ରୋହିତ ସଫଳ ଅଧିନାୟକ ହେବା ପଛର କାହାଣୀ କହିଲେ ଜାହିର

ନୂଆଦିଲ୍ଲୀ: ଆଇପିଏଲ୍‌ର ୨୦୧୪ ସଂସ୍କରଣରେ ରୋହିତ ଶର୍ମାଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍‌ସ ପକ୍ଷରୁ ‌ଖେଳିଥିଲେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ୍‌। ଏହି ବାମହାତୀ ଦ୍ରୁତ ବୋଲର ରୋହିତଙ୍କୁ ଜଣେ ମହାନ୍‌ ଅଧିନାୟକ ଭାବେ ବର୍ଣ୍ଣନା କରିଛନ୍ତି। ତେବେ ରୋହିତଙ୍କୁ ସଫଳ ଅଧିନାୟକ ହେବା ପଛର କାହାଣୀ ବଖାଣିଛନ୍ତି ଜାହିର। ତାଙ୍କ ସକାରାତ୍ମକ ନେତୃତ୍ବ ଶୈଳୀ ହିଁ ରୋହିତଙ୍କ ସଫଳତା ପଛରେ ଥିବା ଲମ୍ବା ତାଲିକାର ଅନ୍ୟତମ। ଚାପ ପରିସ୍ଥିତି‌ରେ ସେ ଅତ୍ୟନ୍ତ ଶାନ୍ତ ମସ୍ତିସ୍କରେ ରହିଥା’ନ୍ତି। ଯାହାକି ତାଙ୍କ ଖେଳାଳିଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ସହାୟକ ହୋଇଥାଏ। ତାଙ୍କ ନିକଟରେ କୌଣସି ପରିସ୍ଥିତିରେ ବି ହତୋତ୍ସାହ ଭାବ ଦେଖାଯାଏନାହିଁ। ଯାହାକି ତାଙ୍କୁ ଜଣେ ମହାନ୍‌ ଅଧିନାୟକ ଭା‌ବେ ଗଢ଼ି ତୋଳିଛି ବୋଲି ଟ୍ବିଟରରେ ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଜାହିର। ରୋହିତ କ୍ରିକେଟ୍‌ ପ୍ରତି ଉତ୍ସର୍ଗୀକୃତ ଏବଂ ସେ ଗୁରୁତ୍ବର ସହ ଚିନ୍ତା କରିଥା’ନ୍ତି। ପଡ଼ିଆରେ ସାଥୀ ଖେଳାଳିମାନେ ମଧ୍ୟ ତାଙ୍କୁ ଖୁବ୍‌ ବିଶ୍ବାସ କରନ୍ତି। ତେଣୁ ତାଙ୍କର ଏଭଳି ସବୁ ସ୍ବଭାବ ପାଇଁ ସେ ଜଣେ ମହାନ୍‌ ଅଧିନାୟକ ବୋଲି ମୁଁ କହିବି।

ଏଠାରେ ସୂଚନାଯୋଗ୍ୟ, ରୋହିତ ଆଇପିଏଲ୍‌ ଇତିହାସରେ ସବୁଠୁ ସଫଳ ଅଧିନାୟକ। ଯିଏକି ମୁମ୍ବାଇ ଇଣ୍ଡିଆନ୍‌ସକୁ ସର୍ବାଧିକ ୪ ଥର ବିଜେତା କରାଇଛନ୍ତି। ୨୦୧୩ ସଂସ୍କରଣ ମଝିରେ ଦଳର ଅଧିନାୟକ ନିଯୁକ୍ତ ହୋଇଥିବା ‌ରୋହିତ ସେହିବର୍ଷ ହିଁ ମୁମ୍ବାଇ ଇଣ୍ଡିଆନ୍‌ସକୁ ପ୍ରଥମ ଥର ଆଇପିଏଲ୍‌ ବିଜେତା କରାଇଥିଲେ। ଆଉ ଏହାପରେ ୨୦୧୫, ୨୦୧୭ ଓ ୨୦୧୯ରେ ସେହି ସଫଳତାକୁ ଦୋହରାଇଥିଲେ।

ସମ୍ବନ୍ଧିତ ଖବର