ପିଲା ଚୋରି ମାମଲାରେ ୨ ମହିଳାଙ୍କୁ ୨ ବର୍ଷ ଜେଲ୍‌

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ପିଆରଏମ ମେଡିକାଲ କଲେଜରୁ ପିଲା ଚୋରି ମାମଲାର ରାୟ ଆଜି ପ୍ରକାଶ ପାଇଛି। ଦୋଷୀ ସାବ୍ୟସ୍ତ ମହିଳା ମିନାକ୍ଷୀ ବେହେରା ଓ ସୀମା ସିଂହଙ୍କୁ ବାରିପଦା ପ୍ରଥମ ଶ୍ରେଣୀ ଜୁଡିସିଆଲ ମାଜିଷ୍ଟ୍ରେଟ ଜରିନ ଖାଁ ୨ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।

ଏଥି ସହ ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ; ୨୦୨୧ ମସିହା ଫେବ୍ରୁଆରୀ ୨୪ ତାରିଖରେ ଜଣେ ମହିଳାଙ୍କ ୭ ଦିନର ପିଲାକୁ ମିନାକ୍ଷୀ ଓ ସୀମା ଗେହ୍ଲ କରିବାକୁ କହି ଚୋରି କରି ନେଇ ଆସିଥିଲେ। ପିଲାର ମା’ ଏ ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତନାଘନା କରି ଶିଶୁକୁ ଉଦ୍ଧାର କରିବା ସହ ୨ ମହିଳାଙ୍କୁ ଗିରଫ କରିଥିଲା। ମିନାକ୍ଷୀଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ନାକଷୋଳ ଗାଁରେ ଓ ସୀମାଙ୍କ ଘର ବାଲେଶ୍ବର ଜିଲ୍ଲା ସହଦେବ ଖୁଣ୍ଟା ଥାନା ସୁବର୍ଣ୍ଣପୁର ଗ୍ରାମରେ।

ସମ୍ବନ୍ଧିତ ଖବର