୩ ବାଇକ୍ ସହ ୩୭ ତମ୍ବା କଳସ ଜବତ

ପୁଲିସ କବ୍‌ଜାରେ ଟ୍ରାନ୍ସଫର୍ମର ଲୁଟେରା ଗ୍ୟାଙ୍ଗ୍‌

ଦାନଗଦୀ: ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଟ୍ରାନ୍ସଫର୍ମର ଲୁଟ୍‌ ଘଟଣାରେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ କଳିଙ୍ଗନଗର ପୁଲିସ ସଫଳ ହୋଇଛି। ବିଭିନ୍ନ ସ୍ଥାନରେ ଚଢ଼ଉକରି ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ସଂପୃକ୍ତ ଅନ୍ୟ ୨ ଜଣ ଫେରାର ଥିବା ପୁଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ କଳିଙ୍ଗନଗର ଥାନା ନଡ଼ିଆଭଙ୍ଗା ଗାଁର ମଧୁ ଦେହୁରୀ (୩୨) ଓ ଦିଲୁ ମହାନ୍ତ (୨୫), କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବେଲବାହାଳି ଗାଁର ଗଣେଶ୍ବର ସାହୁ, କଳିଙ୍ଗନଗର ଥାନା ଡୁବୁରି ଗାଁର ଜଗନ ଦାସ(୨୭), କୁଆଖିଆ ଥାନା କୁଣ୍ତପାଟଣା ଗାଁର ମାନସ କୁମାର ପୃଷ୍ଟି, ସୁକିନ୍ଦା ଥାନା ସୁକିନ୍ଦା ଗାଁର ଇନ୍ଦ୍ରମଣି ମହାନ୍ତ (୨୫), କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଭଗାନାଇ ଗାଁର ପ୍ରଭାତ ସାହୁ (୫୦)।

ସେମାନଙ୍କ ନିକଟରୁ ୩ଟି ବାଇକ, ଗୋଟିଏ ଟ୍ରାନ୍ସଫରମର, ତମ୍ବା ଗ୍ଲାସ ୧୫୫ଟି, ତମ୍ବା କଳସ ବଡ଼ ୭ଟି ଓ ଛୋଟ ୩୦ ଟି ଜବତ ହୋଇଛି। ଏଥିସହ ନଗଦ ୫୫ ହଜାର ୫ଶହ ୨୦ ଟଙ୍କାକୁ ପୁଲିସ ଜବତ କରିଛି। ଗତମାସ ୧୫ ତାରିଖରେ ଦାନଗଦି ସିଆରିଆ କଲୋନି ମସଜିଦ୍‌ ନିକଟରୁ ଏକ ଟ୍ରାନ୍ସଫରମର ଚୋରି ହୋଇଥିବାର କଳିଙ୍ଗନଗର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ କଳିଙ୍ଗନଗର ଥାନା ଅଧିକାରୀ ପ୍ରିୟବ୍ରତ ରାଉତ ଏକ ମାମଲା ରୁଜୁ କରି ଅପରାଧୀଙ୍କୁ ଧରିବା ପାଇଁ ଟିମ୍‌ ଗଠନ କରିଥିଲେ। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର