ଗଂଜାମରେ କରୋନା: ୧୭୦ ଜଣ କୋଭିଡ୍‌ ଯୋଦ୍ଧା ସଂକ୍ରମିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଉଛି। ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି, କରୋନା ମୁକାବିଲାରେ ନିୟୋଜିତ କୋଭିଡ୍‌ ଯୋଦ୍ଧା ଏବେ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି। ଜିଲ୍ଲାରେ ଇତି ମଧ୍ୟରେ ୧୭୦ଜଣ କୋଭିଡ଼୍‌ ଯୋଦ୍ଧା ସଂକ୍ରମିତ ହେଲେଣି। ଏହା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇ ଦେଇଛି।

ସରକାରୀ କାର୍ଯ୍ୟାଳୟରେ ପ୍ରତିଷେଧ ବ୍ୟବସ୍ଥା ଗ୍ରହଣ ନିମନ୍ତେ ପ୍ରଶାସନ ଅଣ୍ଟା ଭିଡ଼ିଛି। ପ୍ରତି ସରକାରୀ କାର୍ଯ୍ୟଳୟରେ ଜଣେ କର୍ମଚାରୀଙ୍କୁ କୋଭିଡ଼୍‌ ମନିଟର୍‌ ଭାବେ ଚୟନ କରାଯିବ। କୋଭିଡ଼୍‌ ମିନିଟର ଉକ୍ତ କାର୍ଯ୍ୟାଳୟରେ କୋଭିଡ଼୍‌ ନିୟମାବାଳୀ ଅନୁପାଳନ ହେଉଛି କି ନାହିଁ ତଦାରଖ କରି ପ୍ରତ୍ୟହ କାର୍ଯ୍ୟାଳୟ ମୁଖ୍ୟଙ୍କୁ ରିପୋର୍ଟ ଦେବେ। ସରକାରୀ କାର୍ଯ୍ୟାଳୟରେ ସାମାଜିକ ଦ୍ୱରତ୍ୱ ଅବଲମ୍ବନ, କର୍ମଚାରୀ ମାସ୍କ୍‌ ପିନ୍ଧିବା ଏବଂ କାର୍ଯ୍ୟାଳୟ ସାନିଟାଇଜ୍‌(ବିଶୋଧନ) ଆଦି ଦିଗ ଉପରେ କୋଭିଡ଼୍‌ ମନିଟର୍‌ ଦୃଷ୍ଟି ଦେବେ। ଉଲ୍ଲଘଂନ କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାକୁ ପ୍ରବାସୀଙ୍କ ଫେରିବା ସଂଖ୍ୟାକୁ ଆକଳନ କରି ପ୍ରାୟ ୨୫ଶହ ସଙ୍ଗରୋଧ କେନ୍ଦ୍ର ସ୍ଥାପନ ହୋଇଥିଲା। ଏହି କେନ୍ଦ୍ରରେ ଅଶା, ଅଙ୍ଗନାବାଡ଼ି, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ୱାସ୍ଥ୍ୟକର୍ମୀ, ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଆଦି ଡ୍ୟୁଟି କରିଥିଲେ। ଜିଲ୍ଲାରେ କରୋନା ମୁକାବିଲା ଦିଗରେ ପୁଲିସ କର୍ମଚାରୀ, ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ବିଶେଷ କରି ସଙ୍ଗରୋଧ କେନ୍ଦ୍ରରେ ସେବା ଯୋଗାଉଥିବା କୋଭିଡ୍‌ ଯୋଦ୍ଧା ସଂକ୍ରମିତ ହୋଇଛନ୍ତି।

ଗତ କିଛି ଦିନ ଭିତରେ ଉପର ଅଧିକାରୀ, ଯେଭଳି ଛତ୍ରପୁର ଏସ୍‌ଡ଼ିପିଓ ଓ ଛତ୍ରପୁର ଥାନା ଅଧିକାରୀ, ବ୍ରହ୍ମପୁର ବଡ଼ ଡାକ୍ତରଖାନାର ୪ ଡାକ୍ତର ଓ ୮ ନର୍ସ କରୋନା ପୀଡ଼ିତ ହୋଇଥିଲେ। ସେମାନେ ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି। ରଙ୍ଗେଇଲୁଣ୍ଡା ବିଡ଼ିଓ, କନିଷି ତହସିଲଦାର, କନିଷି ଅତିରିକ୍ତ ତହସିଲଦାର ଏବେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ। ଗତ ୯ ଦିନ ମଧ୍ୟରେ ଜିଲ୍ଲାରେ ୯୪ ଜଣ କୋଭିଡ୍‌ ଯୋଦ୍ଧା ସଂକ୍ରମିତ ହେଲେଣି।

ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ, ଗତ ୧୮ତାରିଖରେ ୧୩ ଜଣ କୋଭିଡ଼୍‌ ଯୋଦ୍ଧା କରୋନା ସଂକ୍ରମିତ ହୋଇଥିଲେଯ ୧୯ତାରିଖରେ ୧୨ ଜଣ, ୨୦ ତାରିଖରେ ୬ଜଣ, ୨୧ତାରିଖରେ ୧୦ଜଣ, ୨୨ତାରିଖରେ ୨ଜଣ, ୨୩ ତାରିଖରେ ୬ ଜଣ ଏବଂ ୨୪ ତାରିଖରେ ୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୫ ତାରିଖରେ ୧୮ଜଣ ଓ ଆଜି ୧୩ ଜଣ କୋଭିଡ଼୍‌ ଯୋଦ୍ଧା ଆକ୍ରାନ୍ତ ହୋଇଛିନ୍ତି। ଅନ୍ୟପକ୍ଷରେ କୋଭିଡ଼୍‌ ଯୋଦ୍ଧା ଆକ୍ରାନ୍ତ ହେବା ଯୋଗୁଁ ଜିଲ୍ଲାର ଗୋଟିଏ ପରେ ଗୋଟିଏ କାର୍ଯ୍ୟାଳୟ ଅଚଳ ହେବାରେ ଲାଗିଛିଯ ଗତକାଲି ରଙ୍ଗେଇଲୁଣ୍ଡା ବ୍ଲକ୍‌ କାର୍ଯ୍ୟାଳୟ, କନିଷି ତହସିଲ ଓ କନିଷି ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର