ଆଜି ୟୁଏଇରୁ ଫେରିବେ ୨୧୫ ପ୍ରବାସୀ ଓଡ଼ିଆ

ଭୁବନେଶ୍ବର : ରବିବାର ୟୁଏଇରୁ ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ବିମାନରେ ପ୍ରାୟ ୨୧୫ଜଣ ପ୍ରବାସୀ ଓଡ଼ିଆ ଫେରିବେ। ଏୟାର ଆରବିଆର ଏକ ସ୍ବତନ୍ତ୍ର ବିମାନ ରବିବାର ସକାଳ ୮ଟାରେ ସାରଜା ବିମାନବନ୍ଦରରୁ ଉଡ଼ାଣ କରିବ। ଏହି ବିମାନ ସିଧା ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବ। ବିମାନଟି ଦିନ ୧ଟାରେ ଭୁବନେଶ୍ବରରେ ପହଞ୍ଚିବ ବୋଲି ଜଣାପଡ଼ିଛି। ୟୁଏଇସ୍ଥିତ ଓଡ଼ିଆ ସମାଜର ଚନ୍ଦ୍ରଶେଖର ଖୁଣ୍ଟିଆଙ୍କ ପ୍ରୟାସରେ ଏହି ପ୍ରବାସୀ ଓଡ଼ିଆମାନେ ଓଡ଼ିଶା ଫେରୁଛନ୍ତି। ସେଠାରେ ଅନେକଙ୍କ ଭିସା ସରି ଯାଇଥିବାବେଳେ କେତେକଙ୍କୁ ଚାକିରିରୁ ବାହାର କରିଦିଆଯାଇଛି। ତେଣୁ ବହୁ ଅସୁବିଧାରେ ଥିବା ଏହି ଓଡ଼ିଆଙ୍କ ବିଷୟରେ ଜାଣିବା ପରେ ଶ୍ରୀ ଖୁଣ୍ଟିଆ ସେମାନଙ୍କର ଓଡ଼ିଶା ଫେରିବା ବ୍ୟବସ୍ଥା କରିଥିଲେ।

ପ୍ରବାସୀ ଓଡ଼ିଆମାନଙ୍କୁ ଭୁବନେଶ୍ବର ପଠାଇବା ପାଇଁ ସେ ୟୁଏଇସ୍ଥିତ ଭାରତୀୟ ଦୂତାବାସ, ବୈଦେଶିକ ମନ୍ତ୍ରଣାଳୟ, ୟୁଏଇ ସରକାରଙ୍କ ସହଯୋଗରେ ସମସ୍ତ ଅନୁମତି ହାସଲ କରିବା ପରେ ଏୟାର ଆରବିଆର ବିମାନରେ ପଠାଇବାର ବ୍ୟବସ୍ଥା କରାଯାଇଛି। ପ୍ରବାସୀ ଓଡ଼ିଆମାନେ ରଜରେ ଓଡ଼ିଶା ଫେରୁଥିବାରୁ ବହୁତ ଖୁସି ଅଛନ୍ତି। ସେହିପରି ଏହି ଏୟାର ଆରବିଆ ବିମାନର ପାଇଲଟ୍‌ ଓଡ଼ିଆ ଝିଅ ମଧୁସ୍ମିତା ପଟ୍ଟନାୟକ ଅଛନ୍ତି। ‌ଓଡ଼ିଆ ଝିଅ ଓଡ଼ିଆ ଭାଇଭଉଣୀମାନଙ୍କୁ ଏକ ସ୍ବତନ୍ତ୍ର ମିସନରେ ଓଡ଼ିଶା ଫେରାଇ ଆଣିଥିବାରୁ ସେ ବହୁତ ଖୁସି ଅଛନ୍ତି ବୋଲି ୟୁଏଇ ଓଡ଼ିଆ ସମାଜ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର