ଡିକି ଖୋଲି ଅଢ଼େଇ ଲକ୍ଷ ଟଙ୍କା ଲୁଟ୍‌

ଦଶରଥପୁର : ମଙ୍ଗଳପୁର ଥାନା ଝୁମ୍ପୁରୀ ବଜାରରେ ଆଜି ଏକ ସ୍କୁଟର ଡିକିରୁ ୨ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ ହୋଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଣିନାଥପୁର ଗ୍ରାମର ବିଜୟ ସାମଲ (୫୨) ଏହି ଲୁଟ୍‌ର ଶିକାର ହୋଇଛନ୍ତି। ଯାଜପୁର ଟାଉନରେ ବାବା ଗୋପୀନାଥ ଷ୍ଟୋର ନାମରେ ତାଙ୍କର ହୋଲସେଲିଂ ବ୍ୟବସାୟ ପ୍ରତିଷ୍ଠାନ ରହିଛି। ଆଜି ସକାଳ ୯ଟା ସମୟରେ ମଙ୍ଗଳପୁର ବଜାରରୁ ବ୍ୟବସାୟ ସଂକ୍ରାନ୍ତ ବକେୟା ଟଙ୍କା ଆଦାୟ କରିବା ପରେ ବଉଳାଙ୍ଗ, କାଟିଆ ଛକ ଓ ଝୁମ୍ପୁରୀରେ ସେ ଟଙ୍କା ଆଦାୟ କରିଥିଲେ। ଝୁମ୍ପରୀ ବଜାରରେ ୫ଟି ଦୋକାନରୁ ଟଙ୍କା ଆଦାୟ କରିସାରି ସବୁ ଟଙ୍କାକୁ ନିଜ ସ୍କୁଟର ଡିକିରେ ରଖିଥିଲେ।

ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରେ ତାରିଣୀ ଛକରେ ସ୍କୁଟରଟିକୁ ରଖି ବଜାରର ଅନ୍ୟ ଏକ ଦୋକାନକୁ ଯାଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ନକଲି ଚାବି ବ୍ୟବହାର ଡିକି ଖୋଲି ୨ ଲକ୍ଷ ୫୦ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ। ଟଙ୍କା ଲୁଟ୍‌ ହୋଇଥିବା ଜାଣିବା ପରେ ସେ ସ୍ଥାନୀୟ ବ୍ୟବସାୟୀଙ୍କୁ ଜଣାଇବା ସହିତ ନିକଟସ୍ଥ ଝୁମ୍ପୁରୀ ବିଟ୍‌ ହାଉସରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ସଙ୍ଗେସଙ୍ଗେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବି ଲୁଟେରାଙ୍କ ସନ୍ଧାନ ପାଇ ନଥିଲା।  ଝୁମ୍ପୁରୀ ଫାଣ୍ଡି ଅଧିକାରୀ ଘନଶ୍ୟାମ ହେସା ଘଟଣାସ୍ଥଳରେ ତନାଘନା କରିବା ସହ ବଜାର ଅଞ୍ଚଳରେ ଥିବା ସିସି କ୍ୟାମେରା ଫୁଟେଜ ଯାଞ୍ଚ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର