ଖୋର୍ଦ୍ଧା ଆୟକର ଅଧିକାରୀଙ୍କୁ ଗିରଫ କଲା ସିବିଆଇ
ସୁନା ଦୋକାନୀଙ୍କୁ ଧମକାଇ ଲୁଟୁଥିଲେ, ୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ
ଖୋର୍ଦ୍ଧା : ଖୋର୍ଦ୍ଧା ଆୟକର ବିଭାଗ ଅଧିକାରୀ ସୁମନ ସୁନ୍ଦର ସାହୁ ଲାଞ୍ଚ ନେବା ବେଳେ ଶନିବାର ଦିନ ସିବିଆଇ ହାତରେ ଧରାପଡ଼ିଛନ୍ତି। ଗତ ପ୍ରାୟ ୧ ମାସ ଧରି ଶ୍ରୀ ସାହୁ ଏକ ସୁନାଗହଣା ଦୋକାନକୁ ଧମକାଇ ତିନିଟି କିସ୍ତିରେ୧୫ଲକ୍ଷ ନେଇଥିଲେ। ଏତେ ପରିମାଣରେ ଟଙ୍କା ମିଳିବା ଦେଖି ଲୋଭ ବଢ଼ିଥିଲା। ପୁଣି ଫୋନ୍ କରି ଆହୁରି ଟଙ୍କା ଦେବାକୁ ଦାବି କରିଥିଲେ। ଆଜି ଅପରାହ୍ଣରେ ପୁଣି ୫ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ୍ ହାତରେ ଧରାପଡ଼ିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ, ଜଟଣୀ ଅରୁଗୁଳ ଗାଁର ଦେବେନ୍ଦ୍ର କୁମାର ସାହୁ ଖୋର୍ଦ୍ଧା ମାରୱାଡ଼ି ପଟ୍ଟିରେ ଶାନ୍ତି ଜୁଏଲର୍ସ ନାମରେ ଏକ ସୁନା, ରୁପା ଗହଣା ଦୋକାନ ଖୋଲିଛନ୍ତି। ୫–୬ ମାସ ପୂର୍ବେ ଖୋର୍ଦ୍ଧା ଆୟକର ବିଭାଗର ଅଧିକାରୀ ସୁମନ ସୁନ୍ଦର ସାହୁ ଗହଣା ଦୋକାନ ମାଲିକ ଦେବେନ୍ଦ୍ରଙ୍କୁ ଆୟକର ଫାଙ୍କୁଥିବା ନେଇ ସୂଚିତ କରି ତାଙ୍କ ବିରୋଧରେ ପଦକ୍ଷେପ ନେବାକୁ ଧମକ ଦେଇଥିଲେ। ଏଥିରେ ଦେବେନ୍ଦ୍ର ଭୟଭୀତ ହୋଇ ସମାଧାନର ଉପାୟ ପଚାରିଥିଲେ। ଆୟକର ଅଧିକାରୀ ସୁମନ ସାହୁ ସମସ୍ତ ଆୟକର ମାମଲା ରଫାଦଫା କରିବାକୁ ନିୟମିତ ଟଙ୍କା ଦେବାକୁ କହିଥିଲେ। ତିନିଟି କିସ୍ତିରେ ୪୦ଲକ୍ଷ ଟଙ୍କା ପ୍ରଥମେ ଦେବେ। ଏହାସହ ପ୍ରତିବର୍ଷ ୫ଲକ୍ଷ ଟଙ୍କା ଲୋଖାଏଁ ଦେବାକୁ କହିଥିଲେ। ଏହାପରେ ଆୟକର ଅଧିକାରୀ ସୁମନ ସାହୁ ପ୍ରଥମ କିସ୍ତିରେ ୧୦ଲକ୍ଷ ଟଙ୍କା ନଗଦ ଓ ୫ଲକ୍ଷ ଟଙ୍କାର ସୁନା ଗହଣା ନେଇଥିଲେ। ୧ ମାସ ପୂର୍ବେ ଦେବେନ୍ଦ୍ରଙ୍କୁ ପୁଣି ଫୋନ କରି ଆୟକର ଅଧିକାରୀ ଶ୍ରୀ ସାହୁ ବଳକା ୩୦ ଲକ୍ଷ ଟଙ୍କା ୧୫ ଦିନ ମଧ୍ୟରେ ଦୁଇଟି କିସ୍ତିରେ ଦେବାକୁ କହିଥିଲେ। ନଦେଲେ ଦୁଇଦିନ ମଧ୍ୟରେ ଚଢ଼ଉ ନିଶ୍ଚିତ ବୋଲି ଧମକ ଦେଇଥିଲେ।
ଏତେ କମ୍ ଦିନ ମଧ୍ୟରେ ଏତେ ପରିମାଣର ଟଙ୍କା କିଭଳି ଦେବେ ସେଥିରେ ବ୍ୟତିବ୍ୟସ୍ତ ହୋଇ ଦେବେନ୍ଦ୍ର ସିବିଆଇ ଭୁବନେଶ୍ବର କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଆଜି ସିବିଆଇ ଡିଏସ୍ପିଙ୍କ ନେତୃତ୍ବରେ ଏକ ଟିମ୍ ଓ ଗହଣା ବ୍ୟବସାୟୀ ଦେବେନ୍ଦ୍ର ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଆୟକର ଅଧିକାରୀଙ୍କ ଶ୍ରୀରାମନଗର ବାସସ୍ଥାନରେ ପହଞ୍ଚିଥିଲେ। ଦେବେନ୍ଦ୍ର ପ୍ରଥମେ ଘର ଭିତରକୁ ଯାଇ ୫ଲକ୍ଷ ଟଙ୍କା ଦେଇ ବାହାରକୁ ଅସିଥିଲେ। ଏହାପରେ ବାହାରେ ଅପେକ୍ଷା କରିଥିବା ସିବିଆଇ ଟିମ୍ ଆୟକର ଅଧିକାରୀ ସୁମନ ସାହୁଙ୍କ ଘର ଭିତରେ ପଶିଥିଲେ। ପ୍ରାୟ ସାଢେ଼ ୫ ଘଣ୍ଟା ଧରି ବିଭିନ୍ନ ନଥିପତ୍ର ଆଦି ଯାଞ୍ଚ କରିବା ପରେ ସଂଧ୍ୟା ସାଢେ଼ ୬ଟା ବେଳେ ଆୟକର ଅଧିକାରୀ ଶ୍ରୀ ସାହୁଙ୍କୁ ଗିରଫ କରି ଭୁବନେଶ୍ବର ନେଇଯାଇଥିଲେ।
ଏନେଇ ଶାନ୍ତି ଜୁଏଲର୍ସର ମାଲିକ ଦେବେନ୍ଦ୍ର ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ତାଙ୍କ ଦୋକାନ ପାଇଁ ଜମି କିଣିବା ପରେ ଆୟକର ଅଧିକାରୀଙ୍କ ଫୋନ୍ ଆସିଥିଲା। ପ୍ରଥମେ ଭୟରେ ସେ ୧୫ଲକ୍ଷ ଟଙ୍କା ଦେଇଥିଲେ, କିନ୍ତୁ ନିର୍ଯାତନା ବଢ଼ିବା ପରେ ସେ ଯାଇ ଅର୍ଥନୈତିକ ଅପରାଧ ଶାଖା ସହ ଯୋଗାଯୋଗ କରିଥିଲେ। ଅର୍ଥନୈତିକ ଅପରାଧ ଶାଖା ନିଜର ଅସାମର୍ଥ୍ୟ ଦର୍ଶାଇ ସିବିଆଇ ସହ ତାଙ୍କର ଯୋଗାଯୋଗ କରାଇଥିଲେ। ସିବିଆଇ ଗତ ୧୦ ଦିନ ଧରି ଆୟକର ଅଧିକାରୀଙ୍କ ଫୋନ୍ ଟେପ୍ କରିବା ଆରମ୍ଭ କରିଥିଲେ। ତିନି ଦିନ ପୂର୍ବେ ଆୟକର ଅଧିକାରୀ ଶ୍ରୀ ସାହୁ ତାଙ୍କୁ ଫୋନ୍ କରି ଆଜି ୧୫ଲକ୍ଷ ଟଙ୍କା ନଗଦ ନେଇ ଘରକୁ ଆସିବାକୁ କହିଥିଲେ। ନିର୍ଦ୍ଦେଶାନୁସାରେ, ସେ ୫ଲକ୍ଷ ଟଙ୍କା ନେଇ ଯାଇଥିଲେ। ୫ଲକ୍ଷ ଟଙ୍କା ନେବାକୁ ଆୟକର ଅଧିକାରୀ ପ୍ରଥମେ ଅରାଜି ହୋଇଥିଲେ, କିନ୍ତୁ ୧୦–୧୫ ମିନିଟ ମଧ୍ୟରେ ୧୦ଲକ୍ଷ ଟଙ୍କା ବଦଳରେ ସୁନା ଗହଣା ଦେବାକୁ ପ୍ରତିଶ୍ରୁତି ଦେବା ପରେ ଟଙ୍କା ଗ୍ରହଣ କରିଥିଲେ। ସେ ଟଙ୍କା ଦେଇ ବାହାରକୁ ଆସିବା ପରେ ସିବିଆଇ ଟିମ୍ ଚଢ଼ଉ କରିଥିଲା।