ଅଜାତିରେ ବାହା ହେଲେ ବୋଲି ମିଳିଲାନି କାନ୍ଧ

ଡାକ୍ତର ଓ ସ୍ବେଚ୍ଛାସେବୀଙ୍କ ସହାୟତାରେ ପତ୍ନୀ ପୋତିଲେ ଶବ

ସମ୍ବଳପୁର: ଏବେ ବି ଗ୍ରାମାଞ୍ଚଳରେ ଜାତିଗତ ବିଭେଦ କେତେ ଉତ୍କଟ, ତାହାର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି ଜଣେ ବ୍ୟକ୍ତିଙ୍କ ଶବକୁ ଗାଁରେ ପୂରାଇବାକୁ ମନା କରିଦେଲେ ଗ୍ରାମବାସୀ। ଅନୋନ୍ୟପାୟ ଗରିବ ମହିଳା ଜଣକ ସ୍ବାମୀର ଶବକୁ ବୁର୍ଲାରେ ହିଁ ପୋତି ଦେବା ପାଇଁ ବୁର୍ଲା ବଡ଼ ଡାକ୍ତରଖାନାର ଡାକ୍ତରମାନଙ୍କୁ ଅନୁରୋଧ କରିଥିଲେ। ଏହା ପରେ ବୁର୍ଲାର କିଛି ଡାକ୍ତର ଓ ସ୍ବେଚ୍ଛାସେବୀ ମିଶି ମୃତ ରୋଗୀଙ୍କ ଶବକୁ ନେଇ ଶ୍ମଶାନରେ ପୋତି ଦେଇଥିଲେ।

ମିଳିଥିବା ସୂଚନା‌ ମୁତାବକ, ବରଗଡ଼ ଜିଲ୍ଲା ବରଗାଁର ପ୍ରଶାନ୍ତ ଭୁଏ (୫୨) ଜାତିରେ କନ୍ଧ ହୋଇଥିବା ବେଳେ କିଛି ବର୍ଷ ତଳେ ତାଙ୍କଠୁ ବୟସରେ ବଡ଼ ବିଞ୍ଝ‌ାଲ ସମ୍ପ୍ରଦାୟର ଅଞ୍ଜନାଙ୍କୁ ବିବାହ କରିଥିଲେ। ଉଭୟ ଆଦିବାସୀ ସଂପ୍ରଦାୟର ହୋଇଥିଲେ ବି ବିବାହ ପରେ ଗ୍ରାମବାସୀ ତାଙ୍କଠାରୁ ଅଲଗା ହୋଇ ଯାଇଥିଲେ ଓ ପ୍ରଶାନ୍ତଙ୍କୁ ଜାତିରୁ କାଢ଼ି ଦେଇଥିଲେ। ବିଗତ ୧ ମାସ ହେବ ପ୍ରଶାନ୍ତଙ୍କ ଛାତିରେ ଯନ୍ତ୍ରଣା ହେବା ସହ କାଶ ମଧ୍ୟ ହେଉଥିଲା। ପିଲା ଛୁଆ କେହି ନଥିବାରୁ ଅଞ୍ଜନା ହିଁ ସ୍ବାମୀ ପ୍ରଶାନ୍ତଙ୍କୁ ଆଣି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ୧୦ ଦିନ ତଳେ ତାଙ୍କୁ ଆଣି ବୁର୍ଲା ମେଡିକାଲର ଟିବି ବିଭାଗରେ ଭର୍ତ୍ତି କରା ଯାଇଥିଲା। ମଙ୍ଗଳବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିଲା। ଅଞ୍ଜନା ଯାଇ ବୁର୍ଲା ଥାନାରୁ ମୃତ ଦେହ ନେବା ପାଇଁ ଗ୍ରାମବାସୀଙ୍କୁ ଫୋନ୍‌ କରିଥିଲେ। କିନ୍ତୁ ଜାତିରେ ମିଶି ନଥିବାରୁ ଗ୍ରାମବାସୀ ଶବ ନେବାକୁ ମନା କରିଦେଇଥିଲେ। ଏହାପରେ ଅଞ୍ଜନା ଯାଇ ମେଡିକାଲରେ ଡାକ୍ତରଙ୍କୁ ଶବ ନେବା ପାଇଁ ସାମର୍ଥ ନଥିବା କହିଥିଲେ। ପରେ ବରିଷ୍ଠ ଆବାସିକ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ନେତୃତ୍ବରେ ବୁର୍ଲା ଶ୍ମଶାନକୁ ଶବ ନିଆଯାଇଥିଲା। ଜେସିବି ଦ୍ବାରା ମାଟି ଖୋଳିବା ପରେ ଡ୍ରାଇଭର ଶବ ନପୋତି ଘଟଣାସ୍ଥଳରୁ ଚାଲି ଯାଇଥିଲେ। ଶେଷରେ ଡାକ୍ତର ଓ ସ୍ବେଚ୍ଛାସେବୀମାନେ ନିଜେ ଫାଉଡ଼ା ଧରି ଶବ ପୋତିଥିଲେ।

ସମ୍ବନ୍ଧିତ ଖବର