+୨ ପ୍ରଶ୍ନପତ୍ର ବିଭ୍ରାଟ ଘଟଣା : ପରିଷଦର ଦ୍ୱାରସ୍ଥ ହେଲେ ପରୀକ୍ଷାର୍ଥୀ

ଭୁବନେଶ୍ୱର/କୋଣାର୍କ : ପୁରୀ ଜିଲ୍ଲା କୋଣାର୍କସ୍ଥିତ ଭଗବତୀ କଲେଜରେ ଯୁକ୍ତ୨ ବାଣିଜ୍ୟ ବିଭାଗ ରେଗୁଲାର ଛାତ୍ରଛାତ୍ରୀଙ୍କୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ବଣ୍ଟନକୁ ନେଇ ସୃଷ୍ଟି ହୋଇଥିବା ବିଭ୍ରାଟ ଆଜି ଉଗ୍ରରୂପ ନେଇଛି। ଗୋଟିଏ ପଟେ ପରୀକ୍ଷାର୍ଥୀ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଥିବା ବେଳେ ଅନ୍ୟପଟେ ପରୀକ୍ଷା କେନ୍ଦ୍ର କର୍ତୃପକ୍ଷ ଚୁପ୍‌ ହୋଇ ବସିପଡ଼ିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଗତକାଲିଠାରୁ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ କାରଣ ଦର୍ଶାଅ ରିପୋର୍ଟ ମାଗିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦିଆଯାଇପାରିନି। କର୍ତୃପକ୍ଷ ଦିନ ଗଡ଼ାଇ ଚାଲିଥିବା ବେଳେ ଛାତ୍ରଛାତ୍ରୀ, ଅଭିଭାବକମାନେ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦ୍ୱାରସ୍ଥ ହୋଇ ତୁରନ୍ତ ନ୍ୟାୟ ପାଇଁଁ ଦାବି କରିଛନ୍ତି।

ଗତକାଲିର ଘଟଣା ପରେ ଆଜି ପୂର୍ବାହ୍ନରେ ଛାତ୍ରଛାତ୍ରୀ ଓ ଅଭିଭାବକ କଲେଜ କର୍ତୃପକ୍ଷ ଏବଂ ପରୀକ୍ଷା ପରିଚାଳନା ଲାଗି ଆସିଥିବା ହବ୍‌ ଅଧିକାରୀଙ୍କ ଦାୟିତ୍ଵହୀନତା ବିରୋଧରେ କଲେଜ ସମ୍ମୁଖ ଫାଟକରେ ନାରାବାଜି କରିଥିଲେ। ଘଟଣାରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଅଡ଼ି ବସିିଥିଲେ। ସମୟ ଯେତିକି ଗଡ଼ିଥିଲା ଘଟଣା ସ୍ଥଳରେ ଉତ୍ତେଜନା ବଢ଼ିଚାଲିଥିଲା। ଖବରପାଇ ସ୍ଥାନୀୟ ଥାନା ଅଧିକାରୀ ସଞ୍ଜୀବ କୁମାର ପ୍ରଧାନ ଓ ଅତିରିକ୍ତ ତହସିଲଦାର ଦୀପକ ପ୍ରସାଦ ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। କିଛି ସମୟ ପରେ କଲେଜର ଅଧ୍ୟକ୍ଷ ବୀରକିଶୋର ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଏଦିଗରେ ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ବିଭ୍ରାଟରେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଉପରିସ୍ଥ ଅଧିକାରୀଙ୍କୁ ସୁପାରିଶ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ମଧ୍ୟ ଏସଂକ୍ରାନ୍ତରେ ଅବଗତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଥିଲା। ଏହାପରେ ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ ରହିଛି। ଆସନ୍ତା ୧୨ ତାରିଖ ପୂର୍ବରୁ ଏଦିଗରେ ପଦକ୍ଷେପ ନିଆ ନ ଗଲେ ୧୩ ତାରିଖରୁ ଛାତ୍ରଛାତ୍ରୀ ପରୀକ୍ଷା ବର୍ଜନ କରି ପୁର୍ନବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାଇ ଦେଇଛନ୍ତି।

ଅପରାହ୍ନରେ କଲେଜ ଅଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କ ସମେତ କେତେଜଣ ଛାତ୍ର ଓ ଅଭିଭାବକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିକାରୀଙ୍କୁ ଭେଟି ତୁରନ୍ତ ନ୍ୟାୟ ଦେବାକୁ ଦାବି କରିଥିଲେ। ପରୀକ୍ଷାର୍ଥୀଙ୍କ ମାନସିକତାକୁ ଦେଖି ଘଟଣାରେ ସଂପୃକ୍ତ ସମସ୍ତ କର୍ମଚାରୀଙ୍କ ବିରୁଦ୍ଧରେ ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିଷଦର ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ପରିଷଦ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁଁ ସୁପରିନ୍‌ଟେଣ୍ଡେଣ୍ଟ ପରୀକ୍ଷା କେନ୍ଦ୍ରକୁ ଯାଇପାରିଲେ ନାହିଁ। ଯେଉଁଥିପାଇଁ ରିପୋର୍ଟ ଦେଇନାହାନ୍ତି। ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର