ବାଂଲା ଟେଷ୍ଟ୍‌ ଦଳରେ ଜାକିର ନୂଆ ମୁହଁ

ଢାକା: ତମିମ ଇକ୍‌ବାଲ ଆହତରୁ ସଂପୂର୍ଣ୍ଣ ମୁକୁଳିନଥିବାରୁ ଭାରତ ବିପକ୍ଷ ପ୍ରଥମ ଟେ‌ଷ୍ଟ୍‌ ପାଇଁ ନବାଗତ ଜାକିର ହାସନ୍‌ ବାଂଲାଦେଶ ଦଳକୁ ଡକରା ପାଇଛନ୍ତି। ସେ ଚଟୋଗ୍ରାମ ଟେଷ୍ଟ୍‌ରେ ଦଳ ପକ୍ଷରୁ ଶୀର୍ଷକ୍ରମରେ ବ୍ୟାଟିଂ କରିବେ। ଗୁରୁବାର ଘୋଷିତ ୧୭ ଜଣିଆ ଘରୋଇ ଦଳରେ ଜାକିର ଏକମାତ୍ର ନୂଆମୁହଁ ରହିଛନ୍ତି। ଘରୋଇ ୪ ଦିନିଆ ପ୍ରତିଯୋଗିତାରେ ଅଗ୍ରଣୀ ସ୍କୋରର୍‌ ରହିଥିବା ଜାକିର ଭାରତ-ଏ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ମଧ୍ୟ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦ୍ବିତୀୟ ପାଳିରେ ତାଙ୍କ ୧୭୩ ରନ୍‌ ହିଁ ମ୍ୟାଚ୍‌ ଅମୀମାଂସିତ ରହିବାରେ ପ୍ରମୁଖ ଭୂମିକା ନେଇଥିଲା।

ଏହି ୱିକେଟ୍‌ରକ୍ଷକ ବ୍ୟାଟର୍‌ ଚଳିତ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ମଧ୍ୟ ମୂଲ୍ୟବାନ ୪୬ ରନ୍‌ କରିଛନ୍ତି। ତମିମ ପ୍ରଥମ ଟେଷ୍ଟ୍‌ ଖେଳିପାରିବେନି ବୋଲି ଆମ ଫିଜିଓ କହିବା ପରେ ଆମେ କେବଳ ପ୍ରଥମ ଟେଷ୍ଟ୍‌ ପାଇଁ ଦଳ ଘୋଷଣା କରିଛୁ। ତାଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛୁ। ଏହାପରେ ସେ ଦ୍ବିତୀୟ ଟେଷ୍ଟ୍‌ ଖେଳିପାରିବେ ନା ନାହିଁ ନିଷ୍ପତ୍ତି ନିଆଯିବ ବୋଲି ବାଂଲା କ୍ରିକେଟ୍‌ ବୋର୍ଡ ମୁଖ୍ୟ ଚୟନକର୍ତା ମିନ୍‌ହାଜୁଲ ଆବେଦିନ୍‌ କହିଛନ୍ତି। ଦ୍ବିତୀୟ ଟେଷ୍ଟ୍‌ ଡିସେମ୍ବର ୨୨ ତାରିଖରୁ ଢାକାରେ ଖେଳାଯିବ।

ପ୍ରଥମ ଟେଷ୍ଟ୍‌ ଦଳ: ମହମୁଦୁଲ ହାସନ ଜୟ, ନାଜ୍‌ମୁଲ ହାସନ ସାଣ୍ଟୋ, ମୋମିନୁଲ ହକ୍‌, ୟାସିର ଅଲୀ ଚୌଧୁରୀ, ମୁସ୍‌ଫିକର ରହିମ, ସକିବ ଅଲ୍‌ ହାସନ (ଅଧିନାୟକ), ଲିଟନ ଦାସ, ନୁରୁଲ ହାସନ, ମେହଦି ହାସନ ମିରାଜ, ତାଇଜୁଲ ଇସ୍‌ଲାମ, ତସ୍‌କିନ ଅହମ୍ମଦ, ସୟଦ୍‌ ଖଲିଦ ଅହମ୍ମଦ, ଏବାଦତ ହୋସେନ, ସୋରିଫୁଲ ଇସ୍‌ଲାମ, ଜାକିର ହାସନ, ରାଜାଉର ରହମନ ରାଜା, ଏନାମୁଲ ହକ୍‌ ବିଜୟ।

ସମ୍ବନ୍ଧିତ ଖବର