ଆଉ ୧୪ଜଣଙ୍କ ମୃତ୍ୟୁ, ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୭୯୭କୁ ବୃଦ୍ଧି

ଭୁବନେଶ୍ବର: କରୋନାରେ ପୁଣି ୧୪ଜଣଙ୍କ ମୃତ୍ୟୁ ଘଟିଛି।  ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୯୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଜି ଯେଉଁ ୧୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ଖୋର୍ଦ୍ଧା ଓ କଟକରୁ ୩ ଜଣ ଲେଖାଏଁ , କେନ୍ଦ୍ରାପଡ଼ା ଓ ଯାଜପୁରରୁ ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଥିବା ବେଳେ ବଲାଙ୍ଗୀର, ଢେଙ୍କାନାଳ, ଗଜପତି ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।

ଖୋର୍ଦ୍ଧାରୁ ଯେଉଁ ୩ ମୃତକ ଅଛନ୍ତି, ସେମାନଙ୍କ ଭିତରେ ୪୨ ଓ ୫୮ ବର୍ଷ ବୟସ୍କ ପୁରୁଷ  ଓ ଜଣେ ୬୭ ବର୍ଷ ବୟସ୍କା ମହିଳା ଅଛନ୍ତି। କଟକରୁ ଯେଉଁ ୩ ମୃତକ ଅଛନ୍ତି, ସେମାନଙ୍କ ଭିତରେ ୪୨ ଓ ୫୬ ବର୍ଷ ବୟସ୍କ ପୁରୁଷ  ଓ ଜଣେ ୪୫ ବର୍ଷ ବୟସ୍କା ମହିଳା ଅଛନ୍ତି।  କେନ୍ଦ୍ରାପଡ଼ାରେ  ଜଣେ ୫୨ ବର୍ଷ ବୟସ୍କ ପୁରୁଷ  ଓ ଜଣେ ୩୫ ବର୍ଷ ବୟସ୍କା ମହିଳା ଅଛନ୍ତି। ଯାଜପୁରର ଜଣେ ୬୫ବର୍ଷ ବୟସ୍କ ପୁରୁଷ  ଓ ଜଣେ ୫୫ ବର୍ଷ ବୟସ୍କା ମହିଳା ଅଛନ୍ତି। ବଲାଙ୍ଗୀର, ଢେଙ୍କାନାଳ, ଗଜପତି ଓ ସୁବର୍ଣ୍ଣପୁରରୁ  ଯେଉଁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ସେମାନଙ୍କର ବୟସ ଯଥାକ୍ରମେ ୬୦, ୪୫, ୬୩ (ପୁରୁଷ) ଓ ୩୧ ବର୍ଷୀୟ ମହିଳା ଅଛନ୍ତି।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୩୯୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୦୯ ଓ ସ୍ଥାନୀୟ ଅଞ୍ଚଳରୁ ୧୬୧୩ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯ ହଜାର ୩୭୪କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଣେ ରାଜ୍ୟରେ ମୋଟ୍ ୧,୭୦,୧୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮,୩୩୧ ରହିଛି।

ସମ୍ବନ୍ଧିତ ଖବର