ପୁଲିସ କନେଷ୍ଟବଳଙ୍କ ୨.୧୬ କୋଟିର ସମ୍ପତ୍ତି! ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ

ନଗଦ ୫ ଲକ୍ଷ ଟଙ୍କା ଜବତ, ପତ୍ନୀଙ୍କ ନାମରେ ୪ଟି ଘର

ବ୍ରହ୍ମପୁର: ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ଜଣେ କୋଟିପତି କନେଷ୍ଟବଳ । ବ୍ରହ୍ମପୁର ପୁଲିସ ଜିଲ୍ଲାରେ କାର୍ଯ୍ୟରତ କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ସଦର ଥାନା ଲୋଚାପଡ଼ାରେ ଥିବା ଏକ ୩ ମହଲା ଘର, ନିମଖଣ୍ଡି କେନାଲ ରୋଡ଼ରେ ଥିବା ୩ଟି ଘର ଏବଂ ଭଞ୍ଜନଗର ଥାନା ଗାମୁଣ୍ଡି ଗ୍ରାମରେ ଥିବା ପୈତୃକ ବାସଭବନରେ ଚଢ଼ଉ କରାଯାଇଥିଲା। ଯାଞ୍ଚ୍‌ ପରେ କନେଷ୍ଟବଳ ସୁଦର୍ଶନ ଓ ତାଙ୍କ ପରିବାରବର୍ଗଙ୍କ ନାମରେ ମୋଟ ୨କୋଟି ୧୬ଲକ୍ଷ ୧ହଜାର ୪୨୫ଟଙ୍କାର ସମ୍ପତ୍ତି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଠାବ କରିଛି। ଏ ଦିଗରେ ଅଧିକ ତଦନ୍ତ ଜାରି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ଏସ୍‌.ପି. ତ୍ରିଲୋଚନ ସ୍ବାଇଁ ସୂଚନା ଦେଇଛନ୍ତି।

୧୯୮୯ ଜୁଲାଇ ୧୪ତାରିଖରେ କନ୍‌ଷ୍ଟେବଲ୍‌ ପ୍ରଧାନ ଓଏସ୍‌ଏପି କନ୍‌ଷ୍ଟେବଲ୍‌ ଭାବେ କୋରାପୁଟ ତୃତୀୟ ବାଟାଲିଅନ୍‌ରେ ନିଯୁକ୍ତି ପାଇଥିଲେ। ବର୍ତ୍ତମାନ ସେ ବ୍ରହ୍ମପୁର ପୁଲିସ ଜିଲ୍ଲା ଟାଉନ୍ ଥାନା ଅଧୀନରେ ଥିବା ବିଜିପୁର ଟାଉନ୍‌ ଆଉଟ୍‌ପୋଷ୍ଟ୍‌ରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା। ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତରଫରୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଅନୁମତି କ୍ରମେ କନେଷ୍ଟବଳ ପ୍ରଧାନଙ୍କ ଘର ସମେତ ପୈତୃକ ବାସଭବନରେ ଚଢ଼ଉ କରାଯାଇଥିଲା। ଜଣେ ଏଏସ୍‌ପିଙ୍କ ନେତୃତ୍ବରେ ଦୁଇଜଣ ଡିଏସ୍‌ପି, ୫ଜଣ ଇନ୍‌ସ୍ପେକ୍ଟର୍‌ଙ୍କୁ ନେଇ ଗଠିତ ଟିମ୍‌ ଆଜି ସକାଳେ ଚଢ଼ଉ କରିଥିଲା। ଲୋଚାପଡ଼ା ମୁଖ୍ୟ ରାସ୍ତାରେ କନେଷ୍ଟବଳ ପ୍ରଧାନଙ୍କ ପତ୍ନୀ ସବିତା ପ୍ରଧାନଙ୍କ ନାମରେ ଥିବା ୩ମହଲା କୋଠାର ମୂଲ୍ୟ ୧କୋଟି ୮ଲକ୍ଷ ୬୩ହଜାର ୧୦୩ଟଙ୍କା ହେବ ବୋଲି ଭିଜିଲାନ୍ସ ବିଭାଗ ଆକଳନ କରିଛି। ସେହିପରି ଲୋଚାପଡ଼ା କେନାଲ ସାହିରେ ଥିବା ୩ଟି ଘରର ମୂଲ୍ୟ ୮୨ଲକ୍ଷ ୮୩ହଜାର ୩ଶହ ଟଙ୍କା ହୋଇଥିବା ବେଳେ ୩ଲକ୍ଷ ୮୭ହଜାର ୨୫୦ଟଙ୍କାର ଦୁଇଟି ପ୍ଲଟ୍‌ ରହିଛି।

ନିମଖଣ୍ଡିରେ ୪ଲକ୍ଷ ୪୦ହଜାର ୨୫୦ଟଙ୍କାର ଜମି ରହିଥିବା ବେଳେ ତୁମ୍ବାଗଡ଼ରେ ୧ଲକ୍ଷ ୬୫ହଜାର ୨୧୨ଟଙ୍କାର ଜମି ରହିଛି। ଏହି ସମସ୍ତ ଘର ଓ ଜମି କନ୍‌ଷ୍ଟେବଲ୍‌ ପ୍ରଧାନଙ୍କ ପତ୍ନୀଙ୍କ ନାମରେ ରହିଛି। ସେହିପରି ୪ଲକ୍ଷ ୩୦ହଜାର ଟଙ୍କାର ଘରକରଣା ସାମଗ୍ରୀ ରହିଥିବା ବେଳେ ୧ଲକ୍ଷ ୮ହଜାର ଟଙ୍କାର ସ୍କୁଟି ଓ ବାଇକ୍‌ ରହିଛି। ୨ଲକ୍ଷ ୪୩ହଜାର ଟଙ୍କାର ସୁନା ଗହଣା ରହିଥିବା ବେଳେ ବ୍ୟାଙ୍କ ଜମା ୧ଲକ୍ଷ ୬୧ହଜାର ଟଙ୍କା ରହିଛି। ସେହିପରି ଯାଞ୍ଚ ସମୟରେ ମୋଟ ୫ଲକ୍ଷ ୧୬ହଜାର ୮୮୦ଟଙ୍କା ନଗଦ ଜବତ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର