ବିଶ୍ବ କନିଷ୍ଠ ଭଲିବଲ୍: ନାଇଜେରିଆକୁ ହରାଇ ଭାରତର ଅଭିଯାନ

ତେହେରାନ: ଇରାନର ତେହେରାନଠାରେ ଆୟୋଜିତ ୧୯ ବର୍ଷରୁ କମ୍ ବିଶ୍ବ ଭଲିବଲ୍‌ରେ ଭାରତ ପ୍ରଭାବଶାଳୀ ବିଜୟରୁ ତା’ର ଅଭିଯାନ ଆରମ୍ଭ କରିଛି। ନିଜ ପ୍ରଥମ ମୁକାବିଲାରେ ଆତ୍ମବିଶ୍ବାସଭରା ଭାରତୀୟ ଦଳ ୩-୧ (୨୫-୧୭, ୨୩-୨୫, ୨୫-୨୧ ଓ ୨୬-୨୪)ରେ ଆଫ୍ରିକୀୟ ରାଷ୍ଟ୍ର ନାଇଜେରିଆକୁ ପରାସ୍ତ କରିଛି। ଭାରତ ପକ୍ଷରୁ ତାନିଷ ଚୌଧୁରୀ ସର୍ବାଧିକ ୨୧ ଏବଂ ଅମନ କୁମାର ୧୯ ପଏଣ୍ଟ୍‌ ହାସଲ କରିଥିଲେ। ଭାରତ ଏହି ପ୍ରତିଯୋଗିତାରେ ପୋଲାଣ୍ଡ, ନାଇଜେରିଆ ଓ ଗୁଏଟମାଲା ସହ ପୁଲ୍-ଏ’ରେ ସ୍ଥାନ ପାଇଛି। ଭାରତ ତାର ପରବର୍ତ୍ତୀ ମ୍ୟାଚ୍‌ରେ ବୁଧବାର ଆୟୋଜକ ଇରାନକୁ ଭେଟିବ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତା ମଙ୍ଗଳବାରଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତୀୟ ଦଳର ଏହି ଉତ୍କଣ୍ଠାପୂର୍ଣ୍ଣ ବିଜୟ ଲାଗି ଭାରତୀୟ ଭଲିବଲ୍ ମହାସଂଘର ସଭାପତି, କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍‌ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସେହିଭଳି ଆଗାମୀ ମ୍ୟଚ୍‌ଗୁଡ଼ିକ ଲାଗି ଶୁଭେଚ୍ଛା ଓ ଶୁଭକାମନା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର