ଭୁଲ ତଥ୍ୟଦେଇ ନିର୍ବାଚନ ଘୁଞ୍ଚ‌ାଯାଇଛି: ବିଜୟ ମହାପାତ୍ର

କେନ୍ଦ୍ରାପଡ଼ା: ନିର୍ବାଚନ କମିସନକୁ ଭୁଲ ତଥ୍ୟ ଦେଇ ପାଟକୁରା ନିର୍ବାଚନକୁ ଘୁଂଚାଇଦିଆଯାଇଛି। ବାତ୍ୟା ସତ୍ତ୍ବେ ପଶ୍ଚିମବଙ୍ଗରେ ଯଦି ନିର୍ବାଚନ ହୋଇପାରିଲା, ଓଡ଼ିଶାରେ କାହିଁକି ବନ୍ଦ ହେବ? ଏହା ଛଡ଼ା ଭୟଙ୍କର ବାତ୍ୟା ଜନିତ କ୍ଷତି ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ତୁଳନାତ୍ମକ ଭାବେ କମ୍। ପାଟକୁରାରେ ସ୍ୱାଭାବିକ ଅବସ୍ଥା ଫେରିଥିବା ବେଳେ ନିର୍ବାଚନକୁ ଘଂଚାଇଦେବା ଷଡ଼ଯନ୍ତ୍ର ସ୍ପଷ୍ଟ ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପାଟକୁରା ବିଧାନସଭା ପ୍ରାର୍ଥୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି, ବାତ୍ୟା ପାଇଁ ପୁରୀ, ଖୋର୍ଦ୍ଧା, ଗୋପ, ପିପଲି, ନିମାପଡ଼ା, କଟକ, ଭୁବନେଶ୍ୱରରେ ସର୍ବାଧିକ କ୍ଷତି ହୋଇଛି। ସେ ତୁଳନାରେ କେନ୍ଦ୍ରାପଡ଼ା ଜିଲ୍ଲାର କ୍ଷତି କମ୍। ପାଟକୁରାରେ ମଧ୍ୟ କ୍ଷତି କମ୍ ହୋଇଛି। ଏବେ ଏଠାରେ ସ୍ୱାଭାବିକ ଅବସ୍ଥା ଫେରିଛି। ଏଠାରେ ନିର୍ବାଚନ ଘୁଂଚାଇବା ପାଇଁ ଆଗରୁ ଷଡ଼ଯନ୍ତ୍ର ଚାଲିଥିଲା। ଏବେ ବାତ୍ୟାକୁ ଆଳ କରି ଷଡ଼ଯନ୍ତ୍ରକାରୀମାନେ ନିର୍ବାଚନ କମିସନକୁ ମଧ୍ୟ ପ୍ରଭାବିତ କରିଛନ୍ତି ବୋଲି ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି। ଗତ କିଛି ଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଷଡ଼ଯନ୍ତ୍ର କଥା କହିଥିଲେ। ଏହାର ଘଂଟାଏ ପରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ ନିର୍ବାଚନ ଘୁଂଚାଇବାକୁ ନିର୍ବାଚନ କମିସନକୁ ଅନୁରୋଧ କରିଥିଲେ। କୌଣସି ମୁଖ୍ୟମନ୍ତ୍ରୀ ଏଭଳି ସ୍ଥିତିରେ ନିର୍ବାଚନ ଘୁଂଚାଇବାକୁ ଅନୁରୋଧ କରିବା ପ୍ରଥମ। ବିଭିନ୍ନ ପରିସ୍ଥିତିରେ ନିର୍ବାଚନ ଘୁଂଚାଇବା କ୍ଷମତା ନିର୍ବାଚନ କମିସନର ରହିଛି। କିନ୍ତୁ ଏଠାରେ ୨ ମାସ ପର୍ଯ୍ୟନ୍ତ ନିର୍ବାଚନ ଘୁଂଚାଇବା ପ୍ରଥମ ପଦକ୍ଷେପ। ତେବେ ପାଟକୁରାରେ ନିର୍ବାଚନ ଘୁଂଚାଇବା ଆବଶ୍ୟକ ବୋଲି କିଏ ନିଷ୍ପତ୍ତି ନେଲା ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ନିର୍ବାଚନ କମିସନ୍ ଏଭଳି ନିଜସ୍ୱ ନିଷ୍ପତ୍ତି ନେଇ ନଥାନ୍ତି। ଉପଜିଲ୍ଲାପାଳ, ଜିଲ୍ଲାପାଳ, ଅଥବା ଆଉ କେଉଁ ଅଧିକାରୀ ନିର୍ବାଚନ କମିସନକୁ ରିପୋର୍ଟ କରିଛନ୍ତି, ସରକାର ତାହା ସ୍ପଷ୍ଟ କରିବା ଉଚିତ। ଯେଉଁ କାରଣରୁ ନିର୍ବାଚନ ଘୁଂଚାଗଲା, ତାହା ଏକ ଗୁପ୍ତ ଦଲିଲ ନୁହଁ। ତେଣୁ ସର୍ବସାଧାରଣରେ ସାରା ଓଡ଼ିଶାବାସୀଙ୍କ ନିକଟରେ ତାହା ପ୍ରକାଶ କରାଯିବା ଆବଶ୍ୟକ। ଯେଉଁମାନେ ଏଭଳି ଏକ ମିଥ୍ୟା ରିପୋର୍ଟ ଦେଇଛନ୍ତି, ସେମାନେ ସାମ୍ନାକୁ ଆସିବା ଉଚିତ। କୌଣସି ସରକାରୀ ଅଫିସରଙ୍କୁ ଯଦି କେହି ରାଜନେତା ପ୍ରଭାବିତ ବା ପ୍ରରୋଚିତ କରିଥାନ୍ତି, ସେମାନେ ମଧ୍ୟ ପଦାକୁ ଆସିବା ଉଚିତ। ଆସନ୍ତା ୨୩ ତାରିଖ ଭୋଟ ଗଣତି ପରେ ନୂଆ ବିଧାନସଭା ଗଠନ ହୋଇଯିବ। ୧୪୬ ସଦସ୍ୟ ଶପଥ ନେବେ। କେବଳ ପାଟକୁରା ନିର୍ବାଚନ ମଣ୍ଡଳୀର ବିଧାୟକ ଏଥିରୁ ବଂଚିତ ହେବେ। ଏଥିପାଇଁ ଅନେକ ପ୍ରଶ୍ନ ଉଠୁଥିବାରୁ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟବାସୀଙ୍କ ପାଖରେ ଏହାର ନିର୍ଦ୍ଦିଷ୍ଟ ଉତ୍ତର ରଖିବା ଦରକାର। ମୋ ଉପରେ ରାଗ ଅଛି, ମୋତେ ଶାସ୍ତି ଦିଅ। କିନ୍ତୁ କାରଣ ନଥାଇ ବିନା ଦୋଷରେ ପାଟକୁରାବାସୀଙ୍କୁ ଦଣ୍ଡିତ କରିବାର କୌଣସି ଅଧିକାର ନାହିଁ। ନିର୍ବାଚନ ଘୁଂଚାଇବାକୁ କେବଳ ସମୟ ଗଡ଼ାଇ ଚକ୍ରାନ୍ତ, ଷଡ଼ଯନ୍ତ୍ର ଚାଲିଛି। ନିର୍ବାଚନ ଜିତି ନପାରିବା ଆଶଙ୍କାରେ ଗୋଟେ ନିର୍ବାଚନକୁ ବନ୍ଦ କରିଦେଲେ ଅସୁବିଧା କଣ ବୋଲି ଯଦି ଭାବୁଥାନ୍ତି, ସେପରି ଏକ ଭାବନା ଅହଙ୍କାର ଛଡ଼ା କିଛି ନୁହଁ। ସେହି ଅହଙ୍କାର ମନରୁ ନ ହଟାଇଲେ ପାଟକୁରାବାସୀ କ୍ଷତିଗ୍ରସ୍ତ ହେବେ। ଆଗାମୀ ଦିନରେ ଯେଉଁମାନେ ସରକାରକୁ ଆସିବେ ସେମାନେ ମଧ୍ୟ ଚରମ କ୍ଷତିଗ୍ରସ୍ତ ହେବେ। ପାଟକୁରା ସଂପର୍କରେ ବାସ୍ତବ ଚିତ୍ର ଯାହା ଅଛି, ଆମେ ସେ ସମ୍ପର୍କରେ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ଯେ ମହାବାତ୍ୟା ପାଇଁ ରିଲିଫ୍ କୋଡ୍‌ରେ ଯେଉଁ ବ୍ୟବସ୍ଥା ରହିଛି, ତାହା ପାଳନ କରାଯାଉ ନାହିଁ। ଗୋଟେ ପଟେ ସିଭିୟର ବାତ୍ୟା କଥା କୁହାଯାଉଛି। ରିଲିଫ୍ ୩ ଦିନରେ ବନ୍ଦ କରାଯାଉଛି। ସରକାର ବା ସରକାରୀ ଅଫିସର୍ ନିଜେ ନିଜର ଦୋଷକୁ ସ୍ୱୀକାର କରୁଛନ୍ତି। ଫଳରେ ଧରା ପଡ଼ି ଯାଉଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଭୁବନ ମୋହନ ଜେନା ଓ ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ ଅଭିଯୋଗ କରିଥିଲେ ଯେ ପାଟକୁରାରେ ଯଦି ‘ସିଭିୟର ସାଇକ୍ଲୋନ୍’ ତେବେ ରିଲିଫ୍ କୋଡ଼୍ ଅନୁସାରେ ଅତି କମରେ ୭ଦିନ କିମ୍ବା ୧୫ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଦିଆଯିବା କଥା। ଏଠାରେ କେବଳ ଲୋକଙ୍କୁ ଭୂଆଁ ବୁଲାଯାଉଛି। ତେଣୁ ଦଳ ପକ୍ଷରୁ ଏହାର ବାସ୍ତବ ଚିତ୍ର ଆମେ ପ୍ରଦାନ କରି ତୁରନ୍ତ ବିଧାନସଭା ନିର୍ବାଚନ ଘୋଷଣା କରିବାକୁ ନିର୍ବାଚନ କମିସନ୍ ନିକଟରେ ଦାବି କରିବୁ ବୋଲି ସେମାନେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର