ରାଜ୍ୟରେ ଏଯାଏ ୨୮% ଅଧିକ ବର୍ଷା, ୧୮ ଜିଲ୍ଲାରେ ଅଧିକ, ୫ ଜିଲ୍ଲାରେ ନିଅଣ୍ଟିଆ

ଭୁବନେଶ୍ବର : ରାଜ୍ୟରେ ମୌସୁମୀ ବର୍ଷା ଲାଗି ରହିଛି। ଚଳିତ ବର୍ଷ ଠିକ୍‌ ସମୟରେ ଓଡ଼ିଶାକୁ ମୌସୁମୀ ସ୍ପର୍ଶ କରିଥିବା ବେଳେ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟର କିଛି କିଛି ସ୍ଥାନରେ ନିଅଣ୍ଟିଆ ବର୍ଷା ମଧ୍ୟ ହୋଇଛି। ରାଜ୍ୟର ପ୍ରାୟ ୧୮ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ୫ ଜୁନ୍‌ରୁ ୧୮ ଜୁନ୍‌ ମଧ୍ୟରେ ରାଜ୍ୟରେ ୨୮ ପ୍ରତିଶତ ଅଧିକ ବର୍ଷା ହୋଇଛି। ରାଜ୍ୟରେ ଏହି ସମୟରେ ସ୍ବାଭାବିକ ଭାବେ ୧୦୨.୧ ମିମି ବର୍ଷା ହେବା କଥା। କିନ୍ତୁ ଚଳିତ ବର୍ଷ ଏହି ସମୟରେ ବର୍ଷାର ପରିମାଣ ୧୩୦.୬ ମିମି ହୋଇଛି। ରାଜ୍ୟର ୧୮ଟି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ୭ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି ଓ ୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ବଲାଙ୍ଗୀର, କେନ୍ଦ୍ରାପଡ଼ା, ବୌଦ୍ଧ, ନବରଙ୍ଗପୁର ଓ ଯାଜପୁର ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଆଜି ପର୍ଯ୍ୟନ୍ତ ସର୍ବାଧିକ ବର୍ଷା ଝାରସୁଗୁଡ଼ା ଜିଲ୍ଲାରେ ହୋଇଛି। ଏଠାରେ ୨୩୯.୩ ମିମି ବର୍ଷା ହୋଇଛି। ଝାରସୁଗୁଡ଼ା, ଢେଙ୍କା‌ନାଳ, କୋରାପୁଟ, ଗଞ୍ଜାମ, ମାଲକାନଗିରି ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି। ବାକି ୧୨ଟି ଜିଲ୍ଲାରେ ୨୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି। ମୌସୁମୀ ସକ୍ରିୟ ଥିବା ବେଳେ ବର୍ତ୍ତମାନ ପାକିସ୍ତାନରୁ ମଣିପୁର ପର୍ଯ୍ୟନ୍ତ ଏକ ସିଜିନାଲ୍‌ ଟ୍ରାପ୍‌ ରହିଛି ଯାହାକି ସମାନ୍ତରାଳ ଭାବେ ବିହାର ଓ ପଶ୍ଚିମବଙ୍ଗ ଆଡ଼କୁ ରହିଛି। ଏହା ଉତ୍ତର ଆଡ଼କୁ ଗତି କରୁଥିବାରୁ ଏବେ ଦୁଇ ଦିନ ଓଡ଼ିଶାରେ ବର୍ଷା କମ୍‌ ରହିବ।

ଆଜି ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଥିଲା, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଧ୍ୟ ବର୍ଷା କମ୍‌ ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ କିନ୍ତୁ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ। ୨୦ ତାରିଖ ଦିନ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼ ଆଦି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ସୋନପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ କଟକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିବାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର