ଚାଷୀଙ୍କ ଶେଷ ପ୍ରୟାସ, କପା କିଆରିରେ ପାଣି ସିଞ୍ଚୁଛନ୍ତି

ଦେଓଗାଁ: ବର୍ଷା ଅଭାବରୁ ଧାନ ସହିତ ଅନ୍ୟ ଫସଲ ମରିବାକୁ ବସିଛି। ଏଭଳି ସ୍ଥିତିରେ ଅନ୍ୟ ଉପାୟ ନପାଇ ଚାଷୀମାନେ ଗଛକୁ ବଞ୍ଚାଇବା ପାଇଁ ପାଣି ସିଞ୍ଚନ କରୁଥିବା ଦେଖିବାକୁ ମିଳିଛି। ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ପରୁଆଭାଡ଼ି ଗାଁର ଚାଷୀ ରଦନିଆ ବଡ଼ନେଡ଼ିଆ ତାଙ୍କ କପା କିଆରିରେ ଗଛକୁ ବଞ୍ଚାଇବା ପାଇଁ ପାଣି ବୋହି ଆଣି ସିଞ୍ଚନ କରୁଥିବା ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ, ବର୍ଷା ଅଭାବରୁ ଗଛ ସବୁ ମରିବାକୁ ବସିଛି। ଆଉ ୩-୪ ଦିନ ଭିତରେ ବର୍ଷା ହେଲେ କପା ଚାଷ ରକ୍ଷା ପାଇଯିବ। ତେଣୁ ବର୍ଷା ପର୍ଯ୍ୟନ୍ତ ଗଛଗୁଡ଼ିକୁ ବଞ୍ଚାଇବା ପାଇଁ ପାଣି କାଢ଼ି ଗଛ ମୂଳରେ ଦେଉଥିବା ସେ କହିଥିଲେ। ଦେଓଗାଁ ଚିନି କଳ ବନ୍ଦ ପରେ କିଛି ବର୍ଷ ହେଲା କପା ଚାଷ ଉପରେ ନିର୍ଭର କରୁଛନ୍ତି। ଖୋଲା ବଜାରରେ ୧ ପ୍ୟାକେଟ କପା ବିହନର ମୂଲ୍ୟ ସାଢ଼େ ୭ ହଜାର ଟଙ୍କା। ଏତିକି ଚାଷ କଲେ ପ୍ରାୟ ୪ କ୍ବିଣ୍ଟାଲ କପା ଉତ୍ପାଦନ ହୁଏ। କ୍ବିଣ୍ଟାଲ ପ୍ରତି ପ୍ରାୟ ୫ହଜାର ଖର୍ଚ୍ଚ ହେଲେ ୨୦ହଜାର ଟଙ୍କା ମିଳେ ବୋଲି ସେ କହିଥିଲେ। ସେହିପରି ରାମଚନ୍ଦ୍ରପୁର ଗାଁର ସନାତନ କୁଦେଇ ମଧ୍ୟ ସମାନ କଥା କହିଛନ୍ତି। ସୂଚନାଯୋଗ୍ୟ ଯେ, ଦେଓଗାଁ ବ୍ଲକର ପଶ୍ଚିମାଞ୍ଚଳର ୬ଟି ପଞ୍ଚାୟତରେ ବହୁ ପରିମାଣରେ କପା ଚାଷ କରାଯାଇଥାଏ। ପ୍ରତି ବର୍ଷ ବର୍ଷା ଅଭାବରୁ କପା ଚାଷ ପ୍ରଭାବିତ ହେଉଛି। ପ୍ରକାଶଥାଉ କି, କେବଳ କପା ଚାଷ ନୁହେଁ ଦେଓଗାଁ ବ୍ଲକରେ ବର୍ଷା ଅଭାବରୁ ମକା ଓ ଚିନାବାଦାମ ଚାଷ ମଧ୍ୟ ଅଳ୍ପ କିଛି ଦିନ ଭିତରେ ବର୍ଷା ନ ହେଲେ ନଷ୍ଟ ହୋଇଯିବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର