ଚାରି ନମ୍ବରରେ ଶଙ୍କର କିମ୍ବା ରାହୁଲ ଖେଳିବେ: ଧାୱନ୍‌

ନୂଆଦିଲ୍ଲୀ,: ବିଶ୍ବକପ୍‌ରେ ଭାରତୀୟ ବ୍ୟାଟିଂକ୍ରମର ଚତୁର୍ଥ ନମ୍ବରରେ କିଏ ଖେଳିବ ସେ ନେଇ ତର୍କ ବିତର୍କ ଲାଗି ରହିଛି। ତେବେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଏଥିନେଇ ସଂପ୍ରତି ଆଉ ଆଲୋଚନା ପର୍ଯ୍ୟାଲୋଚନାର ଆବଶ୍ୟକତା ନାହିଁ ବୋଲି ମତ ରଖିଛନ୍ତି। ଚାରି ନମ୍ବର ସ୍ଥାନ ପାଇଁ ଖେଳାଳି ବଛା ସରିଛି। ଏଥିନେଇ ଆଉ କୌଣସି ସଂଶୟ କିମ୍ବା ସନ୍ଦେହ ନାହିଁ ବୋଲି ଏକ ସାକ୍ଷାତକାର ଅବସରରେ ଧାୱନ କହିଛନ୍ତି। ଆମ ପାଖରେ ବିଜୟ ଶଙ୍କର ଏବଂ ଲୋକେଶ ରାହୁଲ ଅଛନ୍ତି, ସେମାନଙ୍କ ମଧ୍ୟରୁ କେହି ଜଣେ ଚାରି ନମ୍ବରରେ ଖେଳିବେ। ପ୍ରଶିକ୍ଷକ ଏବଂ ଅଧିନାୟକ ଯାହା ଠିକ୍ ଭାବିବେ, ଆମେ ତାହା ହିଁ କରିବୁ। ବ୍ୟକ୍ତିଗତ ଭାବେ ବିଶ୍ବକପ୍‌ରେ ରୋହିତ ଶର୍ମାଙ୍କ ସହ ବ୍ୟାଟିଂ କରିବା ମୋତେ ବହୁତ ଭଲ ଲାଗିବ ବୋଲି ଧାୱନ ପ୍ରକାଶ କରିଛନ୍ତି।

ପଣ୍ଟିଂ ଏବଂ ଗାଙ୍ଗୁଲିଙ୍କଠାରୁ ବହୁ କିଛି ଶିଖିଛି

ଆଇପିଏଲ୍ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ଭାରତୀୟ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଶିଖର ଧାୱନ ଏବେ ମଧ୍ୟ କ୍ରିକେଟରୁ ଶିଖୁଛନ୍ତି। ଗୁରୁବାର ଏକ ସାକ୍ଷାତକାର ବେଳେ ଧାୱନ କହିଛନ୍ତି, ରିକି ପଣ୍ଟିଂ ଏବଂ ସୌରଭ ଗାଙ୍ଗୁଲିଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କଠାରୁ ସେ ଇତିମଧ୍ୟରେ ଅନେକ କିଛି ଶିଖିଛନ୍ତି। ଏହି ଜ୍ଞାନକୁ ସେ ଇଂଲଣ୍ଡରେ ମେ’ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୫୦ ଓଭରିଆ ବିଶ୍ବକପ୍‌ରେ ଉପଯୋଗ କରିବେ ବୋଲି ମଧ୍ୟ କହିଛନ୍ତି। ସୂଚନାଯୋଗ୍ୟ, ପଣ୍ଟିଂ ଦିଲ୍ଲୀ କ୍ୟାପିଟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ଥିବାବେଳେ ଗାଙ୍ଗୁଲି ଏହି ଦଳର ଉପଦେଷ୍ଟା ରହିଛନ୍ତି। ‘ମୁଁ ବଡ଼ ଭାଗ୍ୟବାନ ଯେ ଏମାନଙ୍କ ସହିତ କାମ କରିବାର ସୁଯୋଗ ମିଳିଛି। ଉଭୟ ବଡ଼‌ ନାୟକ, ସେମାନଙ୍କ ମାନସିକତାକୁ ଜାଣିବା ବଡ଼ କଥା। ଖେଳିବା ଏବଂ ନେତୃତ୍ବ ନେବା ବେଳେ ସେମାନେ କିଭଳି ମନୋଭାବ ରଖୁଥିଲେ ସେ ଜ୍ଞାନକୁ ବିଶ୍ବକପ୍‌ରେ ଉପଯୋଗ କରିବି ବୋଲି ଧାୱନ ପ୍ରକାଶ କରିଛନ୍ତି। ଭାରତ ପାଇଁ ୧୨୮ ଦିନିକିଆ ଖେଳିଥିବା ଧାୱନ ମୋଟ ୫,୩୫୫ ରନ୍ ସଂଗ୍ରହ କରିଛନ୍ତି। ଏହି ଅବସରରେ ଧାୱନ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍‌ସର ଯୁବ ତାରକା ପୃଥ୍ବୀ ସ’ଙ୍କ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର