ବନ୍ଧୁକ ବେପାର ଚେର ବିହାରରୁ ଭୁବନେଶ୍ବର : ବର୍ଷକରେ ୧୮ ବନ୍ଧୁକ ଜବତ, ୨୧ ଗିରଫ

ଆନ୍ତଃରାଜ୍ୟ ବନ୍ଧୁକ ବେପାରୀ ଓ ସହଯୋଗୀ ଗିରଫ, ବନ୍ଧୁକ ଜବତ

ଭୁବନେଶ୍ୱର : ପ୍ରଥମଥର ପାଇଁ ରାଜଧାନୀରେ ଚୋରା ବନ୍ଧୁକ କାରବାରରେ ସଂପୃକ୍ତ ଥିବା ଜଣେ ବିହାରୀ ଯୁବକକୁ ଗିରଫ କରିଛି  କମିସନରେଟ ପୁଲିସର ସ୍ପେସାଲ ସ୍କ୍ବାଡ୍।  ବିହାରୀ ଯୁବକ ଜଣକ ରାଜଧାନୀ ସମେତ ଖୋର୍ଧା, ପୁରୀ, ଜଗତସିଂହପୁର ଅପରାଧୀଙ୍କକୁ ମାଳମାଳ ବନ୍ଧୁକ ଓ ଗୁଳି ଯୋଗାଇ ଦେଇଛି। ଏପରିକି ତାରି ବନ୍ଧୁକରେ ପୁରୀ ଓ ଖୋର୍ଧାରେ ଏକାଧିକ ଗୁଳିକାଣ୍ଡ ଘଟିଥିବା ବେଳେ କେତେକଙ୍କ ଜୀବନ ଯାଇଛି ମଧ୍ୟ। ଆଜି ଏଭଳି ଜଣେ ଏଜେଣ୍ଟକୁ ଗିରଫ କରିବା ପରେ ରାଜଧାନୀ ସମେତ ରାଜ୍ୟରେ ଚାଲିଥିବା ବନ୍ଧୁକ କାରବାର ପର୍ଦାଫାସ କରିଛି ସ୍ପେସାଲ ସ୍କ୍ବାଡ। ଏପରିକି ତାକୁ ରିମାଣ୍ଡରେ ପୁଣି ଥରେ ପଚରାଉଚରା କରିବାକୁ ଯୋଜନା ମଧ୍ୟ କରାଯାଇଛି।

ଗିରଫ ହୋଇଥିବା ବନ୍ଧୁକ ବେପାରୀ ହେଉଛି, ବିହାର ବୈଶାଳୀ ଜିଲ୍ଲା ହାଜିପୁର ପୋଖ୍ରାମାଲର ସୁଜିତ କୁମାର ଦାସ(୧୯), ସହଯୋଗୀ ଖୋର୍ଦ୍ଧା ସାମନ୍ତରାପୁର ମଙ୍ଗଳାସାହିର ଅଜିତ ମହାପାତ୍ର ଓରଫ୍‌ ବାପି(୩୨)। ବୁଦ୍ଧନଗର ଅଞ୍ଚଳରେ ସେମାନେ ଏକ ବନ୍ଧୁକ ବିକ୍ରି କରିବା ପାଇଁ ଗ୍ରାହକଙ୍କ ପାଖକୁ ଯାଉଥିବା ବେଳେ ସ୍ପେସାଲ ସ୍କ୍ବାଡ ଓ ଲକ୍ଷ୍ମୀସାଗର ଥାନା ପୁଲିସ ସେମାନଙ୍କୁ ଗିରଫ କରିଛି। ତାଙ୍କଠାରୁ ଏକ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ କରାଯାଇଛି। ତଦନ୍ତ ବେଳେ ଏହି ସବୁ ବନ୍ଧୁକ ସେମାନେ ଦୀର୍ଘ ଦିନ ହେବ ବିହାର ମୁଙ୍ଗେର ଅଞ୍ଚଳରୁ ଆଣି ଏଠାରେ ବିକ୍ରି କରୁଥିଲେ ବୋଲି ପୁଲିସ କହିଛି। ତଦନ୍ତ ବେଳେ ଏହା ମଧ୍ୟ ପଦାକୁ ଆସିଛି କି ବିହାରୀ ବେପାରିର ସହଯୋଗୀ ବାପି ପୂର୍ବରୁ ଦୁଇ ଦୁଇ ଥର ଗୁଳିମାଡ଼ ଘଟଣାରେ ଜେଲ୍‌ ଯାଇ ସାରିଛି। ୨୦୧୭ ମସିହାରେ ଖୋର୍ଦ୍ଧାର ଏକ ଗୁଳିମାଡ଼ ମାମଲାରେ ଓ ୨୦୧୬ ମସିହାରେ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଗୁଳିମାଡ଼ ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ ଭା‌େବ ଗିରଫ ହୋଇଥିଲା।

ମୁଙ୍ଗେରରେ ବସିଛି ମାଷ୍ଟରମାଇଣ୍ଡ

ସ୍ପେସାଲ ସ୍କ୍ବାଡ ଏସିପି ସଂଜୀବ ଶତପଥୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ସବୁବେଳେ ବିହାରର ମୁଙ୍ଗେରରୁ ବନ୍ଧୁକ ରାଜଧାନୀକୁ ଚାଲାଣ ହୋଇଥାଏ ବୋଲି କୁହାଯାଇଥାଏ। କିନ୍ତୁ ପୁଲିସ ମୁଙ୍ଗେର ଲିଙ୍କ ନେଇ କୌଣସି ପ୍ରମାଣ ପାଇ ନ ଥିଲା। କିନ୍ତୁ ଦୀର୍ଘ ଦିନ ହେବ ପୁଲିସ ଏହି ବନ୍ଧୁକ କାରବାର ଉପରେ ନଜର ରଖିଥିଲା। ବିଗତ ଦିନରେ କ୍ୟାପିଟାଲ ଥାନା, ରେଳବାଇ ଥାନା ଓ ପୁରୀରୁ ଗିରଫ ହୋଇଥିବା କେତେକ ଯୁବକଙ୍କୁ ଗିରଫ କରିବା ପରେ ମୁଙ୍ଗେର ଲିଙ୍କ୍ ନେଇ ସୁରାକ ମିଳିଥିଲା। ମୁଙ୍ଗେରରେ ବସିଥିବା ମାଷ୍ଟରମାଇଣ୍ଡ ସମ୍ପର୍କରେ ପୁଲିସ କୌଣସି ସୂଚନା ଦେଇ ନ ଥିଲେ ମଧ୍ୟ ବାପି ହିଁ ସେମାନଙ୍କ ଦଲାଲ ବୋଲି ଏସିପି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି। ରାଜଧାନୀ ସମେତ ରାଜ୍ୟର ଯେ କୌଣସି ସ୍ଥାନରେ ବନ୍ଧୁକର ଆବଶ୍ୟକ ପଡ଼ିଲେ, ବାପି ହଁ ଖୋଜାପଡ଼େ। ବାପି ମୁଙ୍ଗେରରେ ବସିଥିବା ତାର ମୁଖ୍ୟକୁ ଯୋଗାଯୋଗ କରେ। ଏହା ପରେ ସୁଜିତ ମାଧ୍ୟମରେ ବନ୍ଧୁକ ରାଜଧାନୀରେ ପହଞ୍ଚେ।

୨୫ ହଜାର ଟଙ୍କାର ବନ୍ଧୁକ ୫୦ ହଜାରରେ ବିକ୍ରି 

ବିହାରରୁ ବନ୍ଧୁକ ୨୫ ହଜାର ଟଙ୍କାରେ କିଣାଯାଇ ଏଠାରେ ବାପି ତାକୁ ୪୫ରୁ ୫୦ହଜାର ଟଙ୍କାରେ ବିକ୍ରି କରୁଥିଲା। ଗୁଳି ମଧ୍ୟ ୨ଶହ ଟଙ୍କାରେ କିଣି ଏଠାରେ ୫ଶହ ଟଙ୍କାରେ ବିକ୍ରି କରିଥାଏ। ଏହି ବାବଦରେ ବାପି ଭଲ କମିସନ ମଧ୍ୟ ପାଇଥାଏ। ବନ୍ଧୁକ ପହଞ୍ଚାଉଥିବା ସୁଜିତ ପାଇଥାଏ ମାତ୍ର ୨ରୁ ୩ ହଜାର ଟଙ୍କା ସହ ବାଟଖର୍ଚ ଓ ଖାଇବା ଖର୍ଚ। ବାପି ଅର୍ଡର ଦେବା କ୍ଷଣି ସୁଜିତ ବନ୍ଧୁକ ଧରି ଏଠାରେ ପହଞ୍ଚି ଯାଇଥାଏ। ପୁଲିସ ସୁଜିତକୁ ଜେରା କରିବା ବେଳେ ସେ କେବଳ ମାଧ୍ୟମ ବୋଲି ପୁଲିସକୁ କହିଛି। ସେ କେବଳ ବନ୍ଧୁକ ଭୁବନେଶ୍ବରରେ ପହଞ୍ଚାଇଥାଏ। ମୁଙ୍ଗେରରେ ମୁଖ୍ୟ ଲୋକ ଅଛି ସେ ପୁଲିସ ଆଗରେ ସ୍ବୀକାର କରିଛି। ତେଣୁ ପୁଲିସ ସୁଜିତକୁ ରିମାଣ୍ଡରେ ଆଣି ମୁଙ୍ଗେର ନେବାକୁ ଯୋଜନା କରିଛି। କମିସନରେଟ ପୁଲିସ ପ୍ରଥମଥର ପାଇଁ ମୁଙ୍ଗେର ଲିଙ୍କ ପାଇବା ପରେ ଉତ୍ସାହିତ ହୋଇପଡ଼ିଛି। ଏହା ଛଡ଼ା ବାପି ଓ ସୁଜିତ କେଉଁକେଉଁମାନଙ୍କ ବନ୍ଧୁକ ବିକ୍ରି କରିଛି ସେ ନେଇ ମଧ୍ୟ ତଥ୍ୟ ସଂଗ୍ରହ ହୋଇ ସାରିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସିପି ଶ୍ରୀ ଶତପଥୀ କହିଛନ୍ତି।

ବର୍ଷକରେ ୧୮ ବନ୍ଧୁକ ଜବତ କଲା ସ୍ପେସାଲ ସ୍କ୍ବାଡ୍

ସ୍ପେସାଲ ସ୍କ୍ବାଡରେ ଯୋଗ ଦେବା ପରେ ଏସିପି ସଂଜୀବ ଶତପଥୀ ବର୍ଷକ ମଧ୍ୟରେ ୫ରୁ ଚୋରା ବନ୍ଧୁକ ରୢାକେଟର ପର୍ଦାଫାସ କରିବା ସହିତ ୧୮ଟି ବନ୍ଧୁକ ଜବତ କରିଛନ୍ତି। ଏହାଛଡ଼ା ଏହି କାରବାରରେ ସଂପୃକ୍ତ ଥିବା ୨୧ଜଣ ଚୋରା ବନ୍ଧୁକ ବେପାରିଙ୍କୁ ମଧ୍ୟ ଗିରଫ କରିଛି ସ୍ପେସାଲ ସ୍କ୍ବାଡ। ଆଗାମୀ ଦିନରେ ଏଭଳି ଚଢ଼ଉ ଆହୁରି ଜୋରଦାର ହେବ ବୋଲି ଏସିପି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର