ସୁଶାନ୍ତ ଧଳସାମନ୍ତ ଅଦାଲତରେ ହାଜର

ତିନି ଦିନ ରିମାଣ୍ଡ ପାଇଁ ପୁଲିସର ଆବେଦନ

କଟକ : ବାଲିଘାଟ ବଟିକୁ ନେଇ ସଦର ଥାନା ସୁଭଦ୍ରାପୁର ଅଞ୍ଚଳର ବିଜେନ୍‌ ପାଲଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଆଜି ସୁଶାନ୍ତ ଧଳସାମନ୍ତଙ୍କୁ ଅଭିଯୁକ୍ତ ଭାବେ ଗ୍ରହଣ କରାଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୁଶାନ୍ତଙ୍କୁ ଝାରପଡ଼ା ଜେଲରୁ ଆଣି କଟକ ଜେଏମ୍‌ଏଫ୍‌ସି(ରୁରାଲ)ଙ୍କ ଅଦାଲତରେ ହାଜର କରାଯାଇଥିଲା। ଏହି ମାମଲାରେ ସାକ୍ଷୀଙ୍କ ବୟାନ ଓ ତଦନ୍ତରୁ ମିଳିଥିବା ତଥ୍ୟରୁ ତାଙ୍କ ସଂପୃକ୍ତି ରହିଥିବା ସ୍ପଷ୍ଟ ହୋଇଥିବା ସଂପର୍କରେ ସୁଶାନ୍ତଙ୍କୁ ଅଦାଲତରେ ଅବଗତ କରାଯାଇଥିଲା। ପୁଲିସ ତାଙ୍କୁ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଇ ଦାଖଲ କରିଥିବା ଆବେଦନକୁ ଗ୍ରହଣ କରି ସୁଶାନ୍ତଙ୍କୁ ଅଦାଲତ ଏହି ମାମଲାରେ ବିଚାର ବିଭାଗୀୟ ହଜାତକୁ ପଠାଇ ଦେଇଥିଲେ। ଏହା ପରେ ତାଙ୍କୁ ପୁଣି ଝାରପଡ଼ା ଜେଲ ହାଜତକୁ ପଠାଇ ଦିଆଯାଇଥିଲା।

ଅନ୍ୟପକ୍ଷରେ ଆଜି ସୁଶାନ୍ତ ଓ ଅନ୍ୟତମ ଅଭିଯୁକ୍ତ ରଂଜିତା ବିଶ୍ୱାଳଙ୍କୁ ତିନି ରିମାଣ୍ଡରେ ନେଇ ପଚରା ଉଚୁରା ପାଇଁ ସଦର ଥାନା ପୁଲିସ ଅଦାଲତରେ ଆବେଦନ କରିଛି। ଏପରି ଆବେଦନକୁ ଅଭିଯୁକ୍ତଙ୍କ ପକ୍ଷରୁ ବିରୋଧ କରାଯାଇଛି। ଏହି ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାର କିଛି ଆବଶ୍ୟକତା ନାହିଁ ବୋଲି ସୁଶାନ୍ତଙ୍କ ପକ୍ଷରୁ ଦର୍ଶାଯାଇଥିଲା। ପୁଲିସର ରିମାଣ୍ଡ ଆବେଦନ ଉପରେ ସୋମବାର ଚୂଡାନ୍ତ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ସୁଶାନ୍ତଙ୍କ ପକ୍ଷରୁ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ଓ ପ୍ରସନ୍ନ କୁମାର ମହାନ୍ତି ଓ ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ୍‌ ପ୍ରସିକ୍ୟୁଟର ରଜନୀକାନ୍ତ ମିଶ୍ର ଓ ଏପିପି ବିଶ୍ୱଜିତ ବରାଳ ମାମଲା ପରିଚାଳନା କରୁଛନ୍ତି।

ଘଟଣାର ବିବରଣୀରୁ ପ୍ରକାଶ ଯେ ଫେବ୍ରୁଆରି ୨୩ ତାରିଖ ରାତି ୯ଟାରେ ମିକୁ ଓରଫ ମୃତ୍ୟୁଞ୍ଜୟ ନାୟକ ତାଙ୍କ ଉପରକୁ ଗୁଳି ଚଳାଇଥିଲା।

ସମ୍ବନ୍ଧିତ ଖବର