ସଙ୍କଟରେ ସରକାରୀ ବିଦ୍ୟାଳୟ : ୧୪ ହଜାର ସ୍କୁଲକୁ ବିପଦ, ସବୁଦିନ ପାଇଁ ତାଲା ପକାଇବାକୁ ପ୍ରକ୍ରିୟା ଆରମ୍ଭ

୬୩୪୦ ବିଦ୍ୟାଳୟରେ ୨୦ରୁ କମ୍‌ ଛାତ୍ରଛାତ୍ରୀ, ୫୧୭୭ ପ୍ରାଥମିକ ବିଦ୍ୟାଳୟରେ ୪୦ରୁ କମ୍‌ ପିଲା

ଭୁବନେଶ୍ବର : ସଙ୍କଟରେ ସରକାରୀ ବିଦ୍ୟାଳୟ। ପିଲା ହେଉନାହାନ୍ତି। ଶିକ୍ଷକ ଶିକ୍ଷୟିତ୍ରୀଙ୍କର ବି ଅଭାବ ରହିଛି। ସେଗୁଡ଼ିକୁ ଚଲାଇବା ରାଜ୍ୟ ସରକାରଙ୍କ ପକ୍ଷେ ଆଉ ସମ୍ଭବପର ହେଉନି। ତେଣୁ ରାଜ୍ୟର ୧୪ ହଜାର ୩୭୯ ସରକାରୀ ବିଦ୍ୟାଳୟରେ ତାଲା ପକାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟ ସହ ମିଶ୍ରଣ କରାଯିବ। ଉଭୟ ବିଦ୍ୟାଳୟଗୁଡ଼ିକୁ ଏକତ୍ରୀକରଣ କରାଯାଇ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଏଥିରେ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ମଦ୍ରାସା, ସଂସ୍କୃତ ଟୋଲ୍‌, ସ୍ବତନ୍ତ୍ର ସ୍କୁଲଗୁଡ଼ିକୁ ସାମିଲ କରାଯିବ ନାହିଁ ‌ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କେଉଁ ବିଦ୍ୟାଳୟଗୁଡ଼ିକ ବନ୍ଦ କରାଯିବ ସେ ସଂକ୍ରାନ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୧୦୦ ମିଟର ଦୂରତା କିମ୍ବା ଗୋଟିଏ କ୍ୟାମ୍ପସରେ ରହିଥିବା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ, ୨୦ କିମ୍ବା ତା’ଠାରୁ କମ୍‌ ପିଲା ଥିବା ବିଦ୍ୟାଳୟ, କେବଳ ୬ରୁ ୮ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯାଉଥିବା ବିଦ୍ୟାଳୟ, କେବଳ ୯ ଓ ୧୦ ଶ୍ରେଣୀ ଥିବା ବିଦ୍ୟାଳୟ, ପ୍ରଥମରୁ ୩ୟ, ୬ଷ୍ଠ-୭ମ ଶ୍ରେଣୀ, ୪ର୍ଥରୁ ଦଶମ, ୮ମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରାଯିବ। ଯଦି କୌଣସି ବିଦ୍ୟାଳୟରେ କମ୍‌ ପିଲା ରହିଥିବେ ଏବଂ ଏହା ନିକଟବର୍ତୀ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ରହିଥିବ, ଏଭଳି କ୍ଷେତ୍ରରେ ଭିତ୍ତିଭୂମି ଭଲ ଥିବା ବିଦ୍ୟାଳୟ ସହ କମ୍‌ ପିଲା ଥିବା‌ ବିଦ୍ୟାଳୟର ମିଶ୍ରଣ କରାଯିବ। ମିଶ୍ରଣ ସମୟରେ ଶିକ୍ଷା‌ ଅଧିକାର ଆଇନ ପାଳନ ହେବ। ବିଦ୍ୟାଳୟ ମଧ୍ୟରେ ଦୂରତା ଅଧିକ ହୋଇଥିଲେ ଛାତ୍ରଛାତ୍ରୀଙ୍କୁ ପରିବହନ ତଥା‌ ଏସ୍‌କର୍ଟ ବାବଦରେ ଅର୍ଥ ଦିଆଯିବାର ବ୍ୟବସ୍ଥା ହେବ। ଛାତ୍ରଛାତ୍ରୀଙ୍କ ଯିବା ଆସିବା କରିବାରେ ଯଦି ନଦୀ, ପାହାଡ଼ ପରି ବିଭିନ୍ନ ପ୍ରତିବନ୍ଧକ ଥିବ ଏକ୍ଷେତ୍ରରେ ନିୟମ କୋହଳ କରାଯିବ।

‘ସମ୍ବାଦ’ର ହସ୍ତଗତ ତଥ୍ୟ ଅନୁଯାୟୀ, ୨୦୧୯-୨୦ ଶିକ୍ଷାବର୍ଷରେ ବିଭିନ୍ନ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ନେଇ ଏକ ତାଲିକା ପ୍ରକାଶ କରାଯାଇଛି। ଏଥିରେ ରାଜ୍ୟର ୬୩୪୦ ବିଦ୍ୟାଳୟ ରହିଛି। ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୪୯୮ଟି ବିଦ୍ୟାଳୟ ରହିଥିବା ବେଳେ ମୟୂରଭଞ୍ଜରେ ୪୮୬, ଗଞ୍ଜାମରେ ୪୩୦, କନ୍ଧମାଳ ଜିଲ୍ଲାରେ ୪୦୪ ବିଦ୍ୟାଳୟ ରହିଛି। ଖୋର୍ଧା ଜିଲ୍ଲାରେ ସବୁଠାରୁ କମ୍‌ ୫୬ଟି ବିଦ୍ୟାଳୟ ରହିଛି। ୧ କିମି ଦୂରତା ମଧ୍ୟରେ ୪୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ୫୧୭୭। ‌ମୟୂରଭଞ୍ଜରେ ସର୍ବାଧିକ ୪୪୮ ବିଦ୍ୟାଳୟ ଥିବା ବେଳେ ଜଗତ୍‌ସିଂହପୁରରେ ସର୍ବନିମ୍ନ ୫୮ଟି ବିଦ୍ୟାଳୟ ରହିଛି। ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ୟୁପି ସ୍କୁଲ ଯେଉଁଠାରେ ଉଚ୍ଚ ପ୍ରାଥମିକ ଶ୍ରେଣୀ(୬ଷ୍ଠରୁ ୮ମ)ରେ ୨୦ରୁ କମ୍‌ ଛାତ୍ରଛାତ୍ରୀ ରହିଥିବା ବିଦ୍ୟାଳୟ ସଂଖ୍ୟା ୨୮୬୨ ରହିଛି। କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୩୩୭ ବିଦ୍ୟାଳୟ ଥିବା ବେଳେ ବୌଦ୍ଧ‌ରେ ୨୦ଟି ବିଦ୍ୟାଳୟ ରହିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ‌ଯେ ଏଣିକି ରାଜ୍ୟରେ ୪ ପ୍ରକାର ସରକାରୀ ବିଦ୍ୟାଳୟ ରହିବ। ପ୍ରଥମରୁ ୫ମ, ପ୍ରଥମରୁ ୮ମ, ପ୍ରଥମରୁ ଦଶମ ଓ ଏକାଦଶ-ଦ୍ବାଦଶ ଶ୍ରେଣୀକୁ ମିଶାଇ ବିଦ୍ୟାଳୟ କରାଯିବ। ଏହାବ୍ୟତୀତ ଆଉ କୌଣସି ବର୍ଗର ବିଦ୍ୟାଳୟ ରହିବ ନାହିଁ। ଗୋଟିଏ କ୍ୟାମ୍ପସରେ ଉଭୟ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ରଖିବା ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରିଛନ୍ତି। ଏକୁଟିଆ ରହିଥିବା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟକୁ ସୁଦୃଢ଼ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ଯୋଜନାରେ ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗ ଅଧୀନରେ ଥିବା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟକୁ ସାମିଲ କରାଯାଉଛି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶାଇବା ଦିଗରେ ପଦ‌କ୍ଷେପ ନେଉଛୁ। ଏନେଇ ପ୍ରକ୍ରିୟା ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପାଖାପାଖି ୬ ହଜାର ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରାଯିବ। ଏହାପରେ ୪୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକ କଥା ବିଚାର କରାଯିବ। ରାଜ୍ୟରେ ଥିବା ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଦିଗରେ ଏଭଳି ପଦ‌କ୍ଷେପ ନିଆଯାଉଛି।

କେଉଁ ସ୍କୁଲ ବନ୍ଦ ହେବ
୧୦୦ ମିଟର ମଧ୍ୟରେ ଥିବା ପ୍ରାଥମିକ/ୟୁପି ଓ ମାଧ୍ୟମିକ ବିଦ୍ୟାଳୟ
ଯେକୌଣସି ଦୂରତାରେ ୨୦ କିମ୍ବା ତା’ଠାରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ
୧ କିମି ଦୂରତାରେ ୪୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟ
୨ କିମି ଦୂରତାରେ ୫୦ରୁ କମ୍‌ ପିଲା ଥିବା ୟୁପି ସ୍କୁଲ(ଷଷ୍ଠରୁ ୮ମ)
୧ କିମି ଦୂରତାରେ ୬୦ରୁ କମ୍‌ ପିଲା ଥିବା ୟୁପି ସ୍କୁଲ (ପ୍ରଥମରୁ ୮ମ)
୨ କିମି ଦୂରରେ ୫୦ରୁ କମ୍‌ ପିଲା ଥିବା ମାଧ୍ୟମିକ ବିଦ୍ୟାଳୟ
(ଷଷ୍ଠରୁ ଦଶମ)
୨ କିମି ଦୂରରେ ୮୦ରୁ କମ୍ ପିଲା ଥିବା ମାଧ୍ୟମିକ ବିଦ୍ୟାଳୟ (ପ୍ରଥମରୁ ଦଶମ)
୩ କିମି ଦୂରରେ ଥିବା ୬୦ରୁ କମ୍‌ ପିଲା ଥିବା ମାଧ୍ୟମିକ ବିଦ୍ୟାଳୟ(୯ମ ଓ ଦଶମ)

ସମ୍ବନ୍ଧିତ ଖବର