତୃତୀୟ ଗୋଲ୍ ରକ୍ଷକ ଭାବେ ସେ ସ୍ପେନ୍‌କୁ ବିଶ୍ବକପ୍ ବିଜୟୀ କରାଇଥିଲେ। ସ୍ପେନ୍ ଅତିରିକ୍ତ ସମୟରେ ନେଦରଲାଣ୍ଡ୍ସକୁ ୧-୦ରେ ହରାଇ ବିଜେତା ହେବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା।

ସମ୍ବନ୍ଧିତ ଖବର