୨ଲକ୍ଷ ଶ୍ରମିକ ଛଟପଟ, ଓଡ଼ିଶା ବାହାରେ ଫସିଛନ୍ତି ଦେଢଲକ୍ଷରୁ ଅଧିକ

ଓଡ଼ିଶା ଭିତରେ ବାହାର ଶ୍ରମିକ ୨୦ ହଜାର, ଅତିଥି ଭଳି ବ୍ୟବହାର କରିବାକୁ ନିର୍ଦେଶ

ଭୁବନେଶ୍ବର: ତାଲା ବନ୍ଦ ପରେ ରାଜ୍ୟ ବାହାରେ ଦେଢଲକ୍ଷ ଓଡ଼ିଆ ଫସି ରହିଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ସମୀକ୍ଷା କରିବା ପରେ ସରକାରୀ ଭାବେ ଏହି ତଥ୍ୟ ସାମ୍ନାକୁ ଆସିଛି। ଅନ୍ୟପଟରେ ଅନ୍ୟ ରାଜ୍ୟର ପାଖାପାଖି ୧୯ହଜାର ୮୩୮ ଜଣ ଶ୍ରମଜୀବୀଙ୍କୁ ସରକାର ୨୭୬ଟି ଅସ୍ଥାୟୀ ଶିବିରରେ ରଖିଛନ୍ତି। ସେମାନଙ୍କୁ ସବୁ ପ୍ରକାର ଖାଦ୍ୟପେୟ ଆଦି ଯୋଗାଇ ଦିଆଯାଉଛି। ସରକାରୀ ଭାବେ ଏହି ସଂଖ୍ୟା କୁହାଯାଉଥିଲେ ହେଁ, ଉଭୟ କ୍ଷେତ୍ରକୁ ମିଶାଇଲେ, ଓଡ଼ିଶା ବାହାରେ ଓ ଓଡ଼ିଶା ଭିତରେ ଫସିଥିବା ଶ୍ରମଜୀବୀଙ୍କ ସଂଖ୍ୟା ୨ଲକ୍ଷରୁ ଅଧିକ ହେବ। କାରଣ ଉଭୟ କ୍ଷେତ୍ରରେ ପ୍ରଶାସନ ପାଖରେ ଦିନକୁ ଦିନ ଅଧିକ ଲୋକ ପହଞ୍ଚୁଛନ୍ତି ଓ ସଂଖ୍ୟା ବଢିବାରେ ଲାଗିଛି। ଓଡ଼ିଶା ବାହାରେ ପ୍ରବାସୀ ଓଡ଼ିଶା ଶ୍ରମିକ ଆଦି କିଭଳି ରହୁଛନ୍ତି ସେ ସଂପର୍କରେ ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ଏକ ବୈଠକ ନେଇଥିଲେ। ଏଥିରେ ବିଭିନ୍ନ ରାଜ୍ୟ ଦାୟିତ୍ବରେ ଥିବା ନୋଡାଲ୍ ଅଫିସରଙ୍କ ବ୍ୟତୀତ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକ ପରେ ଗୃହ ସଚିବ ସଂଜୀବ ଚୋପ୍ରା ଗଣମାଧ୍ୟମକୁ କହିଥିଲେ, ଆଜି ସକାଳ ସୁଦ୍ଧା କଣ୍ଟ୍ରୋଲ ରୁମକୁ ୫ ହଜାର ୨ ଶହ କଲ୍ ଆସିଛି। ଅନେକ ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚିବା ଆରମ୍ଭ କରିଛି। ବିଭିନ୍ନ ରାଜ୍ୟ ପାଇଁ ଥିବା ନୋଡାଲ ଅଫିସର ରାଜ୍ୟ ସରକାରଙ୍କୁ ସେମାନଙ୍କ ରିପୋର୍ଟ ଦେଉଛନ୍ତି। ସମାଧାନ ନ ହେଲା ଯାଏଁ ପ୍ରଶାସନ କାମ ଜାରି ରଖିବ। ତେବେ ଯାହା ସୂଚନା ମିଳୁଛି, ଏନସିଆର, ଦିଲ୍ଲୀ, ଗୁଜରାଟ ଓ ମୁମ୍ବାଇରେ ଅଧିକ ଓଡିଆ ଫସି ରହିଛନ୍ତି । ଶହେରୁ ଅଧିକ ଏକତ୍ରିତ ଲୋକ ଥିବା ୨୩୦ଟି ଓଡିଆ ଗ୍ରୁପ ଚିହ୍ନଟ ହୋଇଛି ଓ ସେମାନଙ୍କ ସହିତ ପ୍ରଶାସନ ନିୟମିତ ଯୋଗାଯୋଗରେ ରହିଛି। ଯଦିଓ ଦେଢ ଲକ୍ଷ ଲୋକ ରାଜ୍ୟ ବାହାରେ ଫସି ରହିଛନ୍ତି, ପ୍ରଶାସନ କିନ୍ତୁ ୪୦ ହଜାର ଲୋକଙ୍କ ସହ ଯୋଗାଯୋଗ କରିପାରିଛି ବୋଲି କୁହାଯାଇଛି। ଯେଉଁ ଲୋକମାନେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି, ସେମାନଙ୍କ ଖାଇବା ଓ ଔଷଧ ଉପରେ ସବୁଠାରୁ ବେଶି ଗୁରୁତ୍ବ ଦିଆଯାଉଛି। ଅପରାହ୍ନରେ ଓଡ଼ିଶାର ବିଭିନ୍ନ ଜାଗାରେ ଅଟକି ରହିଥିବା ଶ୍ରମିକଙ୍କ ସଂପର୍କରେ ସରକାରଙ୍କ ପକ୍ଷରୁ କୁହାଯାଇଛି, ଏବେ ସୁଦ୍ଧା ସେମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ୨୭୬ଟି ଅସ୍ଥାୟୀ ଆଶ୍ରୟ ଶିବିର ଖୋଲାଯାଇଛି। ସରକାର ନିର୍ଦେଶ ଦେଇଛନ୍ତି, ବାହାରୁ ଅଟକି ରହିଥିବା ଏହି ଶ୍ରମିକଙ୍କ ପାଇଁ ସବୁ ସୁବିଧା ଯୋଗାଇ ଦିଆଯିବ। ସେମାନଙ୍କୁ ଅତିଥି ଭଳି ଆଚରଣ ପ୍ରଦର୍ଶନ କରିବାକୁ ସରକାର ନିର୍ଦେଶ ଦେଇଥିବା ରାଜ୍ୟ ସରକାରଙ୍କ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି।

ସମ୍ବନ୍ଧିତ ଖବର