ପାରାଲିମ୍ପିକ୍ସ୍‌ ଡିସ୍‌କସ୍‌ ଥ୍ରୋ’ରେ ରୌପ୍ୟ ପଦକ ଜିଣିଲେ ଭାରତର ଯୋଗେଶ କଥୁରିୟା

ଟୋକିଓ: ଟୋକିଓ ପରାଲିମ୍ପିକ୍ କ୍ରୀଡ଼ାରେ ଆୟୋଜିତ ପୁରୁଷ ବର୍ଗର ‘ଏଫ୍‌୫୬’ ଡିସ୍‌କସ୍‌ ଥ୍ରୋ’ ପ୍ରତିଯୋଗିତାରେ ଆଜି ଭାରତର ଯୋଗେଶ କଥୁରିୟା ରୌପ୍ୟ ପଦକ ବିଜୟୀ ହୋଇଛନ୍ତି।

ଏହି ପ୍ରତିଯୋଗିତାରେ କଥୁରିୟା ୪୪.୩୮ ମିଟର୍ ଦୂରତ୍ବ ପର୍ଯ୍ୟନ୍ତ ଡିସ୍‌କସ୍‌ ଥ୍ରୋ କରିଥିଲେ। ଏଥିରେ ବିଶ୍ବରେକର୍ଡଧାରୀ ବ୍ରାଜିଲ୍‌ କ୍ରୀଡ଼ାବିତ୍ ବେତିସ୍ତା ଡୋସ୍‌ ସୌନ୍ତୋସ୍ କ୍ଲଡିନନେ ୪୫.୫୯ ମିଟର୍‌ ଦୂରତ୍ବଯାଏଁ ଡିସ୍‌କସ୍‌ ଥ୍ରୋ’ କରି ସ୍ବର୍ଣ୍ଣପଦକ ଜିଣିବାରେ ସଫଳ ହୋଇଛନ୍ତି। ଏହାଛଡ଼ା, କ୍ୟୁବାର ଲିଓନାର୍ଡୋ ଡିଆଜ୍‌ ଆଲ୍‌ଦାନା ୪୩.୩୬ ମିଟର୍ ଦୂରତ୍ବକୁ ଡିସ୍‌କସ୍‌ ଥ୍ରୋ’ କରି କାଂସ୍ୟ ପଦକ ହାସଲ କରିଛନ୍ତି।

Image Courtesy of Navabharat Times

ପ୍ରାରମ୍ଭରୁ କଥୁରିୟା ‘ଫାଉଲ୍‌’ରୁ ଖେଳ ଆରମ୍ଭ କରିଥିଲେ। କିନ୍ତୁ, ଏହା ପରେ ସେ ୪୨.୮୪ ମିଟର୍ ଦୂରକୁ ଡିସ୍‌କସ୍‌ ଥ୍ରୋ’ କରିଥିଲେ। ଏହାପରେ ସେ ଏଥିରେ ଆହୁରି ପାରଦର୍ଶିତା ପ୍ରଦର୍ଶନ କରି ୪୩.୫୫ ମିଟର୍‌ ଦୂରକୁ ଡିସ୍‌କସ୍‌ ଥ୍ରୋ’ କଲେ। ଶେଷରେ ଚୂଡ଼ାନ୍ତ ପାଳିରେ ସେ ୪୪.୩୮ ମିଟର୍ ଦୂରକୁ ଡିସ୍‌କସ୍‌ ଫିଙ୍ଗି ରୌପ୍ୟ ପଦକ ଲାଭ କରିବା ଯୋଗ୍ୟତା ଅର୍ଜନ କରିଥିଲେ। ନୂଆଦିଲ୍ଲୀର କିରୋଡ଼ିମଲ୍‌ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରି କରିଥିବା ୨୪ ବର୍ଷିୟ କଥୁରିୟା ୨୦୧୯ରେ ଦୁବାଇ ଚାମ୍ପିଅନ୍‌ସିପ୍‌ରେ ‌କାଂସ୍ୟ ପଦକ ଜିଣିଥିଲେ।

କଥୁରିୟାଙ୍କ ପଦକକୁ ମିଶାଇ ଚଳିତ ଟୋକିଓ ପାରାଲିମ୍ପିକ୍ କ୍ରୀଡ଼ାରେ ଭାରତ ଏପର୍ଯ୍ୟନ୍ତ ୮ଟି ପଦକ ଲାଭ କଲାଣି।

 

ସମ୍ବନ୍ଧିତ ଖବର