ଶ୍ରୀମନ୍ଦିର ଜମା ଟଙ୍କା ଫେରିବା ପରେ ବି ବିବାଦ ତୁଟୁନି, ସୁଧ କେମିତି କମିଲା ବୋଲି ପଚାରିଲା ବିଜେପି

ଭୁବନେଶ୍ବର : ରାଜ୍ୟ ସରକାର କିଛି ଅଧିକ ସୁଧ ଆଶାରେ ଶ୍ରୀମନ୍ଦିର ଜମା ଅର୍ଥକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନ ରଖି ୟେସ୍ ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ ରଖିଥିଲେ। ଆଜି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏଭଳି ମନ୍ତବ୍ୟ ଦୋହରାଇବା ସହିତ ଆଉ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ଶ୍ରୀ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି କହିଥିଲେ, ୮ ପ୍ରତିଶତ ସୁଧ ବଦଳରେ ମାତ୍ର ୨.୧୧ ପ୍ରତିଶତ ସୁଧ ହାରରେ ବ୍ୟାଙ୍କ ଶ୍ରୀମନ୍ଦିର ଆକାଉଣ୍ଟକୁ ଟଙ୍କା ଫେରସ୍ତ କରିଛି। ଅଧିକ ସୁଧ ଲାଭରେ ଘରୋଇ ବ୍ୟାଙ୍କରେ ଜଗନ୍ନାଥଙ୍କ ଅର୍ଥକୁ ରଖାଯାଇଛି ବୋଲି ରାଜ୍ୟ ସରକାର ଯାହା କହୁଥିଲେ, ତାହା ମିଛ ଥିଲା; ତାହା ଏକଥାରୁ ଜଣା ପଡ଼ିଯାଇଛି। ସେ ଆହୁରି କହିଥିଲେ, ହିସାବ ଅନୁସାରେ, ସୁଧର ପରିମାଣ ୮ ପ୍ରତିଶତ ନୁହେଁ, ବରଂ ୨.୧୧ ପ୍ରତିଶତ। କାହିଁକି ଏତେ କମ୍ ସୁଧ ମିଳିଲା? ଏହା ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସୁଧର ହାର ତୁଳନାରେ ବି କମ୍। ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଯେତିକି ଟଙ୍କା ହରାଇଲେ, ତାହା ଏଭଳି ନିଷ୍ପତ୍ତି ନେଇଥିବା ବାବୁମାନଙ୍କଠାରୁ ଆଦାୟ କରାଯାଉ।

ବିଜେପି ଆହୁରି କହିଛି, ଜଗନ୍ନାଥଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ କିଭଳି ରହିଲା, ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର। ସରକାର ଦାୟୀ ଅଧିକାରୀଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ଏଭଳି କ୍ଷତି କାହିଁକି ହେଲା, ସେ ନେଇ ମଧ୍ୟ ସରକାରୀସ୍ତରରେ ସମୀକ୍ଷା ହେବା ଉଚିତ ବୋଲି ଶ୍ରୀ ନାୟକ ଦାବି ରଖିଥିଲେ। ବିଜେପି କହିଛି, ଉଭୟ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ଫଳରେ ମହାପ୍ରଭୁଙ୍କ ଟଙ୍କା ୟେସ୍ ବ୍ୟାଙ୍କରୁ ଫେରିଛି। ଏଣୁ ସେମାନଙ୍କୁ କୃତଜ୍ଞତା ଜଣାଇବା ଦରକାର। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର