୬ ବଲ୍‌‌ରେ ୬ ଛକା ମାରିଲେ ଯଶକରନ

ଗିବ୍‌ସ, ଯୁବରାଜ ଓ ପୋଲାର୍ଡଙ୍କ ପରେ ଚତୁର୍ଥ ଅନ୍ତର୍ଜାତୀୟ ଖେଳାଳି

ଅଲ୍‌ଆମେରାଟ : ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଚତୁର୍ଥ ଖେଳାଳି ଭାବେ ଆମେରିକାର ଯଶକରନ ମାଲହୋତ୍ରା ୬ ବଲ୍‌ରେ ୬ ଛକା ମାରିବାର କୀର୍ତ୍ତିମାନ କରିଛନ୍ତି। ଏହି କୀର୍ତ୍ତିମାନ କରିବାରେ ସେ ହର୍ସେଲ ଗିବ୍ସ, ଯୁବରାଜ ସିଂହ ଓ କିରଣ ପୋଲାର୍ଡଙ୍କ ପରେ ଚତୁର୍ଥ ଅନ୍ତର୍ଜାତୀୟ ଖେଳାଳି ହୋଇଛନ୍ତି। ଅନ୍ୟପକ୍ଷରେ ଦିନିକିଆ ( ୫୦ ଓଭରିଆ ମ୍ୟାଚ୍‌) ଆନ୍ତର୍ଜାତିକରେ ଏହି କୀର୍ତ୍ତିମାନ ରଚିବାରେ ସେ ଗିବ୍‌ସଙ୍କ ପଛକୁ ଦ୍ବିତୀୟ ଖେଳାଳି ହୋଇଛନ୍ତି। ଗୁରୁବାର ପାପୁଆ ନ୍ୟୁ ଗିନି ବିପକ୍ଷ ଦ୍ବିତୀୟ ଦିନିକିଆର ଶେଷ ଓଭର ବୋଲିଂ କରୁଥିବା ଦ୍ରୁତ ବୋଲର ଗୌଡି ଟୋକାଙ୍କୁ ୬ ଛକା ମାରିଥିଲେ ଏହି ଆମେରିକା ବ୍ୟାଟ୍ସମ୍ୟାନ୍‌। ଏହି ମ୍ୟାଚ୍‌ ପୂର୍ବରୁ ଯଶକରନଙ୍କ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର୍‌ ଥିଲା ମାତ୍ର ୧୮ ରନ୍‌। ଏହି ମ୍ୟାଚ୍‌ରେ ଆମେରିକା ୯.୨ ଓଭରରେ ୨୭ ରନ୍‌ରେ ୩ ୱିକେଟ୍‌ ହରାଇ ସଂକଟରେ ପଡ଼ିଥିଲା। ପଞ୍ଚମ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିଲେ ୩୧ ବର୍ଷୀୟ ଏହି ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍‌।

ଦଳର ସବୁଭାର ନିଜ ମୁଣ୍ଡରେ ନେଇ ଅପରାଜିତ ୧୭୩ (୧୨୪ ବଲ୍‌, ୪ ଚୌକା, ୧୬ ଛକା) ରନ୍‌ର ପାଳି ଖେଳି ଦଳୀୟ ସ୍କୋର୍‌କୁ ୨୭୧/୯ରେ ପହଞ୍ଚାଇବା ସହ ଆମେରିକା ଇତିହାସରେ ଦ୍ବିତୀୟ ସର୍ବାଧିକ ବ୍ୟକ୍ତିଗତ ରନ୍‌ ହାସଲକାରୀ ହୋଇଥିଲେ। ଏଥିସହ ଦିନିକିଆ ମାନ୍ୟତା ପାଇବା ପରେ ଆମେରିକା ଲାଗି ପ୍ରଥମ ଶତକ ହାସଲକାରୀ ହେବାର ଗୌରବ ଅର୍ଜନ କରିଥିଲେ। ସେ ମଧ୍ୟ ଦିନିକିଆରେ ପଞ୍ଚମ ସ୍ଥାନରେ ସର୍ବାଧିକ ରନ୍‌ କୀର୍ତ୍ତିମାନରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ଏବି ଡି’ଭିଲିୟର୍ସ (୧୬୨ ରନ୍‌, ୬୬ ବଲ୍‌)ଙ୍କୁ ଟପି ଯାଇଥିଲେ। ଡି’ଭିଲିୟର୍ସ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ୨୦୧୫ ବିଶ୍ବକପ୍‌ରେ ଏହି କୀର୍ତ୍ତିମାନ କରିଥିଲେ। ତେବେ ଗୋଟିଏ ପାଳିରେ ସର୍ବାଧିକ ଛକା ମାରିବାରେ ସେ (୧୬) ଇଂଲଣ୍ଡର ଇଅନ ମୋର୍ଗାନ (୧୭)ଙ୍କଠୁ ମାତ୍ର ଗୋଟିଏ ପଛରେ ପଡ଼ିଯାଇଥିଲେ। ମୋର୍ଗାନ ଆଫ୍‌ଗାନିସ୍ତାନ ବିପକ୍ଷ ୨୦୧୯ ବିଶ୍ବକପ୍‌ରେ ୧୭ ଛକା ମାରିଥିଲେ।

ସମ୍ବନ୍ଧିତ ଖବର