ଦେବ ନାରାୟଣ ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା : ମାଲକାନଗିରିରୁ ହଟିଲେ ମନୀଷ
ଅଭିଯୋଗ ପରେ ରୁଜୁ ହୋଇଥିଲା ହତ୍ୟା ମାମଲା, ଓ୍ୱାଇ ବିଜୟ ନୂଆ ଜିଲ୍ଲାପାଳ
ଭୁବନେଶ୍ୱର : ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଵାଲଙ୍କୁ ମହଙ୍ଗା ପଡ଼ିଛି। ଦୀର୍ଘ ୧୧ ମାସ ପରେ ଏସ୍ଡିଜେଏମ୍ଙ୍କ ନିର୍ଦେଶ କ୍ରମେ ମନୀଷଙ୍କ ସମେତ ଅନ୍ୟ ତିନିଜଣଙ୍କ ବିରୋଧରେ ପୁଲିସ ମକଦ୍ଦମା ରୁଜୁ କରିବା ପରେ ରାଜ୍ୟ ସରକାର ବାଧ୍ୟ ହୋଇ ତାଙ୍କୁ ବଦଳି କରିଛନ୍ତି। ଶ୍ରୀ ଅଗ୍ରଵାଲଙ୍କୁ ସଚିବାଳୟ ଯୋଜନା ଏବଂ ସଂଯୋଜନ ବିଭାଗର ଉପଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେଠାରେ ଥିବା ଵାଇ ବିଜୟଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ତେବେ ଅନ୍ୟ ତିନିଜଣଙ୍କ କ୍ଷେତ୍ରରେ ସରକାର କି ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ତାହା ଜଣାପଡିନାହିଁ। ସେହିଭଳି କେବଳ ବଦଳି କରି ସରକାର ଏହି ସଙ୍ଗିନ୍ ମାମଲାରେ ଦାୟିତ୍ବ ଝା଼ଡ଼ିଦେବେ ନା ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ତାହାକୁ ନେଇ ମଧ୍ୟ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
କୌଣସି ଜିଲ୍ଲାପାଳ ତାଙ୍କର ସହକର୍ମୀଙ୍କୁ ହତ୍ୟା ମାମଲାରେ ଛନ୍ଦି ହୋଇଯିବା ଘଟଣା ରାଜ୍ୟ ପାଇଁ ନୂଆ ବୋଲି କୁହାଯାଉଛି। ଜିଲ୍ଲାପାଳଙ୍କ ବିରୋଧରେ ଆଇପିସି ଧାରା ୩୦୨, ୫୦୬, ୨୦୧, ୨୦୪, ୧୨୦(ବି) ଓ ୩୪ ଧାରାରେ ମାମଲା ରୁଜୁ କରାଯାଇଛି। ଏଥିରେ ହତ୍ୟା ଓ ହତ୍ୟା ପାଇଁ ଷଡ଼ଯନ୍ତ୍ର ସହିତ ସାକ୍ଷ୍ୟପ୍ରମାଣ ନଷ୍ଟ କରିଦେବାର ଅଭିଯୋଗ ରହିଛି। ଆଗକୁ ମାମଲା କେଉଁ ମୋଡ଼ ନେବ ତାହା ପରେ ଜଣାପଡ଼ିବ। କିନ୍ତୁ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଅପବାଦ ଆଣିଛନ୍ତି ମନୀଷ।
ଉଲ୍ଲେଖଥାଉକି, ଗତବର୍ଷ ଡିସେମ୍ବର ୨୮ ତାରିଖ ଦିନ ଦେବନାରାୟଣଙ୍କ ଶବ ମାଲକାନାଗିରି ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର କରାଯାଇଥିଲା। ପୂର୍ବରୁ ଦେବନାରାୟଣ ନିଖୋଜ ହୋଇଯାଇଥିବାର ଯେଉଁ ମାମଲା ଥିଲା ତାହାକୁ ପୋଲିସ ସେହିଦିନ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ପରେ ଦେବ ନାରାୟଣଙ୍କ ପତ୍ନୀ ସିଧାସଳଖ ଜିଲ୍ଲାପାଳ ଓ ଅନ୍ୟ ତିନି ଜଣ କର୍ମଚାରୀଙ୍କ ଆଡ଼କୁ ଆଙ୍ଗୁଠି ଉଠାଇ କୋର୍ଟକୁ ମାମଲା ଟାଣି ନେଇଥିଲେ। ଏବେ କୋର୍ଟଙ୍କ ନିର୍ଦେଶ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।