ମା’ ପାଟଶାଢ଼ି ନେଇ ଘନେଇଲା ବିବାଦ, ଆପତ୍ତି ଉଠାଇଲେ ବରିଷ୍ଠ ବୁଣାକାର

କହିଲେ ମା ଶାଢ଼ି ବୁଣି ୨୦୧୫ରେ ପାଇଛି ଜାତୀୟ ପୁରସ୍କାର

ବୀରମହାରାଜପୁର/ସୋନପୁର: ଦେଶବିଦେଶରେ ସମ୍ବଲପୁରୀ ବାନ୍ଧଶାଢ଼ିର ବେଶ୍‌ ଚାହିଦା ରହିଛି। ଅନ୍ୟପଟେ ବାନ୍ଧଶାଢ଼ି ଓ ପାଟଶାଢ଼ିକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଉଛି। ଏବେ ପୁଣି ମା ପାଟଶାଢ଼ିକୁ ନେଇ ଉପୁଜିଛି ବିବାଦ। କିଛିଦିନ ତଳେ ସୋନପୁର ପଟାଭାଡ଼ି ପଡ଼ାର ରବି ମେହେର କହିଥିଲେ, କରୋନାର ଦ୍ବିତୀୟ ଲହର ସମୟରେ ସେ ୩ ଭାଇଙ୍କ ସହ ମିଶି ପାଟଶାଢ଼ିର ପରିକଳ୍ପନା କରିଥିଲେ। ବାନ୍ଧଶିଳ୍ପୀ ହିମାଂଶୁ ମେହେର ଓ ବୁଣାକାର ବିନୋଦ ମେହେରଙ୍କ ଜରିଆରେ ଏହି ମା ଶାଢ଼ି ତିଆରି କରିଛନ୍ତି। ଯେଉଁଥିରେ ଭାରତର ବିଭିନ୍ନ ଭାଷାରେ ମା ଲେଖାହୋଇଛି। ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଥିଲା। ‌ତେବେ, ଏହାକୁ ନେଇ ବୀରମହାରାଜପୁର ବ୍ଲକ୍‌ ସୁବଳୟା ଥାନା ଅନ୍ତର୍ଗତ ଟିକ୍ରାପଡା ଗ୍ରାମର ବରିଷ୍ଠ ବୁଣାକାର ବିଶ୍ବନାଥ ମେହେର ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ଏହି ମା ପାଟଶାଢ଼ିକୁ ସେ ବୁଣିଥିବା କହିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଗୁରୁ ପ୍ରଫୁଲ୍ଲ ମେହେର ଏହି ଶାଢ଼ି ଡିଜାଇନର ପରିକଳ୍ପନା କରିଥିଲେ। ଏହାର ବାନ୍ଧ କାମ କେନ୍ଦୁପାଲିର ବାନ୍ଧଶିଳ୍ପୀ ଶଙ୍କର ମେହେର କରିଥିଲେ। ତାଙ୍କୁ ୨ ମାସ ସମୟ ଲାଗିଥିଲା।

ଏହାକୁ ସେ ନିଜେ ବୁଣି ପ୍ରଥମେ ଜିଲ୍ଲା, ପରେ ରାଜ୍ୟ ଓ ଜାତୀୟ ସ୍ତରରେ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ୨୦୧୫ ମସିହା ଅଗଷ୍ଟ ୭ ତାରିଖରେ ଚେନ୍ନାଇର ମାଡ୍ରାସ ବିଶ୍ବବିଦ୍ୟାଳୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଜାତୀୟ ପୁରସ୍କାର ଗ୍ରହଣ କରିଥିବା ବିଶ୍ବନାଥ କହିଛନ୍ତି। ଅନ୍ୟପକ୍ଷରେ, ରବି ମେହେର କହନ୍ତି, ଏହି ମା ପାଟଶାଢ଼ିର ନୂତନ ପରିକଳ୍ପନା ଆମେ କରିଛୁ। ଆମର ବାନ୍ଧ କଳାକାର ଓ ବୁଣାକାରଙ୍କ ଜରିଆରେ ମା ପାଟ ଶାଢ଼ି ତିଆରି କରିଛୁ। ଆମେ କାହାରିଠାରୁ ଚୋରି କରିନାହୁଁ। ଏହି ଶାଢ଼ି ଆଗରୁ କିଏ ପ୍ରସ୍ତୁତ କରିଛନ୍ତି ବୋଲି ଆମେ ଜାଣିନାହୁଁ। ମା ପାଟଶାଢ଼ି ଆମେ କରିଛୁ ଓ ବ୍ୟାବସାୟିକ ଦୃଷ୍ଟି କୋଣରୁ ବହାରକୁ ଛାଡ଼ିଛୁ ବୋଲି ସେ କହିଛନ୍ତି। ତେବେ, ପ୍ରକୃତରେ ଏହି ମା ଶାଢ଼ିକୁ କିଏ ତିଆରି କରିଛି, ତା’ ଉପରେ ବୟନ ଶିଳ୍ପ ବିଭାଗ ତରଫରୁ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର