ରାଜଧାନୀରେ ଝଡ଼ ତୋଫାନ : ଦୁଇ ବିମାନ ଓହ୍ଲାଇ ପାରିଲାନି

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଝଡ଼ ତୋଫାନ ଯୋଗୁଁ ବିମାନ ସେବା ପ୍ରଭାବିତ ହୋଇଛି। ଭୁବନେଶ୍ୱରରେ ଅବତରଣ କରିବାକୁ ଥିବା ଦୁଇଟି ବିମାନକୁ କୋଲକତାକୁ ଡାଇଭର୍ଟ କରାଯାଇଥିବାବେଳେ ଏଠାରୁ ଯିବାକୁ ଥିବା ପ୍ରାୟ ୧୩ ବିମାନର ଉଡ଼ାଣ ବିଳମ୍ବ ହୋଇଛି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ବେଙ୍ଗାଲୁରରୁ ଭୁବନେଶ୍ୱର ଆସୁଥିବା ଇଣ୍ଡିଗୋର ୬ଇ-୩୧୨ ବିମାନ ଏଠାରେ ପୂର୍ବାହ୍ନ ୧୦ଟାରେ ଅବତରଣ କରିବାକୁ ଥିବାବେଳେ ପାଗ ଭଲ ନ ଥିବାରୁ ଏଟିସି ଅବତରଣ ପାଇଁ ଅନୁମତି ଦେଇନଥିଲା। ସେହିପରି ହାଇଦ୍ରାବାଦରୁ ଆସୁଥିବା ଏୟାର ଏସିଆର ବିମାନ ୧୫୬୪ ଭୁବନେଶ୍ୱରରେ ଅପରାହ୍ନ ୧ଟାରେ ଅବତରଣ କରିବାକୁ ଥିଲେ ହେଁ ଏହାକୁ ବି କୋଲକତାକୁ ଡାଇଭର୍ଟ କରାଯାଇଥିଲା। ଦୁଇଟି ଯାକ ବିମାନ କୋଲକତା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲେ। ଏହାପରେ ଅପରାହ୍ନରେ ପୁଣି ଭୁବନେଶ୍ୱର ଫେରିଥିଲେ। ସେହିପରି ଆଜି ଭୁବନେଶ୍ୱରୁୁ ୧୩ଟି ବିମାନ ଉଡ଼ାଣ ବିଳମ୍ବ ହୋଇଥିବାବେଳେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ମଧ୍ୟରେ ୯ଟି ବିମାନ ବିଳମ୍ବରେ ଉଡ଼ାଣ କରିଥିଲା।

ସମ୍ବନ୍ଧିତ ଖବର