ପଦ ମାଡ଼ିବସିଛନ୍ତି ୧୪୪ ସିଆର୍‌ସିସି; ଅବଧି ସରିଲାଣି, ତଥାପି ପଦରେ

ସରକାରଙ୍କ ଗେହ୍ଲାପୁଅ ସାଜି ବିନା କାମରେ ଦରମା ନେଉଛନ୍ତି

ରାଉରକେଲା : ସରକାରୀ ନିର୍ଦ୍ଦେଶାନାମା, ନିୟମର ଅବମାନନା କରି ମନମର୍ଜି କାମ କରିବା ହେଉଛି, ସରକାରୀ ବାବୁଙ୍କ ପୁରୁଣା ବଦଭ୍ୟାସ। ତେବେ ପୂରା ନିୟମକୁ ଚୂଳିକି ଫିଙ୍ଗି କାମ କରିବା କ୍ବଚିତ ଦେଖିବାକୁ ମିଳିଥାଏ। ମାତ୍ର ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ବାବୁମାନେ ଏଥିରେ ବେଶ୍‌ ପାରଙ୍ଗମ। ଜ୍ବଳନ୍ତ ଉଦାହରଣ ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷା ବିଭାଗ। ସ୍କୁଲ ଓ ଶିକ୍ଷା ବିଭାଗ କର୍ତୃପକ୍ଷଙ୍କ ମଧ୍ୟରେ ସଂପର୍କ ସ୍ଥାପନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଲଷ୍ଟର୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଗୋଟିଏ କ୍ଲଷ୍ଟର୍‌ରେ ୮/୧୦ଟି ସ୍କୁଲ ରହିବ ଓ ପ୍ରତ୍ୟେକ କ୍ଲଷ୍ଟର୍‌ରେ ଜଣେ ଲେଖାଏଁ ସିଆର୍‌ସିସି ନିଯୁକ୍ତ ହେବେ। ଜଣେ ବରିଷ୍ଠ ଓ ସ୍ଥାୟୀ ଶିକ୍ଷକଙ୍କୁ ସିଆର୍‌ସିସି ଦାୟିତ୍ବ ଦିଆଯାଇଥାଏ। ତେବେ ଏହି ସିଆର୍‌ସିସିମାନେ କେବଳ ୫ ବର୍ଷ ପାଇଁ ପଦବିରେ ରହିବେ। ୫ ବର୍ଷର କାର୍ଯ୍ୟକାଳ ସମାପ୍ତ ହେବାପରେ ପୁନର୍ବାର ଶିକ୍ଷକମାନେ ନିଜ ନିଜ ମୂଳ ସ୍କୁଲକୁ ଫେରି ଶିକ୍ଷାଦାନ କରିବେ। ମାତ୍ର ସୁନ୍ଦରଗଡ଼ ଜିଲ୍ଲାରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ୨୦୨୦ ଡିସେମ୍ବର ଶେଷ ସୁଦ୍ଧା ଜିଲ୍ଲାର ୧୪୪ ଜଣ ସିଆର୍‌ସିସିଙ୍କ କାର୍ଯ୍ୟକାଳ ସରିଲାଣି, କିନ୍ତୁ ଏଯାଏଁ ଏମାନେ ପଦ ମାଡ଼ିବସିଛନ୍ତି। ବିଡ଼ମ୍ବନା, ଏ ଦିଗରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ କିମ୍ବା ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ପଡ଼ୁନି। ସିଆର୍‌ସିସିମାନଙ୍କୁ ଏଭଳି ଅନୈତିକ ଅନୁକମ୍ପା ଦେଖାଇବା ପଛରେ ଭିନ୍ନ ଭିନ୍ନ କାରଣ ଲୁଚିରହିଥିବା ଚର୍ଚ୍ଚା ଜୋର୍‌ ଧରିଛି।

ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍‌ ୨୨୧ଟି କ୍ଲଷ୍ଟର୍‌, ଅର୍ଥାତ୍‌ ୨୨୧ ଜଣ ସିଆର୍‌ସିସି ଅଛନ୍ତି। ମାତ୍ର ଏଥିମଧ୍ୟରୁ ୧୪୪ ଜଣ ସିଆର୍‌ସିସିଙ୍କ ୫ ବର୍ଷିଆ କାର୍ଯ୍ୟକାଳ ଶେଷ ହୋଇସାରିଲାଣି, ତଥାପି ଏମାନେ ପଦ ଛାଡ଼ୁନାହାନ୍ତି। ବାଲିଶଙ୍କରା ବ୍ଲକରେ ୮ ଜଣ ସିଆର୍‌ସିସିଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଥିଲେ ସୁଦ୍ଧା ପଦରେ ରହିଥିବାବେଳେ ବଡ଼ଗାଁରେ ୯ ଜଣ, ବିଶ୍ରାରେ ୯ ଜଣ, ବଣାଇଁରେ ୯ ଜଣ, ଗୁରୁଣ୍ଡିଆରେ ୯ ଜଣ, ହେମଗିରରେ ୧୧ ଜଣ,କୁତ୍ରାରେ ୫ ଜଣ, କୁଆରମୁଣ୍ଡାରେ ୧୦ ଜଣ, ଲହୁଣୀପଡ଼ାରେ ୧୩ ଜଣ, ଲାଠିକଟାରେ ୯ ଜଣ, ଲେଫ୍ରିପଡ଼ାରେ ୮ ଜଣ, ନୂଆଗାଁରେ ୯ ଜଣ, ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୬ ଜଣ, ରାଜଗାଙ୍ଗପୁରରେ ୭ ଜଣ, ସୁନ୍ଦରଗଡ଼ ସଦରରେ ୫ ଜଣ, ସବଡେଗାରେ ୭ ଜଣ ଓ ଟାଙ୍ଗରପଲ୍ଲୀ ବ୍ଲକରେ ୧୦ ଜଣ ସିଆର୍‌ସିସିଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଲାଣି। କିନ୍ତୁ ଏମାନେ ନିଜ ନିଜ ପଦବି ମୋହ ଛାଡ଼ିପାରିନାହାନ୍ତି। କେବଳ କୋଇଡ଼ା ବ୍ଲକରେ ଏହି ଅବ୍ୟବସ୍ଥା ଦେଖିବାକୁ ମିଳିନି। କୋଇଡ଼ା ବ୍ଲକରେ ଜଣେ ହେଲେ ସିଆର୍‌ସିସିଙ୍କ କାର୍ଯ୍ୟକାଳ ଶେଷ ହୋଇନି। କାର୍ଯ୍ୟକାଳ ଶେଷ ହେବାପରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ହିଁ ନୂଆ ସିଆର୍‌ସିସି ନିଯୁକ୍ତି କରିଥାନ୍ତି। ତେବେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ବିଭାଗରେ ଏହି ନିୟମର ଖୋଲା ଉଲ୍ଲଂଘନ କରାଯାଉଛି। ନୂଆ ସିଆର୍‌ସିସି ନିଯୁକ୍ତ ନ କରିବା ପଛରେ ଭିତିରିଆ ସଲାସୁତୁରା ଥିବା ଭଳି ସଙ୍ଗୀନ ଅଭିଯୋଗ ବି ଆସୁଛି।

ସମ୍ବନ୍ଧିତ ଖବର