୨୩୭ଟି ଗାଁ ସଂପୂର୍ଣ୍ଣ ଜଳବନ୍ଦି: ୧୦ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

ଭୁବନେଶ୍ବର: ଏବେ ମହାନଦୀରେ ବନ୍ୟା ଜଳ ପିକ୍‌ ଫ୍ଲୋ ଦେଇ ଗତି କରୁଛି। ମୁଣ୍ଡୁଳିରେ ଏବେ ଜଳପ୍ରବାହ ଶୀର୍ଷରେ ରହିଛି। ମୁଣ୍ଡୁଳି ଦେଇ ସର୍ବାଧିକ ୧୨ଲକ୍ଷ ୧ହଜାର ୪୨୬ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ଆସନ୍ତା ୯ରୁ ୧୨ ଘଣ୍ଟା ଏହି ସ୍ଥିତି ଜାରି ରହିବ। ଏହି ଜଳପ୍ରବାହ ଆଜି ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଛି, ରାତି ପ୍ରାୟ ୩ଟା ପର୍ଯ୍ୟନ୍ତ ରହିବ ଓ ତା’ପରେ ଜଳପ୍ରବାହ ହ୍ରାସ ପାଇବ। ଏହି ଜଳପ୍ରବାହ ଯୋଗୁ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ବିପଦ ଦେଖାଦେଇଛି । ସମୁଦ୍ରକୁ ବନ୍ୟା ଜଳ ଆସନ୍ତା ଗୁରୁବାର ସନ୍ଧ୍ୟା ସୁଦ୍ଧା ଯିବ ଓ ସେ ପର୍ଯ୍ୟନ୍ତ ବିପଦ ଆଶଙ୍କା ଥିବାରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ସମସ୍ତଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି ବୋଲି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି।

ଆଜି ବନ୍ୟା ସ୍ଥିତି ସମୀକ୍ଷା କରିବା ପରେ ଶ୍ରୀ ଜେନା କହିଛନ୍ତି ଯେ ଏବେ ସୁଦ୍ଧା ପୁରୀ ଜିଲ୍ଲାର ମକରା ନଦୀରେ ଗୋଟିଏ ଓ ଖୋର୍ଦ୍ଧା ଜିଲ୍ଲାର ରାଜୁଆ(ଡାହାଣ)ରେ ଦୁଇଟି ଘାଇ ସୃଷ୍ଟି ହୋଇଛି । ସେଠାରେ ସ୍ଥାନୀୟ ଜନପ୍ରତିନିଧି, ଜଳସମ୍ପଦ ବିଭାଗର ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ରହି ଘାଇକୁ ବନ୍ଦ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏବେ ସୁଦ୍ଧା ୧୦ଟି ଜିଲ୍ଲାର ୪୯ ବ୍ଲକ, ୩୬୯ ଗ୍ରାମପଞ୍ଚାୟତ, ୧୩୬୫ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ଏହାଦ୍ୱାରା ୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୩୭ଟି ଗାଁ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି।

ଯେଉଁସ୍ଥାନରେ ଲୋକ ଜଳବନ୍ଦି ଅଛନ୍ତି ସେମାନଙ୍କୁ ତୁରନ୍ତ ସ୍ଥାନାନ୍ତର ସହ ରନ୍ଧା ଖାଦ୍ୟଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ପ୍ରାଥମିକତା ଦେଇ ସ୍ଥାନାନ୍ତର କରାଯିବା ସହ ଆବଶ୍ୟକ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରାଯାଇଛି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ୯ଟି ଏନ୍‌ଡିଆରଏଫ୍‌, ୯ଟି ଓଡ୍ରାଫ ଓ ୪୪ଟି ଅତିରିକ୍ତ ଅଗ୍ନିଶମ ସେବା ୟୁନିଟ୍ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ବନ୍ୟା ଜଳ ପ୍ରଭାବିତ ଅଞ୍ଚଳରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ସହ ସ୍ୱାସ୍ଥ୍ୟ ଓ ପଶୁସମ୍ପଦ ବିଭାଗର ଟିମକୁ ମଧ୍ୟ ସଜାଗ ରଖାଯାଇଛି। ଗୋଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯିବା ସହ ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାଜ୍ୟର ୧୦ ଜିଲ୍ଲାରେ ଉତ୍କଟ ବନ୍ୟା ସ୍ଥିତି ଦେଖି ରାଜ୍ୟ ସରକାର ୧୦ଟି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ସପ୍ତାହକ ପାଇଁ ବାତିଲ କରିଛନ୍ତି। ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ କାହାକୁ ଛୁଟିରେ ଯିବାକୁ ଅନୁମତି ମିଳିବ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର