ରଥଖଳା ଚଳଚଞ୍ଚଳ: ତୁମ୍ବରେ ଅରକଣ୍ଟା ବିନ୍ଧ ଆରମ୍ଭ

ପୁରୀ : ରଥ ନିର୍ମାଣ ନବମ ଦିନରେ ଆଜି ରଥଖଳାରେ ତୁମ୍ବ ବିନ୍ଧ ସହ ଅରକଣ୍ଟା ବିନ୍ଧ କାମ ଆରମ୍ଭ ହୋଇଛି। ତିନି ରଥର ୪୨ଟି ତୁମ୍ବରୁ ୨୬ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ସେହିଭଳି ୧୪ଟି ତୁମ୍ବର ଅରକଣ୍ଟା ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ବଜ ରଥର ୧୪ଟି ତୁମ୍ବରୁ ୯ଟି ତୁମ୍ବର ବିନ୍ଧ କାର୍ଯ୍ୟ ‌ଶେଷ ହୋଇଥିବାବେଳେ ଅବଶିଷ୍ଟ ତୁମ୍ବର ବିନ୍ଧ କାର୍ଯ୍ୟ ଜାରି ରହିଛି। ଏଥିସହ ୪ଟି ତୁମ୍ବରେ ଅରକଣ୍ଟା ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଦେବଦଳନ ରଥର ୧୨ଟି ତୁମ୍ବରୁ ୭ଟି ତୁମ୍ବର ବିନ୍ଧ କାର୍ଯ୍ୟ ‌ଶେଷ ହୋଇଥିବାବେଳେ ଅବଶିଷ୍ଟ ତୁମ୍ବର ବିନ୍ଧ କାର୍ଯ୍ୟ ଜାରି ରହିଛି। ୬ଟି ତୁମ୍ବର ଅରକଣ୍ଟା ବିନ୍ଧ କାର୍ଯ୍ୟ ଶେଷ ହୋଇଛି।

ନନ୍ଦିଘୋଷ ରଥର ୧୬ଟି ତୁମ୍ବରୁ ୧୦ଟି ତୁମ୍ବର ବିନ୍ଧ କାର୍ଯ୍ୟ ‌‌ଶେଷ ହୋଇଛି। ବାକି ତୁମ୍ବର ବିନ୍ଧ କାମ ଜାରି ରହିଛି। ୪ଟି ତୁମ୍ବର ଅରକଣ୍ଟା ବିନ୍ଧ କାର୍ଯ୍ୟ ‌ଶେଷ ହୋଇଛି। ସେପଟେ ଦୋଳବେଦି କମାରଶାଳରେ ଓଝା ସେବକମାନେ ଅରକଣ୍ଟା ନିର୍ମାଣ ସହ ପନ୍ଦାରି ପୋଡ଼ା ଓ ମଠା କାମ ଜାରି ରଖିଛନ୍ତି। ନନ୍ଦିଘୋଷ ରଥ ଓ ଦେବଦଳନ ରଥର ଓଝା ସେବକମାନେ ଦୁଇଟି ଚକ ପାଇଁ ଆବଶ୍ୟକ ପନ୍ଦାରି ପୋଡ଼ିବା ସହ ମଠା କାର୍ଯ୍ୟ ଶେଷ କରିଛନ୍ତି । ସେହିପରି ତାଳଧ୍ବଜ ରଥର ଓଝା‌ ସେବକମାନେ ଅରକଣ୍ଟା ନିର୍ମାଣ ସହ ୮ଟି ପନ୍ଦାରି ପୋଡ଼ା କାମ ଶେଷ କରିଛନ୍ତି। ଏହା ପରେ ମଠା କାର୍ଯ୍ୟ ଆରମ୍ଭ ହେବ। ଆଜି ରଥ ନିର୍ମାଣରେ ୬୭ଜଣ ମହାରଣା ସେବକ, ୪୫ଜଣ ଭୋଇ ସେବକ, ୪ କରତି ସେବକ, ଜଣେ ତୁମ୍ବ ବିନ୍ଧ କାରିଗର, ଦୁଇଜଣ ପାହି ମହାରଣା, ୧୨ଜଣ ଓଝା ସେବକ, ଏଭଳି ୧୩୨ଜଣ ସେବକ ରଥ ନିର୍ମାଣ କାମରେ ନିୟୋଜିତ ଥିଲେ।

ସମ୍ବନ୍ଧିତ ଖବର