ଜାଗା ବଦଳିଲେ ଆଇନ ବଦଳେ: ବ‌ନକର୍ମଚାରୀ ‌ନିଲମ୍ବିତ, ବିଡିଓ ବୋଲି ଦଫାରଫା!

କେନ୍ଦ୍ରାପଡ଼ା/ରାଜକନିକା: ପୁରୀରେ ଦୁଇ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବାଲୁଖଣ୍ତ ଅଭୟାରଣ୍ୟର ଦୁଇ ବନ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଥାନାରେ ଏତଲା ପରେ ନିଲମ୍ବିତ ଦୁଇ କର୍ମଚାରୀ ଗିରଫ ବି ହୋଇଛନ୍ତି। କିନ୍ତୁ କେନ୍ଦ୍ରାପଡ଼ାରେ ଦୁଇ ସାମ୍ବାଦିକଙ୍କୁ ଅଫିସ୍‌ ଡକାଇ ନିସ୍ତୁକ ପିଟିବା ପରେ ବି କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ବିଡିଓ ଡି.ଏସ୍‌. ଶୁଭଦର୍ଶୀଙ୍କ ବିରୋଧରେ ପ୍ରଶାସନ ହାତିବାନ୍ଧି ବସିଛି। ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ବଦଳରେ ରାଜକନିକା ପୁଲିସ୍‌ ବିଡିଓଙ୍କୁ ଥାନାକୁ ଡକାଇ ରଫଦଫା କରିବା ପାଇଁ ଉଦ୍ୟମ ଚଳାଇଛନ୍ତି।

ଗତ ୧ତାରିଖରେ ତୁଳସୀକ୍ଷେତ୍ର ନିୟୁଜ୍‌ ସର୍ଭିସ୍‌ରେ ପ୍ରସାରିତ ଏକ ଖବରକୁ ନେଇ ଏହି ବିବାଦ ଉଠିଥିଲା। ରାଜକନିକା ବାବୁଳାଇପଡ଼ା ଅ˚ଚଳର ଜଣେ ଅସହାୟ ମହିଳା ସ˚ଚିତ ଅର୍ଥରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିଥିଲେ। ଦାନ ଅର୍ଥର କୌଣସି ରସିଦ୍‌ ବୃଦ୍ଧାଙ୍କୁ ମିଳିନଥିବା ନେଇ ତୁଳସୀକ୍ଷେତ୍ର ନିୟୁଜ୍‌ ସର୍ଭିସ୍‌ ୱେବ୍‌ପୋର୍ଟାଲରେ ଖବର ପ୍ରସାରିତ ହେବା ପରେ ବିଡିଓ ଆପତ୍ତି ଉଠାଇଥିଲେ। ୨ତାରିଖରେ ଫୋନ୍‌ କରି ସ˚ପାଦକ ନିଳାଦ୍ରୀ ଭୂଷଣ ତ୍ରିପାଠୀଙ୍କୁ ଗାଳିଗୁଲଜ୍‌ କରିବା ସହ ଅଫିସ୍‌ ଆସି ଦେଖା ନକଲେ ଅପରାଧିକ ମାମଲା ରୁଜୁ କରିବି ବୋଲି ଧମକ ଦେଇଥିଲେ। ବିଡିଓଙ୍କ କଥା ମାନି ଦେଖା କରିବା ପାଇଁ ୩ତାରିଖ ଦିନ ପ୍ରାୟ ୧୦ଟା ବେଳେ ସହଯୋଗୀ ପ୍ରଶାନ୍ତଙ୍କ ସହିତ ରାଜକନିକା ବ୍ଲକ୍‌ ଅଫିସ୍‌ ଯାଇଥିଲେ। ହେଲେ ସେଠାରେ ବିଡିଓ ଉଭୟଙ୍କୁ ଭୁଲ୍‌ ନିୟୁଜ୍‌ ପାଇଁ କ୍ଷମା ମାଗିବାକୁ କହିବା ସହ ନିର୍ଘାତ୍‌ ମାଡ଼ ମାରିଥିଲେ। ଏହି ଭିଡିଓ ସୋସିଆଲ୍‌ ଭିଡିଓରେ ଭାଇରାଲ୍‌ ହୋଇଥିବା ବେଳେ ଶ୍ରୀ ତ୍ରିପାଠୀ ଗତକାଲି ରାଜକନିକା ଥାନାକୁ ଯାଇ ବିଡିଓଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ଏହି ଘଟଣାକୁ ନେଇ ବହୁ ସାମ୍ବାଦିକ ବିଡିଓଙ୍କ ଗିରଫ ଓ ନିଲମ୍ବନ ଦାବିରେ ଥାନାରେ ଆଗରେ ଧାରଣା ଦେଇଥିଲେ। ଏସ୍‌ଡିପିଓ ର˚ଜନ ଦେ ଓ ଅତିରିକ୍ତ ଜିଲ୍ଳାପାଳ ବସନ୍ତ ରାଉତ ଥାନାରେ ପହଞ୍ଚିବା ବିଡିଓଙ୍କୁ ଥାନାକୁ ଡକାଇ ଘଟଣା ସ˚ପର୍କରେ ଆଲୋଚନା କରିଥିଲେ। ଅଭିଯୋଗକାରୀଙ୍କ ସମେତ ଅନ୍ୟ ସାମ୍ବାଦିକମାନେ ଆଲୋଚନାରେ ଉପସ୍ଥିତ ଥିଲେ। ମାଡ଼ ମାରିବା ଭୁଲ୍‌ ହୋଇଛି ବୋଲି ବିଡିଓ କହିବା ପରେ ଆଲୋଚନା ଶେଷ ହୋଇଥିଲା। କିନ୍ତୁ ପୁଲିସର ଏଭଳି ଦଫାରଫା ଉଦ୍ୟମକୁ ଗ୍ରହଣ କରିନାହାନ୍ତି ଅଭିଯୋଗକାରୀ। ପୁଲିସ ମାମଲା ରୁଜୁ ନ କଲେ ଅଦାଲତଙ୍କ ଆଶ୍ରୟ ନେବେ‌ ବୋଲି କହିଛନ୍ତି ଶ୍ରୀ ତ୍ରିପାଠୀ। ଅନ୍ୟପକ୍ଷରେ, ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇ ବନ କର୍ମଚାରୀଙ୍କୁ ପେଣ୍ଠକଣ୍ଠା ଥାନା ପୁଲିସ ଗିରଫ କରିପାରିଲା; କେନ୍ଦ୍ରାପଡ଼ାରେ ରାଜକନିକା ପୁଲିସ ଅନୁରୂପ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛି କାହିଁକି? ବନ କର୍ମଚାରୀ ଓ ବିଡିଓଙ୍କ ପାଇଁ ଆଇନ ଭିନ୍ନ ରହିଛି କି? ସାଧାରଣରେ ଏହିଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର