ନାକୋର ଆକଳନ : ଗଞ୍ଜାମରେ ୨୮ ହଜାର ଏଡସ୍‌ ଆକ୍ରାନ୍ତ!

ନିରାକରଣ ଅଭିଯାନକୁ ୧୯ ବର୍ଷ, ତଥାପି ରାଜ୍ୟରେ ନମ୍ବର ୧, ୧୫,୪୬୭ ଚିହ୍ନଟ, ପୋଲସରାରେ ସର୍ବାଧିକ, ୮୬୦ ଗର୍ଭବତୀ ଏଡ୍‌ସ୍‌ କବଳରେ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦୀର୍ଘ ୧୯ବର୍ଷ ହେଲା ଚାଲିଛି ଏଡସ୍‌ ନିୟନ୍ତ୍ରଣ କାର୍ଯ୍ୟକ୍ରମ। ଏଥିପାଇଁ କେନ୍ଦ୍ର ସରକାର ପ୍ରଦାନ କରୁଥିବା କୋଟି କୋଟି ଟଙ୍କା ଖର୍ଚ୍ଚ କରାଗଲାଣି। ତଥାପି ଓଡ଼ିଶାରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ରହିଥିବାବେଳେ ଦେଶରେ ଓଡିଶା ଅଷ୍ଟମ ସ୍ଥାନରେ ରହିଛି। ନ୍ୟାସନାଲ ଏଡସ୍‌ କଣ୍ଟ୍ରୋଲ ଅର୍ଗାନାଇଜେସନ(ନାକୋ) ଜିଲ୍ଲାରେ ୨୮ହଜାର ଏଚ୍‌ଆଇଭି ଆକ୍ରାନ୍ତ ରହିଥିବା ଆକଳନ କରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୫ହଜାର ୪୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୦୦ ମସିହା ଠାରୁ ୨୦୧୮ ମଧ୍ୟରେ ୧୦ ଲକ୍ଷ ୨୪ ହଜାର ୯୩୪ ଜଣ ଏଚ୍‌ଆଇଭି ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୫୪୬୭ଜଣ ଏଡ୍‌ସ୍‌ ସ˚କ୍ରମିତ (ଏଚ୍‌ଆଇଭି ପଜିଟିଭ) ରହିଛନ୍ତି। ୨୦୦୦ ମସିହାରେ ୧୬ ଜଣ, ୨୦୦୧ରେ ୫୯ ଜଣ, ୨୦୦୨ରେ ୧୦୨ ଜଣ, ୨୦୦୩ରେ ୨୭୧ ଜଣ, ୨୦୦୪ରେ ୧୮୦ ଜଣ, ୨୦୦୫ରେ ୫୬୦ ଜଣ, ୨୦୦୬ରେ ୮୮୮ ଜଣ ଏଚ୍‌ଆଇଭି ପଜିଟିଭି ଚିହ୍ନଟ ହୋଇଛନ୍ତି। ସେହିପରି ୨୦୦୭ରେ ୧୨୨୧ ଜଣ, ୨୦୦୮ରେ ୧୫୬୧ ଜଣ, ୨୦୦୯ରେ ୧୬୦୨ ଜଣ, ୨୦୧୦ରେ ୧୩୦୩ ଜଣ, ୨୦୧୧ରେ ୧୪୪୭ ଜଣ, ୨୦୧୨ରେ ୧୨୫୫ ଜଣ, ୨୦୧୩ରେ ୧୦୪୪ ଜଣ, ୨୦୧୪ରେ ୧୦୦୮ ଜଣ, ୨୦୧୫ରେ ୮୪୯ଜଣ, ୨୦୧୬ରେ ୮୧୦ ଜଣ, ୨୦୧୭ରେ ୬୫୯ ଜଣ ଓ ୨୦୧୮ ସୁଦ୍ଧା ୬୩୨ ଜଣ ଏଡସ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ଏହି ଏଡସ୍‌ ଆକ୍ରାନ୍ତଙ୍କ ମଧ୍ୟରେ ପ୍ରାୟ ୮୬୦ଜଣ ଗର୍ଭବତୀ ମହିଳା ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୧୮ ରୁ ୪୫ ବର୍ଷ ମଧ୍ୟରେ ବୋଲି ହସ୍ତଗତ ତଥ୍ୟରୁ ଜଣାପଡ଼ିଛି।

ରିପୋର୍ଟରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଜିଲ୍ଲାର ପୋଲସରା, ଆସ୍କା, ଖଲ୍ଲିକୋଟ, ବେଗୁନିଆପଡା, ପୁରୁଷୋତ୍ତମ ପୁର ଏବ˚ ହିଞ୍ଜିଳିକାଟୁ ସବୁଠାରୁ ଅଧିକ ଏଡସ୍‌ ପ୍ରଭାବିତ ବ୍ଲକ। ପୋଲସରା ଅଞ୍ଚଳରେ ଜିଲ୍ଲାର ସର୍ବାଧିକ ୧୩୧୪ଜଣ ଏଡ୍‌ସ ସ˚କ୍ରମିତ ରହିଛନ୍ତି। ସେହିପରି ଆସ୍କାରେ ୧୧୭୦ ଓ ବେଗୁନିଆପଡାରେ ୧୦୫୮ଜଣ ଏଡସ୍‌ ଆକ୍ରାନ୍ତ ରହିଛନ୍ତି। ଏତଦ୍‌ବ୍ୟତୀତ ପ୍ରାୟ ୧୦ଟି ବ୍ଲକ ଅଞ୍ଚଳରେ ୫ଶହ ଅଧିକ ଏଡସ୍‌ ଆକ୍ରାନ୍ତ ରହିଛନ୍ତି। ବିଶେଷକରି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ୮୧୪ଜଣ ଏଡ୍‌ସ୍‌ ଆକ୍ରାନ୍ତ ରହିଥିବା ଜଣାପଡିଛି। ତେବେ ଏହି ୧୮ବର୍ଷ ଏଡସ୍‌ରେ ଗଞ୍ଜାମ ଜିଲ୍ଲାର କେତେଜଣଙ୍କ ମୃତ୍ୟୁ ଘଟିଛି ଏହାର ସଠିକ ଚିତ୍ର ଦେଉନାହିଁ ଜିଲ୍ଲା ଏଡ୍‌ସ୍‌ ନିୟନ୍ତ୍ରଣ ସୋସାଇଟି।

ସୋସଇଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୪ ରୁ ୨୦୧୮ ମଧ୍ୟରେ ଏଡସ୍‌ରେ ଜିଲ୍ଲାର ୭୪ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। କିନ୍ତୁ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୦୦ ଠାରୁ ୨୦୧୪ ମଧ୍ୟରେ ଜିଲ୍ଲାରେ ୧୪ଶହ ଜଣଙ୍କ ମୃତ୍ୟୁ ଘଟିଛି। କିନ୍ତୁ ସମୁଦାୟ ମୃତକଙ୍କ ସ˚ଖ୍ୟା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ବି ସ୍ପଷ୍ଟ କରୁନାହିଁ।

ସମ୍ବନ୍ଧିତ ଖବର