‌ରେଡିଓ ଚକଲେଟ୍‌ର ନିଆରା କାର୍ଯ୍ୟକ୍ରମ ‘ମୁଁ ଓଡ଼ିଶା’

ଭୁବନେଶ୍ୱର: ‘ଫନି’ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ବିପନ୍ନମାନଙ୍କୁ ସାହାଯ୍ୟ କରିବା ପାଇଁ ଓଡ଼ିଶାବାସୀ ବିଶେଷତଃ ଯୁବକମାନଙ୍କୁ ଆହ୍ୱାନ ଦେଇଛି ଓଡ଼ିଶାର ନମ୍ବର-୧ ଏଫଏମ୍‌ ଷ୍ଟେସନ୍‌ ରେଡିଓ ଚକଲେଟ୍‌। ଏହି ଅବସରରେ ଆରମ୍ଭ ହୋଇଛି ଏକ ନିଆରା କାର୍ଯ୍ୟକ୍ରମ ‘ମୁଁ ଓଡ଼ିଶା’। ଯୁବକମାନେ ସମାଜର ମେରୁଦଣ୍ଡ; ଶକ୍ତିର ଆଧାର। ଏଇ ସଙ୍ଗିନ୍‌ ପରିସ୍ଥିତିରେ ଯଦି ପ୍ରତ୍ୟେକ ଯୁବକ ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ନ୍ତି, ତେବେ ସମସ୍ୟାର ଖୁବଶୀଘ୍ର ସମାଧାନ ହୋଇପାରିବ। ଓଡ଼ିଶାର ଏଇ ଦୁର୍ଦ୍ଦିନରେ ଯିଏ ଯେଉଁ ବୟସର ବା ବର୍ଗର ହୋଇଥା’ନ୍ତୁ ନା କାହିଁକି, ନିଜ ସାମର୍ଥ୍ୟ ଅନୁସାରେ ଓଡ଼ିଶାକୁ ପୁଣିଥରେ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ଆଗେଇ ଆସନ୍ତୁ। ଏହି ଲକ୍ଷ୍ୟ ନେଇ ରେଡିଓ ଚକଲେଟ୍‌ର ଆର୍‌ଜେମାନେ ଲୋକମାନଙ୍କୁ ଭେଟୁଛନ୍ତି। ସେମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ମତାମତକୁ ରେକର୍ଡ କରି ଶ୍ରୋତାମାନଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ରେଡିଓ ଚକଲେଟ୍‌ର ଏହି ମହାନ୍‌ ପ୍ରଚେଷ୍ଟାକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

ଏଠାରେ ଉଲ୍ଲେଖଯୋଗ୍ୟ, ବାତ୍ୟା ସମୟରେ ରାଜଧାନୀ ଭୁବନେଶ୍ୱର ସମେତ ଅଧା ଓଡ଼ିଶାରେ ମୋବାଇଲ, ବିଦ୍ୟୁତ୍‌ ଏବଂ ଅନ୍ୟାନ୍ୟ ସୁବିଧା ବନ୍ଦ ଥିଲା ବେଳେ ରେଡିଓ ଚକଲେଟ୍‌ ଶ୍ରୋତାମାନଙ୍କ ସହ ଯୋଡ଼ି ହୋଇ ରହିଥିଲା। ରେଡିଓ ଚକଲେଟ୍‌ ‘ଫନି’ ସମ୍ପର୍କିତ ଟିକିନିଖି ଖବର ଓ ଅନ୍ୟାନ୍ୟ ଅପଡେଟ୍‌ ତଥା ରାଜ୍ୟର ଅନେକ ଖବର ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ ଗୀତ ସହ ଜାରି ରଖିଥିଲା। ସାରା ରାତି ରେଡିଓ ଚକଲେଟ୍‌ର ଆର୍‌.ଜେମାନେ ନିରବଚ୍ଛିନ୍ନ ଭାବେ ଅନ୍‌-ଏୟାର୍‌ ରହି ସୂଚନା ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର