ଭୋକର ଭୂଗୋଳ ଏବେ ଭାତହାଣ୍ଡି

କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ

୧୦୬ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ
କଳାହାଣ୍ଡି ଜିଲ୍ଲା ରାଜ୍ୟରେ ବିକାଶର ମଡେଲ ସାଜିବ

ଜୟପାଟଣା : କିଛି ବର୍ଷ ପୂର୍ବରୁ ରାଜନେତାମାନେ କଳାହାଣ୍ଡିକୁ ଦାରିଦ୍ର୍ୟର ପରୀକ୍ଷାଗାର କରିବା ମତଲବରେ ଥିଲେ। ପ୍ରଧାନମନ୍ତ୍ରୀମାନେ ବି ଦାରିଦ୍ର୍ୟ ଦେଖିବା ପାଇଁ କଳାହାଣ୍ଡି ଆସୁଥିଲେ। ଆଜି କିନ୍ତୁ କଳାହାଣ୍ଡି ସମଗ୍ର ରାଜ୍ୟରେ ବିକାଶର ମଡେଲ ପାଲଟିବାକୁ ଯାଉଛି। ଭୋକର ଭୂଗୋଳ ଅପଖ୍ୟାତିରୁ ମୁକ୍ତ ହୋଇ ଏହା ଭାତହାଣ୍ଡିର ପରିଚୟ ପାଇଛି। ଗୁରୁବାର ପବିତ୍ର ମକର ସଂକ୍ରାନ୍ତିରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ ମଙ୍ଗଳପୁର ହାତୀ ବ୍ୟାରେଜ୍‌ ପରିସରରେ ନିର୍ମିତ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ୍‌ର ଲୋକାର୍ପଣ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ମଞ୍ଚରୁ ସେ ୧୦୬୪ କୋଟି ଟଙ୍କାରେ ନିର୍ମିତ ଜିଲ୍ଲାର ୫୪ଟି ପ୍ରକଳ୍ପର ଲୋକାର୍ପଣ କରିବା ସହ ୧୦୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୫୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମା’ ମାଣିକେଶ୍ବରୀଙ୍କୁ ପ୍ରଣାମ କରି ଭାଷଣ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଳାହାଣ୍ଡିର ବିକାଶ ପାଇଁ ଇନ୍ଦ୍ରାବତୀ ନଦୀକୁ ସମସ୍ତ ଶ୍ରେୟ ଦେଇଛନ୍ତି ଏବଂ ଏହି ଅବଦାନ ପାଇଁ ଏକ ମ୍ୟୁଜିୟମ ଓ ପାର୍କ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି। ସଭାସ୍ଥଳରେ ପ୍ରାୟ ୨୫୦୦ ଲୋକଙ୍କ ସମାଗମ ସହ ମୁଖ୍ୟମନ୍ତ୍ରୀଙ୍କ ଭାଷଣକୁ ସମଗ୍ର ଜିଲ୍ଲା‌ର ସବୁ ପଞ୍ଚାୟତରେ ଲୋକମାନେ ବଡ଼ ଟିଭି ପରଦାରେ ଦେଖିଛନ୍ତି।

ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋ‌ଗେ ଆସିି ଦିନ ୧୧ଟା ୩୦ ମିନିଟ୍‌ରେ ମଙ୍ଗଳପୁରରେ ପହଞ୍ଚିଥିଲେ। ମଞ୍ଚରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବା ପରେ ରିମୋଟ୍‌ ଯୋଗେ ଲିଫ୍ଟ କେନାଲ୍‌ ଓ ଶତାଧିକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ। ନିଜ ଭାଷଣ ଆରମ୍ଭରେ ପିତା ବିଜୁବାବୁଙ୍କୁ ଭବାନୀପାଟଣାରେ ଢେଲାମାଡ଼ ଘଟଣାର ଅବତାରଣା କରିବା ସହ ବିଜୁବାବୁ କଳାହାଣ୍ଡିକୁ କେତେ ଭଲ ପାଉଥିଲେ ତାହା ବର୍ଣ୍ଣନା କରିଥି‌ଲେ। କୃଷି କ୍ଷେତ୍ରରେ କଳାହାଣ୍ଡିର ବିକାଶର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଏବେ ଭାତହାଣ୍ଡି ହୋଇଛି। କଳାହାଣ୍ଡି ଧାନ ଉତ୍ପାଦନରେ ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ମଧ୍ୟ ଚାଉଳ ଯୋଗାଉଛି। ୧୦ଟି ରାଜ୍ୟ କେନ୍ଦ୍ରୀୟ ଭଣ୍ଡାରକୁ ଯେତିକି ଚାଉଳ ଯୋଗାଉଛନ୍ତି, କଳାହାଣ୍ଡି ଏକା ସେତିକି ଚାଉଳ ଯୋଗାଉଛି ବୋଲି କହିଥିଲେ। ସେହିପରି ମାଛ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରିଛି। କେବଳ କୃଷି ନୁହେଁ, ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ କରିବା କ୍ଷେତ୍ରରେ ମଧ୍ୟ ଜିଲ୍ଲା ବେଶ୍‌ ସଫଳତା ପାଇଛି। କଳାହାଣ୍ଡିର ଏହି ରୂପାନ୍ତରର ସବୁ ଶ୍ରେୟ ଇନ୍ଦ୍ରାବତୀ ନଦୀକୁ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଇନ୍ଦ୍ରାବତୀ ଆମର ମା’ ଏବଂ କଳାହାଣ୍ଡିର ଜୀବନରେଖା। କଳାହାଣ୍ଡିବାସୀଙ୍କ ଦେହରେ ତାର ପାଣି ରକ୍ତ ହୋଇ ବୋହୁଛି। ମା’ ଇନ୍ଦ୍ରାବତୀର ଏହି ଅବଦାନକୁ ସମ୍ମାନ ଜଣାଇ ଏଠାରେ ଏକ ସଂଗ୍ରହାଳୟ ଓ ଉଦ୍ୟାନ ନିର୍ମାଣ କରାଯିବ। ଏହି ସଂଗ୍ରହାଳୟ ସାରା ବିଶ୍ବକୁ କଳାହାଣ୍ଡିର ରୂପାନ୍ତରର କାହାଣୀ କହିବ। ଉଦ୍ୟାନ ଭିତରେ ମା’ ଇନ୍ଦ୍ରାବତୀଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବ। ଇନ୍ଦ୍ରାବତୀର ଟୋପାଏ ବି ଜଳବିନ୍ଦୁକୁ ନଷ୍ଟ ହେବାକୁ ନ ଦେଇ, କଳାହାଣ୍ଡିର ବିକାଶରେ ପୂରା ବିନିଯୋଗ କରିବା ସହିତ ଭବିଷ୍ୟତ ପିଢି ପାଇଁ ଇନ୍ଦ୍ରବତୀର ପାଣିକୁ ସୁରକ୍ଷିତ ରଖିବାକୁ ସଂକଳ୍ପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଥିଲେ।

ଆଜିର ଦିନ ଜିଲ୍ଲା ପାଇଁ ଐତିହାସିକ ଦିନ ବୋଲି ବିଭିନ୍ନ ବକ୍ତା କହିଥିଲେ। ପାର୍ଟି ଅପେକ୍ଷା ମାଟିର ବିକାଶ ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦିଆଯାଇଥିଲା। ସ୍ଥାନୀୟ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ନର୍ଲା ବିଧାୟକ ଭୂପିନ୍ଦର ସିଂ, ମୌଷଧୀ ବାଗ ସ୍ୱାଗତ ଭାଷଣ ଦେଇଥିଲେ। ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ କୁମାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଜଳସମ୍ପଦ ମୁଖ୍ୟ ସଚିବ ଅନୁ ଗର୍ଗ ପ୍ରମୁଖ ବକ୍ତବ୍ୟ ରଖିଥିଲେ। କଳାହାଣ୍ଡି ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଉପସ୍ଥିତ ଥିଲେ।

ଷାଠିଏରୁ ଅଧିକ ବିଧାୟକ ଓ ମନ୍ତ୍ରୀ ଗତ ୧୩ ତାରିଖରୁ ୩ଟି ବ୍ଲକ୍‌ର ସମସ୍ତ ଅଞ୍ଚଳ ଗସ୍ତ କରି ଲୋକଙ୍କୁ ସଚେତନ କରିଥିଲେ। ଲୋକାର୍ପଣ ଉତ୍ସବକୁ ଜିଲ୍ଲାର ୩୧୦ ପଞ୍ଚାୟତରେ ସିଧା ପ୍ରସାରଣ କରାଯାଇଥିଲା। ମଞ୍ଚରେ ଯଦିଓ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଉପସ୍ଥିତ ନଥିଲେ, କିନ୍ତୁ ଜଳସମ୍ପଦ ମନ୍ତ୍ରୀ ଓ ଅନ୍ୟ ବକ୍ତାମାନେ ପ୍ରକଳ୍ପ ପଛରେ ଥିବା ତାଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ବହିରାଗତ କେନାଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳା, ଚାଷୀ ଏକତ୍ରିତ ହୋଇଥିଲେ। ଏହି କେନାଲ୍‌ରେ ପାଣି ପହଞ୍ଚିବା ପରେ ପ୍ରଥମ ଜଳଧାରାକୁ ଫୁଲ ପକାଇ ଭବ୍ୟ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ସଭା ସ୍ଥଳରୁ ଉଠିବା ପରେ ଆକାଶ ମାର୍ଗରୁ ବହିରାଗତ କେନାଲ୍‌ର ବାସ୍ତବ ଦୃଶ୍ୟକୁ ଉପଲବ୍ଧି କରୁଥିବାବେଳେ ତାଙ୍କୁ ମଧ୍ୟ ସ୍ୱାଗତ କରାଯାଇ ଥିଲା।

ଏହି ସଭା ସ୍ଥଳୀରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ସୁଶାନ୍ତ ସିଂ, ପ୍ରତାପ ଜେନା, ଦେବୀ ମିଶ୍ର, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜିତେନ୍ଦ୍ର ନାରାୟଣ ସିଂହଦେଓ ସମେତ ଅନେକ ବିଧାୟକ ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଉଭୟ ସାଂସ୍କୃତିକ ମଞ୍ଚରେ ବ୍ରହ୍ମପୁରର ପ୍ରିନ୍ସ ଡ୍ୟାନ୍‌ସ ଗ୍ରୁପ୍‌, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ବଜାଶାଲ, ରିଦିମ୍‌ ସ୍କିଲ୍‌ ଜୟପାଟଣା, ନୃତ୍ୟାଙ୍ଗନା ଭବାନୀପାଟଣା, ଜଗତ ଜନନୀ ଘୁମୁରା ଦଳ ଜୟପାଟଣା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ। ଶେଷରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଧନ୍ୟବାଦ ଦେଇଥିଲେ। ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପଦ୍ମନାଭ ପଣ୍ଡା, ଏଲ୍‌ଆଣ୍ଡ୍‌ଟି କର୍ତୃପକ୍ଷ, ସମାଜସେବୀ ମାଣିକ୍ୟ ଜ୍ୟୋତି ପଣ୍ଡା ସ୍ଥାନୀୟ ପ୍ରଶାସନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା।

ସମ୍ବନ୍ଧିତ ଖବର